ଭୁବନେଶ୍ବର: ରୋଗୀଟିର ମୁହଁରେ ହସ ଦେଖିଲେ ଡାକ୍ତର ଯେଭଳି ଆତ୍ମତୃପ୍ତି ପାଇଥାଏ, ଠିକ୍ ସେହିଭଳି ଲେଖା ପାଠକୀୟ ସ୍ୱୀକୃତି ପାଇଲେ ତାହା ଲେଖକଙ୍କୁ ସୃଜନଶୀଳ କରେ। ମୁକ୍ତ ଚିନ୍ତନ ମଞ୍ଚ ଓ ଭାରତୀୟ ବିଦ୍ୟାଭବନ ଆନୁକୂଲ୍ୟରେ ୨୦୭ତମ ଆଲୋଚନାଚକ୍ରରେ ସଭାପତିତ୍ବ କରିବା ଅବସରରେ ଏଭଳି କହିଛନ୍ତି ବିଶିଷ୍ଟ ଚିକିତ୍ସକ ଡା. ଅଶୋକ କୁମାର ମହାପାତ୍ର।
ବିଦ୍ୟାଭବନ ସଭାଗୃହରେ ‘ମୋ ଜୀବନ: ମୋ ସୃଜନ’ ଶୀର୍ଷକ ଆଲୋଚନାଚକ୍ରର ମୁଖ୍ୟଅତିଥି ବିଶିଷ୍ଟ କଥାକାର ଗୌରହରି ଦାସ କହିଲେ, ଅନୁବାଦକ ଯଶୋଦାଙ୍କ ଭୂମିକା ଗ୍ରହଣ କରିଥାନ୍ତି। ଅନୁବାଦକ ଲେଖକର କୃତିତ୍ବକୁ ଅକ୍ଷୁଣ୍ଣ ଓ ଉତ୍ତରିତ କରିଥାଏ। ଓଡ଼ିଶାର ବିଶ୍ବବିଦ୍ୟାଳୟଗୁଡ଼ିକରେ ଏବେ ବନ୍ଦ ହୋଇଯାଇଥିବା ଅନୁବାଦ କାର୍ଯ୍ୟକ୍ରମ ପୁନର୍ବାର ଚାଲିବା ଦରକାର। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ଲେଖକ ବୈଷ୍ଣବ ଚରଣ ସାମଲ ଓ ଅନୁବାଦକ ସୁଭାଷ ଚନ୍ଦ୍ର ଶତପଥୀଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।
ଲେଖକ ଶ୍ରୀ ସାମଲ କହିଲେ, ସାହିତ୍ୟ ହେଉଛି ଏକ ଅନନ୍ତ ପ୍ରବାହ। ପ୍ରବନ୍ଧ ଓ ଆଧ୍ୟାତ୍ମିକ ସାହିତ୍ୟ ଆତ୍ମସନ୍ତୋଷ ପ୍ରଦାନ କରିଥାଏ। ଅନୁବାଦକ ଶ୍ରୀ ଶତପଥୀ କହିଲେ, ମୌଳିକ ରଚନା ଓ ଅନୁବାଦ କ୍ଷେତ୍ରରେ ଗଭୀର ପ୍ରବେଶ ଆବଶ୍ୟକ। ସାରଳା ଦାସ ସ୍ମୃତି ସଂସଦ ଦ୍ୱାରା ପ୍ରକାଶିତ ଶାରଳା ପଞ୍ଜିକା ଗଣନାକାର ପ୍ରଦୀପ୍ତ କୁମାର ବିଶ୍ୱାଳ ଓ ସମୀର ଗୋଛାୟତଙ୍କ ଉପସ୍ଥିତିରେ ଉନ୍ମୋଚିତ ହୋଇଥିଲା। ସମ୍ପାଦକ ପୀତବାସ ରାଉତରାୟ ମଞ୍ଚ ପରିଚାଳନା କରିଥିଲେ। ବିରଜା ପ୍ରସାଦ ଶତପଥୀ ଧନ୍ୟବାଦ ଦେଇଥିଲେ। ଭୁବନେଶ୍ବରୀ ବେହେରା ଭକ୍ତି ସଙ୍ଗୀତ ଗାନ ଓ ବିଜୟଲକ୍ଷ୍ମୀ ପଟ୍ଟନାୟକ ବେଦପାଠ କରିଥିଲେ।