ସମାଜର ବିବର୍ତ୍ତନରେ ସାହିତ୍ୟିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ: ସୌମ୍ୟରଞ୍ଜନ

ଉତ୍କଳ ସାହିତ୍ୟ ସମାଜର ୧୨୦ତମ ପ୍ରତିଷ୍ଠା ଦିବସ

କଟକ: ଭାଷା ଓ ଭାବ ସାହିତ୍ୟର ମୌଳିକ ଉପାଦାନ। ଏହି ଦୁଇ ଉପାଦାନରୁ ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, କବିତା ଆଦି ସାହିତ୍ୟର ବିଭିନ୍ନ ବିଭାଗର ସୃଷ୍ଟି। କିନ୍ତୁ ସଂପ୍ରତି ଭାଷା ଦୁର୍ବଳ ହେଉଥିବା ବେଳେ ଭାବର ଅଭାବ ପରିଲକ୍ଷିତ ହେଉଛି। ଏଥିପାଇଁ ପୁରସ୍କାରକୁ ନେଇ ବାଦବିବାଦ ଉପୁଜୁଛି। ଏଭଳି ବିଲକ୍ଷଣର ସୁଧାର ପାଇଁ ଉତ୍କଳ ସାହିତ୍ୟ ସମାଜ ଭଳି ଅନୁଷ୍ଠାନର ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ରହିଛି ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ଉତ୍କଳ ସାହିତ୍ୟ ସମାଜର ୧୨୦ତମ ପ୍ରତିଷ୍ଠା ଦିବସ ଓ ଜେମା-ସାମନ୍ତ ସୃଜନୀ ପୁରସ୍କାର ପ୍ରଦାନ ଉତ୍ସବକୁ ଉଦ୍‌ଘାଟନ କରି ଶ୍ରୀ ପଟ୍ଟନାୟକ ସାହିତ୍ୟିକମାନଙ୍କୁ ସେମାନଙ୍କ ଦାୟିତ୍ବ ସଂପର୍କରେ ସୂଚାଇ ଦେବା ସହ ସାହିତ୍ୟିକମାନେ ରାଜନୀତିକୁ ଘୃଣା ନକରି ରାଜନୀତିକୁ ପ୍ରଭାବିତ କରିବା ଉଚିତ ବୋଲି କହିଥିଲେ।

ପ୍ରଫେସର ବିଜୟ କୁମାର ଶତପଥୀଙ୍କୁ ଜେମା-ସାମନ୍ତ ସୃଜନୀ ପୁରସ୍କାର

ଭାଷାର ସୁରକ୍ଷା ପାଇଁ ତାହାକୁ ଅଧିକ ବ୍ୟବହାର କରିବାକୁ ପଡ଼ିବ ଏବଂ ଏଥିପାଇଁ ଆଧୁନିକ କାରିଗରୀ କୌଶଳ ସହ ସନ୍ଧି କରି ଏହା ସହାୟତାରେ ଉତ୍ତରପିଢ଼ିଙ୍କୁ ଉତ୍ସାହିତ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ସମାଜର ବିବର୍ତ୍ତନରେ ସାହିତ୍ୟିକମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ଏଥିପାଇଁ ଉତ୍କଳ ସାହିତ୍ୟ ସମାଜର କର୍ମକର୍ତ୍ତାମାନେ ଅଧିକରୁ ଅଧିକ ତରୁଣଙ୍କୁ ଅନୁ୍ଷ୍ଠାନ ସହ ଯୋଡ଼ି ଏହାକୁ ଅଧିକ ସମୃଦ୍ଧ ଓ ଶୃଙ୍ଖଳିତ କରିବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

ଉତ୍କଳ ସାହିତ୍ୟ ସମାଜର ସଭାପତି ତରୁଣ କୁମାର ସାହୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଶ୍ରୀ ପଟ୍ଟନାୟକ ବିଶିଷ୍ଟ ନାଟ୍ୟକାର, ସମାଲୋଚକ ପ୍ରଫେସର୍‌ ଡ. ବିଜୟ କୁମାର ଶତପଥୀଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ଜେମା-ସାମନ୍ତ ସୃଜନୀ ପୁରସ୍କାର ପ୍ରଦାନ କରିଥ‌ିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ, ବିଶିଷ୍ଟ ସାରସ୍ବତ ସାଧକ ମନୋଜ ଦାସଙ୍କ ସମେତ ତାଙ୍କ ଶାଶୂ ରତ୍ନମାଳୀ ଜେମା ଓ ଶ୍ବଶୁର ନାରାୟଣ ବୀରବର ସାମନ୍ତଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ବିଶ୍ବରଞ୍ଜନ ଯୋଗଦେଇ ସାହିତ୍ୟର ସାମ୍ରାଜ୍ୟ ବଢ଼ୁଥିବା ବେଳେ ସାହିତ୍ୟର ଆବେଦନ ନ ବଢ଼ିବା ପରିତାପର ବିଷୟ ବୋଲି କହିଥିଲେ।

ଆବେଗ, ସମ୍ବେଦନ, ଉତ୍କଣ୍ଠା, ବ୍ୟର୍ଥତାକୁ ନେଇ ସାହିତ୍ୟର ସୃ‌ଷ୍ଟି। ସାହିତ୍ୟ ଜୀବନାୟନ ହେଉ। ଏକ ଶୋଷଣମୁକ୍ତ ସମାଜ ଗଠନ ପାଇଁ ସାହିତ୍ୟିକମାନେ କାର୍ଯ୍ୟ କରନ୍ତୁ ‌ବୋଲି ଅଧ୍ୟାପକ ବିଶ୍ବରଞନ ସାହିତ୍ୟିକମାନଙ୍କୁ ଆହ୍ବାନ ଦେଇଥିଲେ। ଉତ୍ସବରେ ସାହିତ୍ୟ ସମାଜର ଉପସଭାପତି ସଞ୍ଜିତ କୁମାର ପଟ୍ଟନାୟକ ସ୍ବାଗତଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ଆଦିତ୍ୟ ପ୍ରତାପ ଧଳ ପ୍ରାରମ୍ଭିକ ସୂଚନା‌ ପ୍ରଦାନ କରିଥିଲେ। ଅନ୍ୟତମ ଉପସଭାପତି ଗାଳ୍ପିକା ସୁସ୍ମିତା ରଥ ମଞ୍ଚାସୀନ ଥିଲେ। କୋଷାଧ୍ୟକ୍ଷ ଶିବାଶିଷ କର ଧନ୍ୟବାଦ ଦେଇଥିଲେ। ଅଧ୍ୟାପକ କମଳ ମାହୁନ୍ତ ଉତ୍ସବ ପରିଚାଳନାରେ ସହାୟତା କରିଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଭାଷାବିଜ୍ଞାନୀ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ଜେମା-ସାମନ୍ତଙ୍କ ଝିଆରୀ ବିଜୟିନୀ ସିଂହଦେଓଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର