ଭୁବନେଶ୍ବର: ଚଳିତବର୍ଷ ମୌସୁମୀ ଆସିବା ପୂର୍ବରୁ ଡେଙ୍ଗୁ ରାଜଧାନୀରେ ପ୍ରାଦୁର୍ଭାବ ବିସ୍ତାର କରିଛି। ଚନ୍ଦ୍ରଶେଖରପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଡେଙ୍ଗୁରେ ଆଖି ବୁଜିଥିବାରୁ ବିଏମ୍ସିର ମୁଣ୍ଡ ବିନ୍ଧା ବଢ଼ିଛି। ତେଣୁ ବିଏମ୍ସି କର୍ତ୍ତୃପକ୍ଷ ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କୌଣସି ପରିତ୍ୟକ୍ତ ସ୍ଥାନରେ ଅଧିକ ଦିନ ପାଣି ଜମିବାକୁ ନଦେବା ପାଇଁ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। କିନ୍ତୁ ରାଜଧାନୀର ମୋ’ ବସ୍ ଷ୍ଟପ୍ ଛାତ ଯେ ମଶା ଉତ୍ପତ୍ତି ସ୍ଥଳ ପାଲଟିଛି ବୋଲି କାହାର ନଜର ନାହିଁ। ଏହି ଛାତ ଉପରେ ଛୋଟ ଜଳାଶୟ ଭଳି ବହୁ ଦିନ ଧରି ପାଣି ଜମି ରହୁଥିବାରୁ ମଶା ବଂଶ ବଢ଼ିବାରେ ସହାୟକ ହେଉଥିବା ଜଣାପଡ଼ିଛି। ବିଶେଷକରି ଦିନ ବେଳା ଡେଙ୍ଗୁ ମଶା ଏଡିସ୍ କାମୁଡ଼ିଥାଏ। ତେଣୁ ଏବେ ମୋ’ ବସ୍ଷ୍ଟପ୍ରୁ ଡେଙ୍ଗୁ ବ୍ୟାପିବା ଆଶଙ୍କା ପ୍ରକାଶ ପାଇଛି।
ସୂଚନା ଅନୁସାରେ ସମଗ୍ର ସହରରେ ୨୨୫ଟି ବସ୍ ରହଣିସ୍ଥଳ ନିର୍ମାଣ କରାଯାଇଛି। ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍(ବିଏସ୍ସିଏଲ୍) ପକ୍ଷରୁ ଅତ୍ୟାଧୁନିକ ଢାଞ୍ଚାରେ ନିର୍ମିତ ହୋଇଥିବା ଏହି ବସ୍ ଷ୍ଟପ୍ଗୁଡ଼ିକରେ ପାଖାପାଖି ୩୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ହେଲେ ଏହାର ଛାତରୁ ବର୍ଷା ପାଣି ତଳକୁ ଗଡ଼ିଆସିବା ବଦଳରେ ଉପରେ ଜମି ରହୁଛି। ବହୁ ଦିନ ଧରି ପାଣି ଜମି ରହିବାରୁ ସେଥିରେ ଶିଉଳି ଜମି ଗଲାଣି। ଯେଉଁ ବସ୍ଷ୍ଟପ୍ ନିକଟରେ ଗଛ ରହିଛି, ସେଠାରେ ଜମି ରହିଥିବା ପାଣିରେ ଗଛର ପତ୍ର ପଡ଼ି ପଚିବା ଦ୍ବାରା ମଶା ବଢ଼ିବା ପାଇଁ ପରିବେଶ ଅନୁକୂଳ ହେଉଛି। ଚକେଇସିହାଣୀ, ବାଣୀବିହାର, ରମାଦେବୀ କଲେଜ, ରୂପାଲି ଛକ, ପିଏମ୍ଜି ଛକ ବସ୍ଷ୍ଟପ୍ ଉପରେ ବଡ଼ ବଡ଼ ଗଛ ରହିଛି।
ସେଇଠି ଛାତ ଉପରେ ପାଣି ଜମା ହୋଇ ରହିବା ସାଙ୍ଗକୁ ସେଥିରେ ଗଛର ପତ୍ର ଅଳିଆ ପଡ଼ି ପଚିଯିବା ଦ୍ବାରା ପାଣିରୁ ଗନ୍ଧ ବାହାରୁଛି। କ୍ୟାପିଟାଲ୍ ରିଜନ୍ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ଏହାର ପରିଚାଳନା ଦାୟିତ୍ବରେ ଥିଲେ ମଧ୍ୟ ରକ୍ଷଣାବେକ୍ଷଣା କରୁନି। ଏମିତିକି ବସ୍ ଷ୍ଟପ୍ ଛାତରୁ ପାଣି ଗଳୁଥିବାରୁ ବର୍ଷା ବେଳେ ଅପେକ୍ଷାରତ ଯାତ୍ରୀମାନେ ବଡ଼ ହୀନସ୍ତା ହେଉଛନ୍ତି। ଅଧିକାଂଶ ସ୍ଥାନରେ ଉପକରଣ ସବୁ ଭାଙ୍ଗିଯାଇଥିବା ବେଳେ ଆଉ କିଛି ସ୍ଥାନ ଅସାମାଜିକଙ୍କ କବ୍ଜାରେ ରହୁଛି। ବହୁ ସ୍ଥାନରେ ବୁଲାଗୋରୁମାନେ ଅକ୍ତିଆର କରି ରହୁଛନ୍ତି। ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ବସ୍ଷ୍ଟପ୍ ଏବେ କାହା ସ୍ବାର୍ଥରେ ଲାଗିଛି ବୋଲି ଅଭିଯୋଗ ହେଉଛି।
ଏହି ବସ୍ ଷ୍ଟପ୍ ଷ୍ଟେନଲେସ୍ ଷ୍ଟିଲରେ ନିର୍ମାଣ ହୋଇଥିବାବେଳେ ଛାତକୁ ୟୁଭି ରେ’ ବା ଅତିବାଇଗଣୀ ରଶ୍ମିକୁ ପ୍ରତିହତ କରୁଥିବା ଫାଇବରରେ ନିର୍ମାଣ ହୋଇଛି। କିନ୍ତୁ ଛାତରୁ ପାଣି ନିସ୍କାସନ କେମିତି ହେବ, ତାହା କରାଯାଇନାହିଁ। ଫଳରେ ପ୍ରାୟ ମୋ’ ବସ୍ ଷ୍ଟପ୍ ଛାତ ଛୋଟ ଛୋଟ ଜଳାଶୟ ସଦୃଶ ହୋଇଛି। ଏନେଇ ‘କ୍ରୁଟ୍’ର ସିଜିଏମ୍ ଦୀପ୍ତି ମହାପାତ୍ରଙ୍କୁ ଯୋଗଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନଥିଲା।