ଭୁଆସୁଣିକୁ ବନ୍ଦ ହେଲାନି ଆବର୍ଜନା

ମେ ୩ରୁ ‌କେମିତି ଆରମ୍ଭ କରିବେ ବାୟୋମାଇନିଂ?

ଭୁବନେଶ୍ବର: ଏପ୍ରିଲ୍‌ ୨୩ରୁ ଭୁଆସୁଣିକୁ ନୂଆ ଆବର୍ଜନା ଯିବନି। ମେ’ ୩ରୁ ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ ହେବ। ଦାରୁଠେଙ୍ଗ ସରପଞ୍ଚ, ଜଟଣୀ ବିଧାୟକଙ୍କ ସହ ମେୟରଙ୍କ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନେଇଥିଲା ବିଏମ୍‌ସି। ହେଲେ ୨୩ ଯାଇ ୨୭ ତାରିଖ ହେଲାଣି, ଭୁଆସୁଣିକୁ ଆବର୍ଜନା ଯେମିତି ଯାଉଥିଲା ସେମିତି ଯାଉଛି। ଏଣୁ ମେ ୩ରୁ ବାୟୋମାଇନିଂ କେମିତି ଆରମ୍ଭ କରିବେ ସେ ନେଇ ପ୍ରଶ୍ନ ଉଠିଛି।
ଆଜି ଭୁଆସୁଣି ଠାରେ ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କଲା ବେଳେ ଏଭଳି ଚିତ୍ର ସମ୍ନାକୁ ଆସିଛି। ଯେମିତି ଆବର୍ଜନା ବୁହା ଚାଲିଥିଲା ସେମିତି ଚାଲିଛି। ପୂର୍ବରୁ ଯେତିକି ଯାଉଥିଲା, ସେତିକି ପରିମାଣରେ ମଧ୍ୟ ଯାଉଛି। ଏଣୁ ଏହି ବାୟୋମାଇନିଂ ପ୍ରକଳ୍ପ ପୁଣି ଥରେ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି।

ଆବର୍ଜନା ଜମା କରିବା ପାଇଁ ନୂଆ ଜାଗା ମିଳୁନଥିବାରୁ ବିଏମ୍‌ସି ଅଡ଼ୁଆରେ ପଡ଼ିଛି। ଭୁଆସୁଣିରେ ଡମ୍ପିଂ ୟାର୍ଡକୁ ନେଇ ଦାରୁଠେଙ୍ଗବାସୀ ଯେଉଁ ଅଭିଜ୍ଞତା ପାଇଛନ୍ତି ତାହା ଏବେ ଅନ୍ୟ ଲୋକମାନଙ୍କୁ ଚେତାଇ ଦେଇଛି। ଏଣୁ ଅନ୍ୟ କେଉଁ ଜାଗାରେ ଆବର୍ଜନା ଜମା କରିବାକୁ ବା ଡମ୍ପିଂ ୟାର୍ଡ କରିବାକୁ ସ୍ଥାନୀୟ ଲୋକ ସୁଯୋଗ ଦେଉନାହାନ୍ତି। ଏଣୁ ଅଡ଼ୁଆ ବଢ଼ିଛି। ପ୍ରତ୍ୟେକ ଦିନ ଏ ନେଇ ବିଏମ୍‌ସି ମେୟରଙ୍କ ସମେତ ବରିଷ୍ଠ ଅଧିକାରୀଙ୍କର ମାନସମନ୍ଥନ ହେବା ସହ ଜାଗା ଖୋଜା ଚାଲିଛି। ହେଲେ ସମ୍ଭବ ହେଉନାହିଁ। ଅନ୍ୟପଟେ ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହ ଆଲୋଚନା କରି ଆଉ କିଛି ଦିନ ଆବର୍ଜନା ଜମା କରିବାକୁ ଯୋଜନା କରାଯାଇ ପାରିଥାନ୍ତା। ତାହା କରାଯାଉ ନାହିଁ। ପୂର୍ବରୁ କମିସନର ସଞ୍ଜୟ ସିଂହ ଥରେ ଗ୍ରାମବାସୀଙ୍କ ସହ ଆଲେଚାନା କରିବାକୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ହେଲେ ଅସୁସ୍ଥତା ଦର୍ଶାଇ କମିସନର ଆଲେଚାନା ପାଇଁ ଯାଇନଥିଲେ। ଅର୍ଥାତ୍‌ ଥରେ ହେଲେ କମିସନର ସେମାନଙ୍କ ସହ ଆଲେଚାନା କରିନାହାନ୍ତି। ଫଳରେ ଗ୍ରାମବାସୀଙ୍କର ମଧ୍ୟ ଏ ନେଇ ଆକ୍ରୋଶ ରହିଛି। ତେବେ ମେୟର ଦାୟିତ୍ବ ନେବା ପରେ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର