ଭୁବନେଶ୍ୱର: ନିୟମ କହୁଛି ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗାଡ଼ି ବେପାରରେ ଲାଗି ପାରିବ ନାହିଁ। ଏହାକୁ ଚିହ୍ନଟ କରିବା ପାଇଁ ସ୍ବତନ୍ତ୍ର ନମ୍ବର ପ୍ଲେଟ୍ର ବ୍ୟବସ୍ଥା କରାଯାଇଛି। ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ଗାଡ଼ି ହଳଦିଆ ନମ୍ବର ପ୍ଲେଟ୍ ଓ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗାଡ଼ିର ଧଳା ନମ୍ବର ପ୍ଲେଟ୍ ଲଗାଯାଉଛି। ଫଳରେ ଏହାର ଅପବ୍ୟବହାର ହେଲେ ସହଜରେ ଚିହ୍ନଟ କରିହେବ ଓ କାର୍ଯ୍ୟାନୁଷ୍ଠାନ ନେଇ ହେବ। କିନ୍ତୁ ଆଇଏଏସ୍ ଅଧିକାରୀମାନେ ଚାହିଲେ ଯେ ସବୁ ନିୟମକୁ ଦଳିମକଚି ଦେଇ ପାରିବେ, ତାହା ବିଏମ୍ସିରେ ପ୍ରମାଣିତ ହୋଇଛି। କମିସନର ବିଜୟ ଅମୃତା କୁଲାଙ୍ଗେ ଓ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ ଯେଉଁ ଗାଡ଼ି ବ୍ୟବହାର କରୁଛନ୍ତି, ତାହା ଘରୋଇ ପଞ୍ଜୀକରଣ ବା ବ୍ୟାବସାୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ନୁହେଁ। ଦୀର୍ଘ ଦିନ ଧରି ଖୋଲାଖୋଲି ଭାବରେ ଏହା ବ୍ୟବହାର ହେଉଥିଲେ ମଧ୍ୟ ଆର୍ଟିଓ ଏଥିପ୍ରତି ନଜର ଦେଇନାହାନ୍ତି। ଉଭୟ ଆଇଏଏସ୍ ଅଫିସର ହୋଇଥିବାରୁ ଆର୍ଟିଓ କାର୍ଯ୍ୟାନୁଷ୍ଠାନ ନେଇ ସାହସ ଜୁଟାଇ ପାରିନାହାନ୍ତି। ଯାହାକୁ ନେଇପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ବରିଷ୍ଠ ଅଧିକାରୀ ଏଭଳି ବେଆଇନ ଭାବରେ ଗାଡ଼ି ବ୍ୟବହାର କରୁଥିବାରୁ ଯେଉଁ କର୍ମଚାରୀଙ୍କ ଠାରୁ ବିଭିନ୍ନ ନିୟମ ଦେଖାଇ ଗାଡ଼ି ଛଡ଼ାଇ ନିଆଯାଇଛି, ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।
ଉଭୟ ଅଫିସର ଦୁଇଟି ଲେଖାଏଁ ଗାଡ଼ି ବ୍ୟବହାର କରୁଛନ୍ତି। ଗୋଟିଏ ଲେଖାଏଁ ଗାଡ଼ି ବିଏମ୍ସିର ନିଜସ୍ବ ହେଉଥିବା ବେଳେ ଆଉ ଦୁଇଟି ଗାଡ଼ି ବିଏମ୍ସି ଭଡ଼ା ସୂତ୍ରରେ ଆଣି ଯୋଗାଇ ଦେଇଛି। କମିସନର ବ୍ୟବହାର କରୁଥିବା ଗାଡ଼ିର ନମ୍ବର ହେଉଛି ଓଡି ୦୭ ଏଏଫ୍ ୮୧୮୧। ଏହା ଏକ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗାଡ଼ି। ଏହାକୁ ଭଡ଼ାରେ ଲଗାଯାଇ ପାରିବ ନାହିଁ। ସେହିଭଳି ବିଏମ୍ସିର ନଜସ୍ବ ଗାଡ଼ି ଛଡ଼ା ଅନ୍ୟଏକ ଗାଡ଼ି ବ୍ୟବହାର କରୁଛନ୍ତି ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ। ଏହି ଗାଡ଼ିର ନମ୍ବର ହେଉଛି ଓଡି ୦୨ ବିପି ୨୩୮୫। ଏ ଗାଡ଼ିଟି ମଧ୍ୟ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ। ଉଭୟ ଗାଡ଼ି ଭଡ଼ାରେ ଲାଗିଛି।
କେବଳ ଘରୋଇ କିମ୍ବା ବ୍ୟାବସାୟିକ ଭିତ୍ତିରେ ନୁହେଁ, ବରଂ ପାହ୍ୟା ଆଧାରରେ ଗାଡ଼ି ବ୍ୟବହାର ପାଇଁ ଯେଉଁ ନିୟମ ଲାଗୁ ହୋଇଛି ତାହାକୁ ମଧ୍ୟ କେହି ପାଳନ କରୁନାହାନ୍ତି। ନିକଟ ଅତୀତରେ ଅଯୋଗ୍ୟ ଅଧିକାରୀ ଗାଡ଼ି ଚଢ଼ୁଛନ୍ତି ନେଇ ଖବର ପ୍ରକାଶ ପାଇବା ପରେ ତନାଘନା ହୋଇଥିଲା। ବିଏମ୍ସି ଏକ ଚିଠା ପ୍ରସ୍ତୁତ କରି କେତେକ ଅଧିକାରୀଙ୍କ ଗାଡ଼ି ବାତିଲ କାରିଥିଲା। କେତେକ ବଡ଼ ଗାଡ଼ି ବ୍ୟବହାର କରୁଥିଲେ। ସେଗୁଡ଼ିକୁ ପ୍ରତ୍ୟାହାର କରି ଛୋଟ ଗାଡ଼ି ଦେଇଥିଲା। କିନ୍ତୁ କୌଣସି ବରିଷ୍ଠ ଅଧିକାରୀଙ୍କ ଗାଡ଼ି ବ୍ୟତିକ୍ରମ ସତ୍ବେ ପରିବର୍ତ୍ତନ ହୋଇନଥିଲା। କେବଳ ଲୋକ ଦେଖାଣିଆ ଅଦଳବଦଳ କରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଥିଲା। ପାହ୍ୟା ଆଧାରରେ ଗାଡ଼ି ବ୍ୟବହାରକୁ ନେଇ ୨୦୧୫ରେ ଅର୍ଥ ବିଭାଗ ପକ୍ଷରୁ ହୋଇଥିବା ସଂଶୋଧିତ ବିଜ୍ଞପ୍ତି ମୁତାବକ, ସରକାରୀ ଅଫିସରମାନଙ୍କ ପାଇଁ ସମ୍ପୃକ୍ତ ବିଭାଗ ଗାଡ଼ି ଭଡ଼ାରେ ଆଣିପାରିବ। ପରିବହନ ବିଭାଗ ଅଧୀନରେ ଗାଡ଼ିଗୁଡ଼ିକ ବ୍ୟାବସାୟିକ ଭିତ୍ତିରେ ପଞ୍ଜୀକୃତ ହେବା ଆବଶ୍ୟକ। ବ୍ଲକ୍ ଓ ତହସିଲରେ ବଲେରୋ ଓ ସୁମୋ ଭଳି ଗାଡ଼ି ବ୍ୟବହାର କରାଯିବ। ଜିଲ୍ଲାସ୍ତରର ଅଧିକାରୀ ବୋଲ୍ଟ, ସେଲେରିଓ, ଜିଲ୍ଲାପାଳ ବା ସମାନ ପାହ୍ୟା ଅଧିକାରୀ ସ୍କର୍ପିଓ ବା କ୍ରେଟା ଗାଡ଼ି ବ୍ୟବହାର କରିବେ। କିନ୍ତୁ ଅତିରିକ୍ତ କମିସନର ଏଠାରେ ସ୍କର୍ପିଓ ଗାଡ଼ି ବ୍ୟବହାର କରୁଛନ୍ତି ତାହା ପୁଣି ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ।
ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ମୁତାବକ, କୌଣସି ପରିସ୍ଥିତିରେ ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଗାଡ଼ିକୁ ବ୍ୟାବସାୟିକ ଭିତ୍ତିରେ ବ୍ୟବହାର କରାଯାଇ ପାରିବ ନାହିଁ। କିଛି ଦିନ ତଳେ ଏହାକୁ କଡ଼ାକଡ଼ି କରାଯାଇଥିଲା। କିନ୍ତୁ ଏବେ ସବୁ ଢିଲା ହୋଇଯାଇଛନ୍ତି। ଏବେ ଗାଡ଼ି ଦର ଅନୁସାରେ ଟ୍ୟାକ୍ସ ସମାନ କରିଦିଆଯାଇଛି। ଅର୍ଥାତ୍ ଘରୋଇ ବ୍ୟବହାର ଓ ବ୍ୟାବସାୟିକ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଉଭୟ ଗାଡ଼ିର ଦର ଯଦି ସମାନ ହେଲା ତେବେ ଟ୍ୟାକ୍ସ ମଧ୍ୟ ସମାନ ରହୁଛି। କିନ୍ତୁ ବୀମା କ୍ଷେତ୍ରରେ ଆକାଶ ପାତାଳ ତଫାତ୍ ରହିଛି। ବ୍ୟାବସାୟିକ ଭିତ୍ତିରେ ପଞ୍ଜୀକୃତ ଗାଡ଼ି ସବୁ ପ୍ରଥମେ ୨ ବର୍ଷକୁ ଥରେ ଏଭଳି ୮ ବର୍ଷ ପର୍ଯ୍ୟନ୍ତ ଫିଟ୍ନେସ୍ କରୁଥିବା ବେଳେ ୮ ବର୍ଷ ପରେ ପ୍ରତି ବର୍ଷ ଫିଟ୍ ନେସ୍ କରିବେ। କେଉଁ ରାସ୍ତାରେ ଯିବା ଆସିବା କରିବେ ସେଥିପାଇଁ ଏମାନଙ୍କୁ ସ୍ବତନ୍ତ୍ର ପରମିଟ୍ କରିବାକୁ ପଡ଼ିବ। ଏ ସବୁ ବାବଦରେ ସରକାର ଟିକସ ପାଇବେ। କିନ୍ତୁ ଘରୋଇ ଗାଡ଼ିକୁ ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କଲେ ସରକାର ଟିକସ ବାବଦକୁ ରାଜସ୍ବ ହରାଇବେ। ଏଣୁ ଯେଉଁ ଅଫିସରମାନେ ବ୍ୟବହାର କରୁଛନ୍ତି ସେମାନଙ୍କ ଉପରିସ୍ଥ ଅଧିକାରୀ କିମ୍ବା ବିଭାଗୀୟ ମୁଖ୍ୟ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ।