ଭୁବନେଶ୍ବର: ଏଣିକି ବାର୍ରେ ମହିଳା ଓ ଯୁବତୀମାନେ ଗୀତ ପରିବେଷଣ କରିପାରିବେ। କିନ୍ତୁ ଝିଲିମିଲି ରଙ୍ଗିନ୍ ଆଲୋକରେ ଡିଜେ ତାଳେତାଳେ ନାଚି ପାରିବେ ନାହିଁ। ଅବକାରୀ ବିଭାଗ ବାର୍ଗାର୍ଲଙ୍କ ଗାଇବାକୁ ଅନୁମତି ଦେଇଥିବା ବେଳେ ଯେ କୌଣସି ପ୍ରକାରର ନାଚକୁ ନା କରି ଦେଇଛି। ତେଣୁ ଗାଇ ଜାଣିଥିବା ମହିଳା ଓ ଯୁବତୀମାନେ ବାର୍ରେ ନିଯୁକ୍ତି ପାଇବାରେ କୌଣସି ସମସ୍ୟା ନାହିଁ। କିନ୍ତୁ କେବଳ ନୃତ୍ୟକୁ ପେସା କରି ଜୀବିକା ଅର୍ଜନ କରୁଥିବା ମହିଳା ଓ ଯୁବତୀମାନଙ୍କୁ ବାର୍ରେ ସ୍ଥାନ ନାହିଁ। ଗାଉଥିବା ମହିଳା ଓ ଯୁବତୀମାନେ ମଧ୍ୟ କଟକଣା ଭିତରେ ପ୍ରଦର୍ଶନ କରିବେ। ସେମାନଙ୍କ ପୋଷାକଠାରୁ ଆରମ୍ଭ କରି ଜୀବିକା ଅର୍ଜନର ପୃଷ୍ଠଭୂମି ଉପରେ ମଧ୍ୟ କଟକଣା ଜାରି ହୋଇଛି। ଆଜି ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ‘ଓଡ଼ିଶା ଅବକାରୀ(ସଂଶୋଧନ) ରୁଲସ୍-୨୦୨୪’ ବିଜ୍ଞପ୍ତି ଜାରି ପରେ ଏଭଳି ପରିବର୍ତ୍ତନ ଆସିଛି। ଓଡ଼ିଶା ଅବକାରୀ ଆଇନ-୨୦୦୮ର ଧାରା ୯୦ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଜ୍ୟ ସରକାର ଓଡ଼ିଶା ଅବକାରୀ ରୁଲସ୍ -୨୦୧୭ରେ କେତେକ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁସାରେ ୨୧ଟି ସର୍ତ୍ତ ଆଧାରରେ ବାର୍ଗୁଡ଼ିକୁ ପରିଚାଳନା ପାଇଁ ଅନୁମତି ମିଳିବ। ନିୟମ ଉଲ୍ଲଂଘନ କଲେ ସମ୍ପୃକ୍ତ ବାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅବକାରୀ କମିସନର ନରସିଂହ ଭୋଳ କହିଛନ୍ତି।
ସିସିଟିଭି ଅଚଳ ହେଲେ ଷ୍ଟେଜ୍ ବନ୍ଦ
ବାର୍ ପରିସରରେ ସିସିଟିଭି କ୍ୟାମେରା ଲାଗିବା ବାଧ୍ୟତାମୂଳକ କରାଯାଇଛି। ବିଶେଷକରି ବାର୍ ମଞ୍ଚରେ ସିସି କ୍ୟାମେରା ନିଶ୍ଚିତ ଚାଲୁ ରହିବ। ଏଥିରେ ବ୍ୟବହୃତ ହାର୍ଡ ଡିସ୍କ ୩ମାସ ପର୍ଯ୍ୟନ୍ତ ରେକର୍ଡିଂ ମହଜୁଦ୍ ରଖିବ। କ୍ୟାମେରାକୁ ଏଭଳି ସ୍ଥାନରେ ଖଞ୍ଜାଯିବ, ଯେଭଳି ସଙ୍ଗୀତ ପରିବେଷଣ ହେଉଥିବା ଷ୍ଟେଜ୍କୁ ଭଲ ଭାବେ ରେକର୍ଡିଂ କରିପାରିବ। ମଞ୍ଚର ସିସିଟିଭି ଫୁଟେଜ୍କୁ ସ୍ଥାନୀୟ ଥାନା ଅଧିକାରୀ ଓ ଅବକାରୀ ଥାନା ଅଧିକାରୀଙ୍କୁ ପଠାଯିବ। ଯଦି କୌଣସି କାରଣରୁ ସିସିଟିଭି ଖରାପ ହୋଇଯାଏ, ତା’ହେଲେ ସମ୍ପୃକ୍ତ ବାର୍ ମାଲିକ ସଙ୍ଗେସଙ୍ଗେ ନିଜ ଅଞ୍ଚଳର ଅବକାରୀ ଅଧିକାରୀ ଓ ଥାନା ଅଧିକାରୀଙ୍କୁ ଅବଗତ କରାଇବେ। ସିସିଟିଭି ଠିକ୍ ନ ହେବା ଯାଏ, ଷ୍ଟେଜ୍ରେ କୌଣସି ପ୍ରକାର କାର୍ଯ୍ୟକ୍ରମ ପରିବେଷଣ କରାଯାଇପାରିବ ନାହିଁ।
ରେକର୍ଡ ହେବ ବାର୍ଗାର୍ଲଙ୍କ ଇତିହାସ
ପୂର୍ବରୁ ଅନୈତିକ କାର୍ଯ୍ୟରେ ଲିପ୍ତଥିବା ମହିଳାଙ୍କୁ ବାର୍ରେ ନିୟୋଜିତ କରାଯିବ ନାହିଁ। ନିଯୁକ୍ତି ପୂର୍ବରୁ ବାର୍ ମାଲିକ ମହିଳା ଓ ଯୁବତୀଙ୍କ ଇତିହାସ ବା ପୃଷ୍ଠଭୂମି ରେକର୍ଡ କରିବେ ଏବଂ ସମ୍ପୃକ୍ତ ଅଞ୍ଚଳର ଥାନାକୁ ଜଣାଇବେ। ସେମାନଙ୍କ ବୟସ ଅତିକମ୍ରେ ୨୧ବର୍ଷ ହୋଇଥିବ। ସେମାନେ ୬ ମାସ ମଧ୍ୟରେ ଉଠାଇଥିବା ଫଟୋ ସହ ନାମ, ସ୍ଥାୟୀ ଠିକଣା, ନାଗରିକତା ଓ ସ୍ଥାନୀୟ ଠିକଣା ଦେବେ। ସେମାନଙ୍କ ତଥ୍ୟରେ କେତେ ସତ୍ୟତା ରହିଛି, ତାହା ବାର୍ମାଲିକ ଯାଞ୍ଚ କରିବା ପରେ ସମସ୍ତ ତଥ୍ୟ ନିଜ ଅଞ୍ଚଳର ଥାନା ଓ ଅବକାରୀ ବିଭାଗକୁ ଦେବେ। ସେହିଭଳି ସମ୍ପୃକ୍ତ ଯୁବତୀ ବା ମହିଳା ସୁସ୍ଥ ଥିବା ନେଇ ଏକ ସମ୍ମତିପତ୍ର ମଧ୍ୟ ଦେବେ। ଏହାକୁ ବାର୍ ମାଲିକ ଅନୁମତି ନେବାବେଳେ ଦାଖଲ କରିବେ। ନିଯୁକ୍ତି ପାଇଥିବା ମହିଳା ଓ ଯୁବତୀଙ୍କ ସୁରକ୍ଷାକୁ ଦୃଷ୍ଟିରୁ ସେମାନଙ୍କୁ ଫଟୋଯୁକ୍ତ ଆଇକାର୍ଡ ପ୍ରଦାନ କରାଯିବ। ସେମାନେ ରହୁଥିବା ସ୍ଥାନରୁ ଯିବାଆସିବା ପାଇଁ ବାର୍ ମାଲିକ ମାଗଣାରେ ପରିବହନ ସୁବିଧା ଯୋଗାଇଦେବେ। ବାର୍ ପରିସରରେ କୌଣସି ମହିଳା ଯୌନ ଓ ଅନ୍ୟ ନିର୍ଯାତନାର ଶିକାର ନ ହେବେ, ସେଥିପାଇଁ ବାର୍ ମାଲିକମାନେ ଯଥେଷ୍ଟ ପରିମାଣରେ ବ୍ୟକ୍ତିଗତ ସୁରକ୍ଷା ଉପାୟ କରିବେ। ସେମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଓ ଲକର୍ ବ୍ୟବସ୍ଥା କରିବେ।
ଟଙ୍କା ଉଡ଼ାଇବା ମନା
ଷ୍ଟେଜ୍ ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଷ୍ଟେଜ୍ରେ ପ୍ରଦର୍ଶନ କରୁଥିବା ବାର୍ଗାର୍ଲଙ୍କ ପୋଷାକରେ କଟକଣା ଲାଗୁ କରାଯାଇଛି। ସେମାନେ ଅଶ୍ଳୀଳ ପୋଷାକ ପିନ୍ଧି ପାରିବେ ନାହିଁ। ଶାଳୀନତା ସୀମା ଭିତରେ ରହି ପୋଷାକ ପିନ୍ଧିବାକୁ ପଡ଼ିବ। ସେହିଭଳି ପ୍ରଦର୍ଶନ ଚାଲୁଥିବା ବେଳେ ଅର୍ଥାତ୍ ବାର୍ଗାର୍ଲ ଗାଉଥିବା ବେଳେ କୌଣସି ଗ୍ରାହକ ତାଙ୍କୁ ଛୁଇଁ ପାରିବେ ନାହିଁ। ଗ୍ରାହକମାନେ ମଧ୍ୟ ନୋଟ୍ ଉଡ଼ାଇପାରିବେ ନାହିଁ। ସେହିଭଳି କୌଣସି ଗ୍ରାହକ ବାର୍ଗାର୍ଲଙ୍କୁ ସିଧାସଳଖ ଟଙ୍କା ଦେଇପାରିବେ ନାହିଁ। ଯଦି କେହି ଗ୍ରାହକ ଟଙ୍କା ଦେବାକୁ ଇଚ୍ଛୁକ ଥିବେ, ତା’ହେଲେ ସମ୍ପୃକ୍ତ ବାର୍ର ପରିଚାଳକଙ୍କ ମାଧ୍ୟମରେ ଦେଇପାରିବେ। ବାର୍ରେ ଥିବା ଷ୍ଟେଜ୍ର ଆକାର ସର୍ବନିମ୍ନ ୧୦ଫୁଟ୍ରେ ୧୨ଫୁଟ୍ ଅର୍ଥାତ ୧୨୦ ବର୍ଗଫୁଟ୍ ହେବା ଜରୁରି। ଏଥିସହିତ ଚାରିପଟେ ଅତିକମ୍ରେ ୩ଫୁଟ ଉଚ୍ଚର ଷ୍ଟିଲ୍ ରେଲିଂ ବା ବାଡ଼ ରହିବ। ଷ୍ଟେଜ୍ ଠାରୁ ଗ୍ରାହକଙ୍କ ମଧ୍ୟରେ ଅତିକମରେ ୫ଫୁଟ୍ର ଦୂରତା ରହିବ। ସେହିପରି ଷ୍ଟେଜ୍ ପାଖରେ କି ବାର୍ ଭିତରେ ଯେଭଳି ଧୂମପାନ କରାନଯାଏ, ସେ ଦିଗରେ ମଧ୍ୟ ବାର୍ ପରିଚାଳକ ଧ୍ୟାନଦେବେ।