ଗ୍ରାମୀଣ ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପ ପ୍ରହସନ, କୋଟି କୋଟି ଟଙ୍କାର ପ୍ରକଳ୍ପରେ ତାଲା

ଭୁବନେଶ୍ବର: ପାଇପ୍‌ ବିଛା ହେଲା। ଝର ପୋଖରୀ ଦେଖି, ତା କଡ଼ରୁ ପାଣି ଉଠାଇ ଗାଁକୁ ଯୋଗାଇବା ପାଇଁ ବ୍ୟବସ୍ଥା ହେଲା। ଏହାକୁ ସଚଳ ରଖିବା ପାଇଁ ନୂଆ ଟ୍ରାନ୍ସଫର୍ମର ବସିଲା। ପରିଚାଳନା ପାଇଁ ଘର କରାଗଲା। ହେଲେ କିଛି ବର୍ଷ ଯାଇଛି କି ନାହିଁ, ସବୁ ଅଚଳ ହେଇଗଲା। ପାତ୍ରପଡ଼ା ଭଗବାନପୁର ଅଞ୍ଚଳ‌ରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ‌ଯେବେ ଏହି ଅଞ୍ଚଳରେ ପଞ୍ଚାୟତ ଅଧୀନରେ ଥିଲା ସେତେବେଳେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା। ୫ ହଜାର ପାଖାପାଖି ବ୍ୟକ୍ତିବ‌ିଶେଷଙ୍କୁ ଦୃଷ୍ଟିରେ ରଖି ଅଞ୍ଚଳରେ ୩ଟି ଗ୍ରାମୀଣ ପାଇପ୍‌ ‌ଜଳ ଯୋଗାଣ ପ୍ରକଳ୍ପ କରାଯାଇଥିଲା। ଏବେ କିନ୍ତୁ ସେଥିମଧ୍ୟରୁ ଗୋଟିଏ ବି ଚାଲୁନାହିଁ।

୨୦୦୯ ମସିହା ପରେ ପାତ୍ରପଡ଼ା ଭଗବାନପୁର ଅଞ୍ଚଳ ପାଇଁ ୩ଟି ଗ୍ରାମୀଣ ପାଇପ୍‌ ଜଳ ‌ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଗୋଟିଏ ନମ୍ରକାନୀ ପୋଖରୀ ନିକଟରେ କରାଯାଇଥିଲା। ପୋଖରୀ ସଂଲଗ୍ନ ଏକ ଚୁଆ ସଦୃଶ ଖାଲକୁ ଘେରାଇ ତାହା ମଧ୍ୟରୁ ପାନୀୟ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରାଗଲା। କିଛି ବର୍ଷ ପାଣି ମଧ୍ୟ ଯୋଗାଇ ଦିଆଗଲା। ମାତ୍ର ବର୍ଷ କେଇଟାରେ ପ୍ରକଳ୍ପ ବନ୍ଦ ହେଇଗଲା। ନମ୍ରକାନୀ ପୋଖରୀ ସଂଲଗ୍ନ ଏହି ପ୍ରକଳ୍ପ ପାଇପ୍‌ରେ କଳଙ୍କି ଲାଗିଗଲାଣି। ଚାରିପଟେ ଅନାବନା ଗଛ ଉଠିଗଲାଣି। ଚୁଆ ଭଳି ଖୋଳାଯାଇଥିବା ସ୍ଥାନଟି ବର୍ଜ୍ୟକୁଣ୍ଡରେ ପରିଣତ ହେଲାଣି। ଅଥଚ ଦୀର୍ଘଦିନ ହେଲା ଏହାକୁ ସଜଡ଼ା ଯାଉନାହିଁ।

ସେହିପରି କିଆ ପୋଖରୀ ନିକଟରେ ଥିବା ଏକ ଝରକୁ ଘେରାଯାଇ ସେଥିରୁ ପାନୀୟ ଜଳ ଗାଁ ମଧ୍ୟକୁ ଯୋଗାଇବା ପାଇଁ ପାଇପ୍‌ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ମାତ୍ର ତାହା ବି କାଳକ୍ରମେ ବନ୍ଦ କରିଦେଲେ। ଆଉ ଏକ ପ୍ରକଳ୍ପ ପାଇଁ ଭଗବାନପୁର କଣ୍ଢେଇ ମେଳଣ ପଡ଼ିଆ ନିକଟରେ ବୋରିଂ ଜରିଆରେ ଗ୍ରାମ ମଧ୍ୟକୁ ପାଇପ୍‌ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଥିଲା। ୨୦୨୮ ଜଣ ବ୍ୟକ୍ତିବିଶେଷଙ୍କ ପାଇଁ ୮ଘଣ୍ଟା ଦୈନିକ ପାଣି ଯୋଗାଇ ଦିଆଯିବ ବୋଲି କୁହାଗଲା। ୨୮୭୯ ମିଟର ପାଇପ୍‌ଲାଇନ୍‌ ବିଛା ହେଇଥିଲା। ମାତ୍ର ସେଥିରେ ବି ଏବେ ତାଲା ଝୁଲୁଛି। ସଂପ୍ରତି ଏହି ଅଞ୍ଚଳ ବିଏମ୍‌ସିର ୬୫ ନମ୍ବର ୱାର୍ଡରେ ରହିଛି। ତଥାପି ପ୍ରଶାସନର ନଜର ପଡ଼ିନାହିଁ। ଗ୍ରାମର ବାସିନ୍ଦା ରବୀନ୍ଦ୍ରନାଥ ସାହୁ କହିଛନ୍ତି, ୩ଟା ପାଇପ୍‌ଲାଇନ୍‌ ବିଛା ହେଇ ମଧ୍ୟ ପାଇପ୍‌ରେ ଜଳ ଯୋଗାଣ ହେଉନାହିଁ। ଢିଙ୍କିଆ ନଳକୂପଗୁଡ଼ିକ ବି ଅଚଳ ହୋଇ ପଡ଼ିଛି।

ଏଣେ କେନ୍ଦ୍ର ସରକାର ଜଳଜୀବନ ମିସନ ଜରିଆରେ ‘ନଳରେ ଜଳ’ ଯୋଜନାର ଶୁଭାରମ୍ଭ କରି ୧୪ କୋଟି ଗ୍ରାମୀଣ ପରିବାର ପାଇଁ ୨୦୨୫ ସୁଦ୍ଧା ଜଳ ଯୋଗାଇବାକୁ କଣ୍ଟ ରଖିଛନ୍ତି। ରାଜ୍ୟ ସରକାର ମଧ୍ୟ ୨୦୨୫ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ୍‌ ଜଳ ଯୋଗାଣ ନିମନ୍ତେ ସ୍ବପ୍ନ ଦେଖେଇଛନ୍ତି। ମାତ୍ର ଆଗରୁ ନିର୍ମାଣ ହୋଇସାରିଥିବା ଏହିପରି ବହୁ ପ୍ରକଳ୍ପରେ ଯେ କଳଙ୍କି ଲାଗିଗଲାଣି ସେଥିପ୍ରତି ନଜର ଦେଉନାହାନ୍ତି। ତେଣୁ ଏଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର