ଭୁବନେଶ୍ବର: ରାଜ୍ୟର ରାଜଧାନୀ ହେଉଛି ଭୁବନେଶ୍ବର। କିନ୍ତୁ ରାସ୍ତାଘାଟ ଗ୍ରାମାଞ୍ଚଳ ତଥା ଦୁର୍ଗମ ଅଞ୍ଚଳଠାରୁ ବି ହୀନ। ଚାରିଆଡ଼େ ଖାଲଖମା, ଆବୁଡ଼ାଖାବୁଡ଼ା ରାସ୍ତା। ଖରାରେ ବାହାରିଲେ ଧୂଳିରେ ଲୋକେ ଅଣନିଃଶ୍ବାସୀ ହୋଇ ପଡ଼ୁଛନ୍ତି। ବର୍ଷାରେ କାଦୁଅ ପଚପଚ ରାସ୍ତା କଲବଲ କରୁଛି। ଖାଲଖମା ସହ ରାସ୍ତାରେ ଗୋଡ଼ି, ବାଲି ଏଭଳି ବିକ୍ଷିପ୍ତ ଅବସ୍ଥାରେ ପଡ଼ିଛି ଯେ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ଭୟ ରହୁଛି। ପ୍ରତିଦିନ ଦୁର୍ଘଟଣା ଘଟି କାହାର ଗୋଡ଼, ହାତ ଭାଙ୍ଗୁଛି। ସବୁଠୁ ଅଧିକ ଯନ୍ତ୍ରଣା ଦେଉଛି ଭୁବଶ୍ବେର ମହାନଗର ମଧ୍ୟରେ ଥିବା ପୂର୍ତ୍ତ ରାସ୍ତା। ସବୁ ପ୍ରମୁଖ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ଥିବାବେଳେ ସବୁ ରାସ୍ତା ଚାଳକଙ୍କ ପାଇଁ ମରଣଯନ୍ତା ସାଜିଛି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ‌ରେ ୯୬୦ କିଲୋମିଟର ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହାର ପରିଚାଳନା ପାଇଁ ରାଜଧାନୀରେ ଭୂର୍ତ୍ତବିଭାଗର ୫ଟି ଡିଭିଜନ୍‌ କାର୍ଯ୍ୟ କରୁଛି। ସବୁଠି ଜଣେ ଅଧୀକ୍ଷଣ ଯନ୍ତ୍ରୀ ମୁଖିଆ ଭାବେ ଅଛନ୍ତି। ଏହାସହ ମାଳ ମାଳ ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଆଦି ରହିଛନ୍ତି। ପୁରୁଣା ଭୁବନେଶ୍ବର, ଲକ୍ଷ୍ମୀସାଗର, ଝାରପଡ଼ା, ସମ୍ ହସ୍ପିଟାଲ ରାସ୍ତା ଭଳି ପ୍ରମୁଖ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ସବୁ ରାସ୍ତା ଖାଲଖମାରେ ଭରି ରହିଛି। 

Advertisment

ଝାରପଡ଼ା ରାସ୍ତା ବର୍ଷ ବର୍ଷ ଧରି ମରାମତି ନ ହୋଇ ପଡ଼ିରହିଛି। ସମ୍ ହସ୍ପିଟାଲ୍ ରାସ୍ତାରେ ସାମାନ୍ୟ ବର୍ଷାରେ ବନ୍ୟା ସ୍ଥିତି ଉପୁଜୁଛି। ଆଣ୍ଠୁଏ ଉଚ୍ଚର ପାଣି ଚାଲୁଛି। ନାଳ ତିଆରି ପରେ ରାସ୍ତା କରିବେ ବୋଲି ପୂର୍ତ୍ତ ବିଭାଗ କହିଥିଲା। କିନ୍ତୁ ଅଦ୍ୟାବଧି ନାଳ ସରୁନି କି ରାସ୍ତା କାମ ଆରମ୍ଭ ହୋଇନି। ସମାନ ସ୍ଥିତି ଅନ୍ୟ ପ୍ରମୁଖ ଛକ ତଥା ରାସ୍ତାର। ରାଜଧାନୀର ଏହି ପ୍ରମୁଖ ରାସ୍ତା ସବୁ ଖାଲଖମାରେ ଭରି ରହିବା ଦୁର୍ଭାଗ୍ୟଜନକ ବୋଲି ସହରବାସୀ ମତ ଦେଇଛନ୍ତି। ଭୁବନେଶ୍ବର ମହାନଗର ନିଗମ ସିଟି ଇଂଜିନିୟର ଇଂ. ବିଳାସ କୁମାର ବେହେରା ବି ଏ ନେଇ ଅସହାୟତା ପ୍ରକାଶ କରିଛନ୍ତି। ଇଂ. ବେହେରା କହିଛନ୍ତି, ଆମ ଅଧୀନରେ ଭୁବନେଶ୍ବରର ସାହି ଗଳି ରାସ୍ତା ରହିଛି। କିନ୍ତୁ ପ୍ରମୁଖ ରାସ୍ତା ସବୁ ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ପୂର୍ତ୍ତ ବିଭାଗ ଏହି ରାସ୍ତାରେ କେତେ ଟଙ୍କା ଖର୍ଚ୍ଚ କରେ, ବାର୍ଷିକ ମରାମତି ଓ ପରିଚାଳନା ପାଇଁ କେତେ ଟଙ୍କା ଖର୍ଚ୍ଚ କରେ, ସେ ସଂପର୍କିତ ତଥ୍ୟ ଆମକୁ ଦିଏନି। ଭୁବନେଶ୍ବରର କୌଣସି ରାସ୍ତା ଖରାପ ଥିବା ଆମ ନଜରକୁ ଆସିଲେ, ଆମେ ପୂର୍ତ୍ତ ବିଭାଗକୁ ଜଣାଉ। କର୍ପୋରେସନ୍ ବୈଠକରେ ବି ପୂର୍ତ୍ତ ବିଭାଗ ଯନ୍ତ୍ରୀଙ୍କୁ ଡକାଯାଇ ରାସ୍ତାର ସ୍ଥିତି ସଂପର୍କରେ ଅବଗତ କରାଯାଏ। ପୂର୍ତ୍ତ ବିଭାଗ ସେହି ଅନୁସାରେ ପଦକ୍ଷେପ ନିଏ। କିନ୍ତୁ ପୂର୍ତ୍ତ ରାସ୍ତା ସହିତ ଆମର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି।

କଲବଲ କରୁଛି ସିଆର୍‌ପି-ଡିଏଭି ସ୍କୁଲ୍‌ ରାସ୍ତା

ରାଜଧାନୀ ରାସ୍ତାରେ ଖୋଳାତଡ଼ା ଯେମିତି ଏକ ନିତିଦିନିଆ ଘଟଣା। ପିଚୁ ପକାଇ ରାସ୍ତା ଚକାଚକ୍‌ କରାଯାଉଛି। ଅଥଚ ଦିନ କେଇଟା ପରେ ପୁଣି ରାସ୍ତାକୁ ଖୋଳି କଦର୍ଯ୍ୟ କରିଦିଆଯାଉଛି। ବିଭିନ୍ନ କେବଲ୍‌ ବିଛାଇବାକୁ ରାସ୍ତା ଖୋଳା ଯାଉଛି ଓ ବର୍ଜ୍ୟବସ୍ତୁକୁ ରାସ୍ତା ଉପରେ ଗଦା କରି ରଖିଦିଆଯାଉଛି। ସେଥିରେ ପୁଣି କାମ ବିଳମ୍ବିତ ହେଉଛି। ଫଳରେ ଲୋକମାନେ ହଇରାଣରେ ପଡ଼ୁଛନ୍ତି। ସିଆରପି-ଡିଏଭି ସ୍କୁଲ ମୁଖ୍ୟ ରାସ୍ତାରେ ଖୋଳାଖୋଳି ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ପୂର୍ବରୁ ସହରର ସୋନ୍ଦର୍ଯ୍ୟୀକରଣ ନାମରେ ଅଧାରାସ୍ତା ପର୍ଯ୍ୟନ୍ତ ପେଭର୍‌ବ୍ଲକ୍‌ ପଡ଼ିଥିବା ବେଳେ ପୁଣି ମେଡିଆନ୍‌ର ସମ୍ପ୍ରସାରଣ ରାସ୍ତାକୁ ସଙ୍କୁଚିତ କରି ଦେଇଛି। ଫଳସ୍ୱରୁପ ସିଆର୍‌ପି ଛକରୁ ଷ୍ଟୁଆର୍ଟ ସ୍କୁଲ ପର୍ଯ୍ୟନ୍ତ ୨୦୦ ମିଟର ରାସ୍ତାରେ ଲୋକେ ଯାତାୟାତ ବେଳେ କଲବଲ ହେଉଛନ୍ତି। ବିଶେଷ କରି ସକାଳେ ଓ ସନ୍ଧ୍ୟାରେ ରାସ୍ତା ପ୍ରବଳ ଜାମ୍‌ ହେଉଛି। 

ଗୋଟିଏ କାର୍‌ କିମ୍ୱା ବସ୍ ଅତିକ୍ରମ କଲେ ଅନ୍ୟ ଏକ ଗାଡ଼ି ଯିବାକୁ ଠିଆ ହେବାକୁ ପଡ଼ୁଛି। ନିର୍ମାଣ ବର୍ଜ୍ୟବସ୍ତୁ ରାସ୍ତାକଡ଼ରେ ଜମା କରାଯାଇଥିବା‌ରୁ ଲୋକେ ହଇରାଣ ହେଉଛନ୍ତି। ରାସ୍ତା ସଙ୍କୁଚିତ ଥିବା ବେଳେ ଭେଣ୍ଡିଂ ଜୋନ୍ ତଥା ଅନ୍ୟାନ୍ୟ ଦୋକାନ ଯୋଗୁ ରାସ୍ତାରେ ଲୋକେ ଗାଡି ପାର୍କିଂ କରୁଛନ୍ତି। ଫଳରେ ରାସ୍ତା ଆହୁରି ସଂକୀର୍ଣ୍ଣ ହୋଇଯାଇଛି। ଏନେଇ କର୍ପୋରେଟର ପଦ୍ମଜା ପ୍ରିୟଦର୍ଶିନୀ କହିଛନ୍ତି, ୭ ଦିନ ମଧ୍ୟରେ କାମ ସରିବାର ଲକ୍ଷ୍ୟ ରହିଛି। ସେ ନେଇ ଷ୍ଟାଣ୍ଡିଂ କମିଟି ବୈଠକରେ ଆଲୋଚନା କରିଛନ୍ତି ବୋଲି କହିଛନ୍ତି।

ପଞ୍ଚସଖାନଗର ବାସିନ୍ଦାଙ୍କୁ ଯମଯନ୍ତ୍ରଣା

ଖଣ୍ଡଗିରି: ବର୍ଷବର୍ଷ ଧରି ଡ୍ରେନ୍‌, ସ୍ବେରେଜ୍‌ ସମସ୍ୟା ଯୋଗୁ ପଞ୍ଚସଖାନଗର ବାସିନ୍ଦା ଯମଯନ୍ତ୍ରଣା ଭୋଗୁଥିଲା ବେଳେ ଏବେ ରାସ୍ତା ସମସ୍ୟା‌ ଉତ୍କଟ ରୂପ ଧାରଣ କରିଛି। ଯୁଆଡ଼େ ଆଖି ବୁଲେଇ ଆଣିଲେ ଖୋଳାଖୋଳି ଓ କାଦୁଅ ପଚପଚ। ଘରୁ ଗାଡ଼ି କାଢ଼ିବାକୁ ଲୋକେ ଡରୁଛନ୍ତି। ଘରଠାରୁ ଦୂର‌ରେ ଗାଡ଼ି ରଖି ଆସୁଛନ୍ତି। ଏତେ ମନ୍ଥର ଗତିରେ କାମ ଚାଲିଛି ଯେ ଶେଷ ହେବାକୁ ଆହୁରି ୫ମାସରୁ ଅଧିକ ସମୟ ଲାଗିବ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୱାଟ୍‌କୋର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ସହିତ ଡ୍ରେନ୍‌ ଜବରଦଖଲ ଯୋଗୁ ଏଠିକାର ସମସ୍ୟା ଅସମ୍ଭାଳ ହୋଇପଡ଼ିଛି। ୩ ବର୍ଷ ହେଲା ୱାଟ୍‌କୋ କାମ ସରୁନଥିଲା। ୱାଟ୍‌କୋ କାମ ମୁଖ୍ୟ ରାସ୍ତାରୁ ସରିଲାଣି। ହେଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନି। ସ୍କୁଲ୍‌ ଗାଡ଼ି, ଓଲା, ପାର୍ସଲ ଘର ପାଖକୁ ଆସିପାରୁନି। ବର୍ଷା ଦିନରେ ବଡ଼ ଗାତ ଓ କାଦୁଅ ଯୋଗୁ ସର୍ବଦା ଅଘଟଣର ଚିନ୍ତା ଘାରୁଛି। ଶିବ ମନ୍ଦିରରୁ ଆଇଟିଇଆର୍‌ କଲେଜ ପାଚେରି ପର୍ଯ୍ୟନ୍ତ ୨ରୁ ତିନି ଫୁଟ ଉଚ୍ଚରେ ବର୍ଷାପାଣି ଜମି ରହୁଛି। ସ୍ବେରେଜ୍‌ ପାଇପ୍‌ ବିଛାଇବା ପାଇଁ ରାସ୍ତା ଖୋଳି ଦିଆଯାଇଥିବାରୁ ଜଗମୋହନନଗର ଓ ବେଲେଶ୍ବର ମନ୍ଦିର ପାଖ ରାସ୍ତାରେ ପାଣି ଜମାହୋଇ ସାଂଘାତିକ ସ୍ଥିତି ସୃଷ୍ଟିକରୁଛି। ଆଇଟିଇଆର୍‌ ‌ଲେନ୍-୧ର ବାମପଟରୁ ୪୦୦ ମିଟର ରାସ୍ତାର ଅବସ୍ଥା ଆହୁରି କଦର୍ଯ୍ୟ ହୋଇପଡ଼ିଛି।

dggddgdggd

ଜଗନ୍ନାଥନଗର ରାସ୍ତା ଦିନେ କାମ ହେଲେ ଦୁଇଦିନ ବନ୍ଦ 
ଜଗନ୍ନାଥନଗର ଏକ ନମ୍ବର ରୋଡ୍‌ ଯାହା ଜଗନ୍ନାଥନଗରରୁ ପ୍ରଜାପତି ବିବାହମଣ୍ଡପକୁ ସଂଯୋଗ କରୁଛି,  ତାହା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଏହି ରାସ୍ତା ବି ଅତି ଶୋଚନୀୟ ଅବସ୍ଥାରେ ପଡ଼ିଛି। ସାମାନ୍ୟ ବର୍ଷାରେ ରାସ୍ତା ଦେଇ ଯାତାୟାତ କରିବା ମୁସ୍କିଲ୍‌। କାଦୁଅ ପଚପଚ ହେଉଥିବାବେଳେ ଆଣ୍ଠୁଏ ଉଚ୍ଚ ପାଣି ଜମୁଛି। କିନ୍ତୁ ପୂର୍ତ୍ତ ବିଭାଗ ମରାମତି ଆଳରେ ଏହି ରାସ୍ତାକୁ ଖୋଳି ଦେଇ ବର୍ଷ ବର୍ଷ ଧରି ଅଧପନ୍ତରିଆ ଅବସ୍ଥାରେ ପକାଇ ରଖିଛି। ଏଣୁ ବର୍ଷା ହେଲେ ଲୋକେ ଘରୁ ବାହାରି ପାରୁନାହାନ୍ତି। ସେପଟେ ରାସ୍ତାକୁ ଏଭଳି ତାଡ଼ି ଦିଆଯାଇଛି ଯେ ବଡ଼ଗାଡ଼ି ତ’ ଦୂରର କଥା ବାଇକ୍‌ରେ ଯିବା ବି କଷ୍ଟକର ହୋଇପଡ଼ିଛି। ଅପରପକ୍ଷେ ପୂର୍ତ୍ତ ବିଭାଗ ଏବେ ଏଠାରେ ନାଳ ଓ ରାସ୍ତା ନିର୍ମାଣ କରୁଛି। ଏହି କାମ ବର୍ଷା ପୂର୍ବରୁ ହୋଇପାରିଥାନ୍ତା। କିନ୍ତୁ ବର୍ଷା ବେଳେ ଏହି ନାଳ ନିର୍ମାଣ ପାଇଁ ରାସ୍ତାକୁ ପ୍ରାୟ ୧୫ ଫୁଟ ଖୋଳି ଦିଆଯାଇଛି। ଯାହା ଜଗନ୍ନାଥନଗର ଓ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ବିପଦ ସାଜିଛି। ବର୍ଷା ହେଲେ ଏହି ନାଳରେ ପଡ଼ି ମୃତାହତ ହେବା ଆଶଙ୍କା ରହିଛି। ସେପଟେ ବର୍ଷା ବେଳେ ନାଳର ତାଳିପକା କାମ କରି ପୂର୍ତ୍ତ ବିଭାଗ ଠକିବାର ବାଟ ତିଆରୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ସତ୍ୟନଗର ଓଭରବ୍ରିଜ୍‌ଠାରୁ ପୁରୀ ବାଇପାସ୍‌ ରାସ୍ତା, ରାସ୍ତା ତାଡ଼ିଦେଇ ଭୁଲିଗଲେ
ଝାରପଡ଼ା ଜେଲ୍‌ରୋଡ୍‌ ରାଜଧାନୀର ଏକ ପ୍ରମୁଖ ରାସ୍ତା। ବିଶେଷ କରି ୩୧୬ ନମ୍ବର ଜାତୀୟ ରାଜପଥର ସତ୍ୟନଗର ଓଭରବ୍ରିଜ୍‌ଠାରୁ ଝାରପଡ଼ା ଜେଲଛକ, ଦୁର୍ଗାମଣ୍ଡପ- ଗଣେଶ ମଣ୍ଡପ ‌-ଝାରପଡ଼ା ଗାଁ ଦେଇ ପୁରୀ ବାଇପାସ୍‌ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଉପରେ ପ୍ରାୟ ୨୦ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି।  କିନ୍ତୁ ପୂର୍ତ୍ତ ବିଭାଗ ଅଧୀନ ଏହି ରାସ୍ତା ୩ ବର୍ଷ ହେଲାଣି ଖରାପ ହୋଇପଡ଼ିଛି। ରାସ୍ତାସାରା ଖାଲଖମା ଭରି ରହିଛି। ବର୍ଷ ବର୍ଷ ଧରି ମରାମତି ନ ହେବାରୁ ପିଚୁ ଉଠି ରାସ୍ତା ସାରା ଗୋଡ଼ି ଚରିଗଲାଣି। ସାମାନ୍ୟ ଅନ୍ୟମନସ୍କ ହେଲେ ଗାଡ଼ି ଖସି ଚାଳକ ଖଣ୍ଡିଆଖାବରା ହେଉଛନ୍ତି। କେବଳ ସେତିକି ନୁହେଁ, ରାସ୍ତା ମରାମତି ଆଳରେ କେତେକ ଭଲ ରାସ୍ତାକୁ ଖୋଳି ଦିଆଯାଇଥିବାରୁ ଲୋକେ ଯମଯନ୍ତ୍ରଣା ଭୋଗୁଛନ୍ତି। ଓଭରବ୍ରିଜ୍‌ଠାରୁ ଝାରପଡ଼ା ଜେଲଛକ ପର୍ଯ୍ୟନ୍ତ ରାସ୍ତାରୁ ପିଚୁ ତାଡ଼ି ଦିଆଯାଇଛି। କିନ୍ତୁ ମରାମତି ହେଉନି। ବର୍ଷା ଦିନେ ପୁଚୁ ରାସ୍ତା କମା ହେଲେ ଏହାର ସ୍ଥାୟିତ୍ବ ପ୍ରତି ମଧ୍ୟ ଆଶଙ୍କା ରହିଛି। ଏଭଳି ଅବ୍ୟବସ୍ଥା  ଯୋଗୁ ପ୍ରତିଦିନ ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାକୁ ନେଇ ଅନେକ ଥର ଲୋକେ ଭୁବନେଶ୍ବର ମହାନଗର ନିଗମ ଓ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କଲେଣି। ପୂର୍ତ୍ତ ବିଭାଗର ଜଣେ ଯନ୍ତ୍ରୀ କହିଛନ୍ତି, ଏହି ରାସ୍ତାର ଟେଣ୍ଡର ଦିଆଯାଇଛି। କିନ୍ତୁ ଠିକାଦାର ଟେଣ୍ଡର ନେଇ ଆଉ ଧରାଛୁଆଁ ଦେଉନି।