‘ମୋ ସାଇକେଲ୍‌’ ବିକିବା ଘଟଣା: କାହା ଚାପରେ ପୁଲିସ, ବିଏସ୍‌ସିଏଲ୍‌ ଚୁପ୍‌?

ହେକ୍ସି ସହ ସମ୍ପର୍କ ଛିନ୍ନ କଲା ବିଏସ୍‌ସିଏଲ୍‌, ‘ୟାନା’ ସହ ସାନି ଚୁକ୍ତି

ଭୁବନେଶ୍ବର: ୩ଶହ ‘ମୋ ସାଇକେଲ୍‌’କୁ କବାଡ଼ିଆକୁ ବିକି ଦେଇଥିଲା ସାଇକେଲ୍‌ ଯୋଗାଇଥିବା ସଂସ୍ଥା ହେକ୍ସି। ଏହି ପ୍ରସଙ୍ଗ ବେଶ୍‌ କିଛିଦିନ ଚର୍ଚ୍ଚାରେ ରହିଲା। ହେକ୍ସି ନାମରେ ସହିଦନଗର ଥାନାରେ ମଧ୍ୟ ଏତଲା ଦେଲା ବିଏସ୍‌ସିଏଲ୍‌। ପୁଲିସ ବି କବାଡ଼ିଆ ଗୋଦାମରେ ଚଢ଼ଉ କରି କଟା ସରିଥିବା ସାଇକେଲର ଅଂଶବିଶେଷ ଜବତ କଲା। ଦିଲ୍ଲୀରୁ ସଂସ୍ଥାର ମୁଖିଆ ଆସିଲେ। ସହିଦନଗର ଥାନାରେ ବସି ଥାନାବାବୁଙ୍କ ସହ କଥା ବି ହେଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହେଲାନି। ପୁଲିସ କଥାବାର୍ତ୍ତା କରି ଛାଡ଼ିଦେଲା।

ଏବେ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ହେକ୍ସି ସହ ହୋଇଥିବା ଚୁକ୍ତିକୁ ବାତିଲ କରିଛନ୍ତି। ନା ଜରିମାନା ଆଦାୟ କରିଛନ୍ତି ନା କୌଣସି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ବରଂ ହେକ୍ସିକୁ ଯେଉଁ ୧ ହଜାର ସାଇକେଲ୍‌ ଫେରାଇବାକୁ କହିଥିଲେ ତାହା ମଧ୍ୟ ସେ କରି ନାହିଁ। ଏବେ ୟାନା ଏହି ପୁରୁଣା ସାଇକେଲ୍‌କୁ ଗୋଟାଇ ମରାମତି କରୁଛି। ୫ଶହ ମରାମତି ସରିଲାଣି। ଆଉ ୫ଶହ ମରାମତି କରି ରାଜଧାନୀ ରାସ୍ତାରେ ଗଡ଼ାଇବାକୁ ଯୋଜନା କରୁଛି। ପ୍ରଶ୍ନ ଉଠୁଛି, କ’ଣ ଏମିତି ହେଲା ଯେ, ଖୋଦ୍‌ କର୍ତ୍ତୃପକ୍ଷ ଥାନାରେ ଏତଲା ଦେବା ପରେ ବି ପୁଲିସ ବାନ୍ଧିବା ପାଇଁ ସାହସ ଜୁଟାଇ ପାରିଲା ନାହିଁ? କର୍ତ୍ତୃପକ୍ଷଙ୍କ ହାତରେ ଯଥେଷ୍ଟ କ୍ଷମତା ଥିଲେ ମଧ୍ୟ ସେ କାର୍ଯ୍ୟାନୁଷ୍ଠାନ ନେଇ ପାରିଲେ ନାହିଁ। ଆଉ ଗୋଟିଏ ବଡ଼ କଥା ହେଉଛି ଏହି ସଂସ୍ଥା ପୂର୍ବରୁ ଏକାଧିକ ବାର ଅବହେଳା ପ୍ରଦର୍ଶନ କରିଥିବାରୁ କର୍ତ୍ତୃପକ୍ଷ ସଂସ୍ଥା ଉପରେ ୯୫ ହଜାର ଟଙ୍କାର ଜରିମାନା କଷିଥିଲେ। ହେଲେ ତାହା ମଧ୍ୟ ସଂସ୍ଥା ଜମା କଲା ନାହିଁ। ନା ପୁରୁଣା ଜରିମାନା ଦାଖଲ କଲା ସଂସ୍ଥା, ନା କର୍ତ୍ତୃପକ୍ଷ ଏହି ଚୋରି ପାଇଁ ନୂଆ ଜରିମାନା ଧାର୍ଯ୍ୟ କଲେ। ହେକ୍ସି ଉପରେ ପୁଲିସ ଓ ବିଏସ୍‌ସିଏଲ୍‌ କ’ଣ ପାଇଁ ଏଭଳି ଅନୁକମ୍ପା ଦେଖାଇଲେ? ହେକ୍ସି ମୁଣ୍ଡ ଉପରେ କାହାର ହାତ ଥିଲା ଯେ, ଉଭୟ ପୁଲିସ ଓ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଡରିଗଲେ? ଏ ସବୁ ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ। ଏଭଳି ଯାବତୀୟ ପ୍ରଶ୍ନର ଉତ୍ତରରେ ନିରବ ରହିଛନ୍ତି ଉଭୟ କର୍ତ୍ତୃପକ୍ଷ।

ମୋ ସାଇକେଲ୍‌କୁ ବିଏସ୍‌ସିଏଲ୍‌ କର୍ତ୍ତୃପକ୍ଷ ଗୋଟା ପିଛା ୨୫ହଜାର ଟଙ୍କା ଦେଇ କିଣିଥିଲେ। ସାଇକେଲ୍‌ର ଏଭଳି ଚଢ଼ା ଦରକୁ ନେଇ ସେତେବେଳେ ବିବାଦ ଉଠିଥିଲା। ସାଇକେଲ୍‌ କିଣିବାରେ ମୋଟା ଅଙ୍କର ‘କିକ୍‌ବ୍ୟାକ୍‌’କୁ ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ସାଇକେଲ୍‌ ଦର ଠାରୁ ମରାମତି ଓ ପରିଚାଳନା ପାଇଁ ସାଇକେଲ୍‌ ପିଛା ଖର୍ଚ୍ଚ ମଧ୍ୟ ବଳି ଯାଇଥିଲା। ସାଇକେଲ ପିଛା ମରାମତି ବାବଦକୁ ବିଏସ୍‌ସିଏଲ୍‌ ୫ ହଜାର ଟଙ୍କା ଦେଉଥିଲା। ଅର୍ଥାତ୍‌ ଯଦି କେବଳ ହେକ୍ସି କଥା ଆମେ ବିଚାରକୁ ନେବା ତେବେ ହେକ୍ସି ଠାରୁ ପ୍ରଥମେ କ୍ରୁଟ୍‌(କ୍ୟାପିଟାଲ ରିଜିଅନ୍ ଅର୍ବା୍‌ ଟ୍ରାନ୍‌ସ୍‌ପୋର୍ଟ) ୨କୋଟି ୫୦ ଲକ୍ଷ ଟଙ୍କାର ସାଇକେଲ୍‌ କିଣିଥିଲା ଓ ବର୍ଷକୁ ମରାମତି ବାବଦରେ ୫ ଲକ୍ଷ ଟଙ୍କା ଦେଉଥିଲା। ପରେ ବିଏସ୍‌ସିଏଲ୍‌ ହାତକୁ ମୋ ସାଇକେଲ୍‌ ପରିଚାଳନା ଦାୟିତ୍ବ ଆସିଥିଲା। ବାରମ୍ବାର ଅବହେଳା କରିଚାଲିଥଲେ ମଧ୍ୟ ହେକ୍ସି ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିଲା।
ଶେଷରେ ଗତ ଜୁଲାଇ ମାସରେ ହେକ୍ସି କୋଟି କୋଟି ଟଙ୍କା ଦେଇ କ୍ରୁଟ୍‌ କିଣିଥିବା ସାଇକେଲ୍‌କୁ କବାଡ଼ିଆକୁ କେଜି ପିଛା ୪୦ଟଙ୍କାରେ ବିକି ଦେଇଥିଲା। ଏମ୍‌ସ ନିକଟବର୍ତ୍ତୀ ରେହମତନଗର ବସ୍ତିରେ ଶତାଧିକ ମୋ ସାଇକେଲ୍‌କୁ ଗ୍ୟାସ୍‌ କଟର୍‌ରେ କଟା ଚାଲିଥିବ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ହଟଚମଟ ହୋଇଥିଲା। ମାମଲା ଥାନାକୁ ଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଏବେ ହେକ୍ସି ସହ ସମ୍ପର୍କ ତୁଟାଇ ବିଦା କରି ଦିଆଯାଇଥିବାରୁ ଆଉ କାର୍ଯ୍ୟାନୁଷ୍ଠାନ ପ୍ରଶ୍ନ ମଧ୍ୟ ଉଠୁନାହିଁ।

ଭୁବନେଶ୍ବର: କବାଡ଼ିଆଙ୍କୁ ‘ମୋ ସାଇକେଲ୍‌’ ବିକ୍ରି ପ୍ରସଙ୍ଗରେ ହେକ୍ସି ସହ ସମ୍ପର୍କ ଛିନ୍ନ କରିଛି ବିଏସ୍‌ସିଏଲ୍‌(ଭୁବନଶ୍ବେର ସ୍ମାର୍ଟ ସିଟି ଲିମିଟେଡ୍)। କର୍ତ୍ତୃପକ୍ଷଙ୍କ ଅଗୋଚରରେ ସାଇକେଲ୍‌ ବିକି ଦେବାରୁ ହେକ୍ସି ସହ ହୋଇଥିବା ଚୁକ୍ତିନାମା ବାତିଲ ହୋଇଛି। ହେକ୍ସି ସଂସ୍ଥା ଆଉ ସାଇକେଲ୍‌ ଯୋଗାଇବ ନାହିଁ କିମ୍ବା ମରାମତି କରିପାରିବ ନାହିଁ। ଏଥିପାଇଁ ପୂର୍ବରୁ ସାଇକେଲ୍‌ ଯୋଗାଇଥିବା ସଂସ୍ଥା ‘ୟାନା’ ସାଇକେଲ୍‌ର ରକ୍ଷଣାବେକ୍ଷଣ କରିବ। ପୂର୍ବରୁ ଏହି ସଂସ୍ଥା ୫ଶହ ସାଇକେଲ ଯୋଗାଇଥିଲା। ଏବେ ହେକ୍ସିର ଏକ ହଜାର ଏଭଳି ଦେଢ଼ ହଜାର ସାଇକେଲ୍‌ର ରକ୍ଷଣାବେକ୍ଷଣ କରିବ ୟାନା। ଏଥିପାଇଁ ୟାନା ସହ ସାନି ଚୁକ୍ତି ହୋଇଛି। ପ୍ରତ୍ୟେକ ଦିନ ଯେଭଳି ଚୁକ୍ତି ମୁତାବକ ସାଇକେଲ୍‌ ରାସ୍ତା କଡ଼ରେ ରହିବ ସେ ନେଇ ସଂସ୍ଥା ନିଶ୍ଚିତ କରିବାକୁ କୁହାଯାଇଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ହେକ୍ସି ଦେଇଥିବା ୫ଶହ ପୁରୁଣା ସାଇକେଲ୍‌କୁ ୟାନା ମରାମତି କରିଛି। ପରେ ଆଉ ୫ଶହ ସାଇକେଲ୍‌କୁ ଚଳନକ୍ଷମ କରିବା ପରେ ରାସ୍ତା କଡ଼ରେ ରଖିବା ପାଇଁ ନିଷ୍ପତ୍ତି ହୋଇଛି।

ଏ ନେଇ ବିଏସ୍‌ସିଏଲ୍‌ ସିଇଓ ସଞ୍ଜୟ ସିଂ କହିଛନ୍ତି, ‘ମୋ ସାଇକେଲ୍‌’ ପ୍ରତି ଜନସାଧାରଣଙ୍କର ବେଶ୍‌ ଆଗ୍ରହ ରହିଛି। କରୋନା ସମୟରେ ମଧ୍ୟ ଲୋକ ମୋ ସାଇକେଲ୍‌ ବ୍ୟବହାର କରିଛନ୍ତି। ଆଗକୁ ମଧ୍ୟ କିଭଳି ମୋ ସାଇକେଲ୍‌ର ଚାହିଦା ଆହୁରି ବଢ଼ିବ ସେ ନେଇ ଉଦ୍ୟମ କରାଯାଉଛି। ହେକ୍ସି ସାଇକେଲ୍‌ ସହ ହୋଇଥିବା ବିବାଦକୁ ନେଇ ମୋ ସାଇକେଲ ବ୍ୟବସ୍ଥା କିଛି ଦିନ ପ୍ରଭାବିତ ହୋଇଥିଲା। ୫ ମାସ ମଧ୍ୟରେ ଏହାକୁ ବ୍ୟବସ୍ଥିତ କରିବା ପାଇଁ ଆମେ ସକ୍ଷମ ହୋଇଛୁ ବୋଲି ଶ୍ରୀ ସିଂ କହିଛନ୍ତି। ଏ ନେଇ ବିଏସ୍‌ସିଏଲ୍‌ ଜିଏମ୍‌ କମଲଜିତ ଦାସ କହିଛନ୍ତି, ଗତ ୭ ଦିନରେ ୨ହଜାର ୫୩୨ ମୋ ସାଇକେଲ୍‌ ବୁକିଂ ହୋଇଛି। ଅର୍ଥାତ୍‌ ପ୍ରତ୍ୟେକ ଦିନ ୩ଶହରୁ ଊର୍ଦ୍ଧ୍ବ ମୋ ସାଇକେଲ୍‌ ବ୍ୟବହାର ହେଉଛି। ଏଭଳି ଚାହିଦାକୁ ଆଖି ଆଗରେ ରଖି ପ୍ରତ୍ୟେକ ଦିନ ଧାର୍ଯ୍ୟ ସଂଖ୍ୟକ ସାଇକେଲ୍‌ ରାସ୍ତାକଡ଼ରେ ପୂର୍ବ ନିର୍ଦ୍ଧାରିତ ଜାଗାରେ ରଖାଯିବ। ସାଇକେଲ୍‌ ପ୍ରତି ଆଗ୍ରହ ବଢ଼ିବା ପାଇଁ ନିୟମିତ ବ୍ୟବଧାନରେ ସାଇକ୍ଲୋ‌ଥୋନ୍‌ ଆୟୋଜନ କରାଯାଉଛି। ନୂଆ ସାଇକେଲ୍‌ ଟ୍ରାକ୍‌ ପ୍ରସ୍ତୁତି ପାଇଁ ମଧ୍ୟ ଯୋଜନା ରହିଥିବା ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ୨୦୧୮ ନଭେମ୍ବର ୧୮ରେ ମୋ ସାଇକେଲ୍‌ ବ୍ୟବସ୍ଥାକୁ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ। ମୋଟ ୨ ହଜାର ସାଇକେଲ୍‌ରୁ ହେକ୍ସି ବାଇକ୍ ୧୦୦୦ଟି ଯୋଗାଇ ଥିବାବେଳେ ୟାନା ଓ ୟୁଲୁ ସଂସ୍ଥା ୫୦୦ ଲେଖାଏ ସାଇକେଲ୍‌ ଯୋଗାଇଥିଲେ। ଆପ୍‌ ଜରିଆରେ ବୁକିଂ କରି ଲୋକମାନେ ଏହି ସାଇକେଲ୍‌ ଚଳାଇବା ପାଇଁ ସୁଯୋଗ ପାଉଥିଲେ।

ସମ୍ବନ୍ଧିତ ଖବର