‘ସମ୍ବାଦ’ ଆଶଙ୍କା ସତ ହେଲା: ବାଣୀବିହାରରେ ପଶ୍ଚିମବଙ୍ଗ ଶ୍ରମିକଙ୍କୁ କରୋନା

ପଶ୍ଚିମବଙ୍ଗରୁ ଆସିଥିଲେ, ଠିକାଦାର ସଂସ୍ଥା ଲୁଚାଇଥିଲା, କ୍ୟାମ୍ପସ୍‌ ରାସ୍ତାକୁ ବିଶୋଧନ କଲା ଅଗ୍ନିଶମ ବିଭାଗ

ଭୁବନେଶ୍ବର: ‘ସମ୍ବାଦ’ ଆଶଙ୍କା ସତ ହେଲା। ଉତ୍କଳ ବିଶ୍ବବିଦ୍ୟାଳୟରୁ ବାହାରିଲେ କରୋନା ଆକ୍ରାନ୍ତ। ଗତ ଜୁନ୍‌ ୧୧ ତାରିଖରେ କ୍ୟାମ୍ପସକୁ ଆସିଥିବା ୨୬ଜଣ ପଶ୍ଚିମବଙ୍ଗ ଶ୍ରମିକଙ୍କ ମଧ୍ୟରୁ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗତକାଲି ଏନେଇ କ୍ୟାମ୍ପସରେ ଚର୍ଚ୍ଚା ହେଉଥିବା ବେଳେ ଆଜି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଆକ୍ରାନ୍ତ ବ୍ୟକ୍ତିଜଣକ ୩୩ ବର୍ଷୀୟ ଯୁବକ। ୧୧ତାରିଖରେ ସେ ପଶ୍ଚିମବଙ୍ଗରୁ ଆସିଥିଲେ। ସେବେଠାରୁ ବାଣୀବିହାର କ୍ୟାମ୍ପସରେ ରହି ଆସୁଥିଲେ। ତାଙ୍କଠାରୁ କରୋନା ଭୂତାଣୁ ଚିହ୍ନଟ ହେବା ପରେ ତାଙ୍କ ସହ ଗୋଟିଏ ରୁମ୍‌ରେ ରହୁଥିବା ଅନ୍ୟ ଶ୍ରମିକମାନଙ୍କୁ ନେଇ ବି ଆଶଙ୍କା ବଢ଼ିଯାଇଛି। ସମସ୍ତ ୨୬ଜଣ ବଙ୍ଗାଳୀ ଶ୍ରମିକ ଗୋଟିଏ ଘରେ ରହୁଥିବା ବେଳେ ପରସ୍ପର ସହ ମିଶୁଥିଲେ। ଏମିତିକି ଗୋଟିଏ ଶୌଚାଳୟ ବ୍ୟବହାର କରୁଥିଲେ। ଏକାଠି ବସି ଖାଉଥିଲେ। ଅନ୍ୟମାନଙ୍କ ରି‌ପୋର୍ଟ ନେଗେଟିଭ୍‌ ଆସିଥିଲେ ମଧ୍ୟ ଆଗକୁ କ’ଣ ହେବ, ତାହାକୁ ନେଇ ସେମାନଙ୍କ ଭୟର ବାତାବରଣ ଖେଳିଯାଇଛି।

ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଶ୍ରମିକମାନେ ୧୧ଦିନ ତଳେ ପଶ୍ଚିମବଙ୍ଗରୁ ଆସିଥିଲେ ମଧ୍ୟ ସମ୍ପୃକ୍ତ ଠିକାସଂସ୍ଥା ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଏହି ଖବରକୁ ଲୁଚାଇଥିଲେ। ୨୬ ଜଣ ବଙ୍ଗାଳୀ ଶ୍ରମିକ ଅନୁଗୁଳ ଓ ସମ୍ବଲପୁରରେ କାମ କରୁଥିଲେ। ସେଠାରେ କାମ ସରିଯିବାରୁ ଏଠାକୁ ଆସିଥିବା ଉଭୟ କହିଥିଲେ। ଶ୍ରମିକଙ୍କ ସମ୍ପର୍କରେ ବାରମ୍ବାର ଖବର ପ୍ରକାଶିତ ହେଉଥିଲେ ମଧ୍ୟ ବିଏମ୍‌ସି କର୍ତୃପକ୍ଷ ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦେଇ ନଥିଲେ। ପଶ୍ଚିମବଙ୍ଗରୁ ଆସିଥିବା ଶ୍ରମିକମାନେ କ୍ୟାମ୍ପସରେ ରହିଥିଲେ ମଧ୍ୟ ବିଏମ୍‌ସି ପକ୍ଷରୁ ସେଠାରେ କ୍ବାରାଣ୍ଟିନ୍‌ ବୋର୍ଡ ଲଗାଯାଇ ନଥିଲା। ଯଦି ରାଜ୍ୟ ବାହାରୁ କୌଣସି ପ୍ରବାସୀ ଓଡ଼ିଆ ଆସୁଛନ୍ତି, ତେବେ ତାଙ୍କୁ ପଞ୍ଜୀକରଣ କରିବାକୁ ପଡ଼ୁଛି। ଅଲଗା ଅଲଗା ଭାବେ ତାଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଉଛି। ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ହେଉଛି। ତେବେ ଏମାନଙ୍କ କ୍ଷେତ୍ରରେ କାହିଁକି ନିୟମ ଲାଗୁ ହେଲା ନାହିଁ। ଶ୍ରମିକଙ୍କ ତଥ୍ୟ ଲୁଚାଇଲା କିଏ? ସେମାନେ ପଶ୍ଚିମବଙ୍ଗରୁ ଆସିଥିବା ସମସ୍ତେ ଜାଣିଥିଲେ ମଧ୍ୟ ଅଲଗା ଅଲଗା କ୍ବାରାଣ୍ଟିନ୍‌ରେ ରଖାଗଲା ନାହିଁ କାହିଁକି? ଠିକାଦାରଙ୍କୁ ସୁହାଇବାକୁ ଯାଇ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ଓ ବିଏମ୍‌ସିର ଅଧିକାରୀ ସବୁ ଜାଣି ଚୁପ୍‌ ରହିଥି‌ଲେ। ଯେଉଁଥିପାଇଁ କ୍ୟାମ୍ପସ୍‌ରେ ରହୁଥିବା ଶତାଧିକ ଅନ୍ତେବାସୀଙ୍କ ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି।

ଗତକାଲି କରୋନା ଆକ୍ରାନ୍ତ ବାହାରିବା ପରେ ବିଏମ୍‌ସିର ଅଧିକାରୀମାନେ ତତ୍ପରତା ଦେଖାଇବା ସହ ସଙ୍ଗେ ସଙ୍ଗେ ପହଞ୍ଚି ସେଠାରେ କ୍ବାରାଣ୍ଟିନ୍‌ ବୋର୍ଡ ଲଗାଇଥିଲେ। କେବଳ ସେତିକି ନୁହେଁ, ବିଶ୍ବବିଦ୍ୟାଳୟ ଖୋଲିଥିଲେ ମଧ୍ୟ ବିଶୋଧନ କରାଯାଇ ନଥିଲା। ଏହାକୁ ନେଇ ବି ଅନ୍ତେବାସୀମାନେ ବାରମ୍ବାର ସ୍ବର ଉଠାଇଥିଲେ। ତା’ ପରେ ବି ସୁଫଳ ମିଳି ନଥିଲା। ଏବେ କରୋନା ଆକ୍ରାନ୍ତ ବାହାରିବା ପରେ ଆଜି ସକାଳୁ ଅଗ୍ନିଶମ ବିଭାଗ ପକ୍ଷରୁ କ୍ୟାମ୍ପସରେ ବିଶୋଧନ କରାଯାଇଥିଲା। ମୁଖ୍ୟ ଫାଟକଠାରୁ ଆରମ୍ଭ କରି କରୋନା ଚିହ୍ନଟ ହୋଇଥିବା ସ୍ଥାନ, ରାସ୍ତା, ନିକଟରେ ଥିବା କିଛି ବିଲ୍‌ଡିଂକୁ ବିଶୋଧନ କରାଯାଇଛି। ତେବେ କୌଣସି ସ୍ଥାନକୁ ସିଲ୍‌ କରାଯାଇ ନାହିଁ। ଶ୍ରମିକଙ୍କ ଦ୍ବାରା ଚା‌ଲିଥିବା ରୁସା ଭବନ ନିର୍ମାଣକୁ ବି ବନ୍ଦ କରାଯାଇ ନାହିଁ। ବିଲ୍‌ଡିଂ ବାହାରେ କାମ ହେଉ ନ ଥିବା ବେଳେ ଭିତରେ କିଛି କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଥିଲା। ଯେତେବେଳେ କି ପୂର୍ବରୁ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଦୁଇ ଜଣ ବ୍ୟକ୍ତିଙ୍କ ପାଇଁ ୩ଟି ପିଜି ବିଭାଗ ସିଲ୍‌ ହେବା ସହ ଗୋବିନ୍ଦ ସାହୁ ମାର୍କେଟ୍‌ରେ ବି ତାଲା ପଡ଼ିଥିଲା। ବର୍ତମାନ ସମୟରେ ବିଏମ୍‌ସି କିମ୍ବା ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କାହିଁକି କାମ ବନ୍ଦ କରୁନାହାନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର