ଭୁଶୁଡ଼ି ପଡ଼ିଛି ପରିମଳ ବ୍ୟବସ୍ଥା, ଭିଙ୍ଗାରପୁର ସ୍ବାସ୍ଥ୍ୟକେନ୍ଦ୍ରରେ ନାଗ ଆତଙ୍କ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ନାଗ ସାପ ଆତଙ୍କ ଖେଳି ଯାଇଥିଲା। ବେଙ୍ଗ ଗିଳିଥିବା ଏକ ବଡ଼ ନାଗ ସାପ ଲୋକଙ୍କ ପାଖକୁ ମାଡ଼ି ଯିବାରୁ ଡାକ୍ତରଖାନାର କର୍ମଚାରୀ ଓ ଚିକିତ୍ସା ପାଇଁ ଅପେକ୍ଷା କରିଥିବା ଲୋକମାନେ ଭୟରେ ଏଣେତେଣେ ଧାଁ ଧଉଡ଼ କରିଥିଲେ। ସୌଭାଗ୍ୟକୁ ସାପଟି କାହାର କିଛି କ୍ଷତି କରିନଥିଲା ଓ ପୁଣି ନିକଟସ୍ଥ ବଣ ଭିତରକୁ ପଳାଇଥିଲା। ତେବେ ଡାକ୍ତରଖାନା ପରିସରରେ ସାପ ବସା ବାନ୍ଧି ରହୁଥିବାରୁ ଲୋକେ ଏହାର ପରିମଳ ବ୍ୟବସ୍ଥା ଉପରେ ଆପତ୍ତି ଉଠାଇଛନ୍ତି।

ଲୋକଙ୍କ ଅଭିଯୋଗ ଅନୁସାରେ, ଏହି ଉପସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ଏବେ ପୂରା ଅସ୍ବାସ୍ଥ୍ୟକର। ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପରିସରରେ ଅନାବନା ଗଛଲତା ଭର୍ତି ହୋଇଯାଇଛି। ଆଉଟ୍‌ଡୋରଠାରୁ ଆରମ୍ଭ କରି ଡାକ୍ତରଙ୍କ କ୍ବାର୍ଟର, ଫାର୍ମାସିଷ୍ଟ କ୍ବାର୍ଟର ଓ ଏଏନ୍‌ଏମ୍‌ କ୍ବାର୍ଟର ଉପରେ ଗଛଲତା ମାଡ଼ି ଗଲାଣି। ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା ଦାୟିତ୍ବରେ ଥିବା ରୋଗୀ କଲ୍ୟାଣ ସମିତି (ଆରକେଏସ୍‌) ପକ୍ଷରୁ ପରିସର ସଫା କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ। ତେଣୁ ବଣବୁଦାରେ ଭର୍ତ୍ତି ଏହି ସ୍ବାସ୍ଥ୍ୟକେନ୍ଦ୍ର ପରିସର ବିଷଧର ସାପ, ଗୋଧି ଆଦି ସରୀସୃପଙ୍କ ବାସସ୍ଥାନ ପାଲଟିଛି। ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏଭଳି ଅସ୍ବାସ୍ଥ୍ୟକର ହୋଇପଡ଼ିଥିବାରୁ କ୍ବାର୍ଟରରେ ଡାକ୍ତର, ଫାର୍ମାସିଷ୍ଟ, ନର୍ସ ଓ ଏଏନ୍‌ଏମ୍‌ ରହିବାକୁ ଡରୁଛନ୍ତି। ଡାକ୍ତର ଏବଂ ଅନ୍ୟ କର୍ମଚାରୀମାନେ ରହୁନଥିବାରୁ ଜରୁରୀକାଳୀନ ଚିକିତ୍ସା ଲୋଡ଼ୁଥିବା ରୋଗୀମାନେ ଅନ୍ୟତ୍ର ଯିବାକୁ ବାଧ୍ୟ ହେଉଛନ୍ତି। ଏହି ସମସ୍ୟା ସଂପର୍କରେ ଡାକ୍ତରଖାନା ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ତନ୍ମୟ ତ୍ରିପାଠୀଙ୍କୁ ପଚାରିବାରୁ, ଖୁବ୍‌ଶୀଘ୍ର ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଆୟୁର୍ବେଦିକ ଔଷଧୀୟ ଚାରାରୋପଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର