ଭୁବନେଶ୍ବରର ୮୨ ହାଇସ୍କୁଲ ଖୋଲିଲା
ରମାଦେବୀରେ ପାଠପଢ଼ା, ବିଜେବିରେ ହେଲାନି
ଭୁବନେଶ୍ବର : ସମୟ ପୂର୍ବାହ୍ନ ୧୦ଟା। ଟଙ୍ଗ୍ ଟଙ୍ଗ୍ ହୋଇ ବାଜିଉଠିଲା ସ୍କୁଲ ଘଣ୍ଟି। ଛାତ୍ରଛାତ୍ରୀ କ୍ୟାମ୍ପସକୁ ପ୍ରବେଶ କଲେ। ସମସ୍ତଙ୍କ କାନ୍ଧରେ ଥାଏ ସ୍କୁଲ ବ୍ୟାଗ୍। ମନରେ ଭୟ ଓ ମୁହଁରେ ହସ। ହେଲେ ସବୁ ଆଶଙ୍କାକୁ ପାସୋରି ଆଗକୁ ବଢ଼ିଥିଲେ। ଦୀର୍ଘ ସାଢ଼େ ୯ ମାସ ପରେ ସହରର ବିଦ୍ୟାଳୟ ଖୋଲିବା ସମୟର ଦୃଶ୍ୟ ଥିଲା ଏମିତି।
ପିଲାଙ୍କୁ ପାଖରେ ପାଇ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମନ ବି କୁଣ୍ଢେମୋଟ ହୋଇଯାଇଥିଲା। ଦେଖିବା ପରେ ସେମାନଙ୍କ ପାଟିରୁ କଥା ବାହାରି ନଥିଲା। ନିଜର ପ୍ରିୟ ପିଲାମାନଙ୍କୁ ସ୍ବାଗତ କରିବା ଲାଗି ସେମାନେ ବି ସକାଳୁ ଲାଗି ପଡ଼ିଥିଲେ। କ୍ୟାମ୍ପସକୁ ଫୁଲରେ ସଜେଇ କ୍ଲାସରୁମ୍କୁ ପାଛୋଟି ନେବାକୁ ସବୁ ପ୍ରକାର ପ୍ରୟାସ କରିଥିଲେ। କେଉଁ କ୍ୟାମ୍ପସରେ ପିଲାଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା ତ ଆଉ କେଉଁଠି ଚକଲେଟ୍। କରୋନା ଭୟ ମଧ୍ୟରେ ପିଲାମାନେ ବି ଗୁରୁଜୀ, ଗୁରୁମାଙ୍କ ପାଦ ଧରି ପ୍ରଣାମ କରିବାକୁ ଭୁଲି ନ ଥିଲେ। ଏମିତିକି କିଛି ପିଲା ବିଦ୍ୟାଳୟ ଗସ୍ତରେ ଯାଇଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ପାଦ ତଳେ ପ୍ରଣିପାତ କରିଥିଲେ।
ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ଅଞ୍ଚଳରେ ଥିବା ୬୦ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଭୁବନେଶ୍ବର ବ୍ଲକର ୨୨ଟି ବିଦ୍ୟାଳୟ ଆଜି ଖୋଲିଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସ୍କୁଲ ଖୋଲା ରହିଥିଲା। ତେବେ ଶିକ୍ଷକ/ଶିକ୍ଷୟିତ୍ରୀ ପୂର୍ବାହ୍ନ ୯ଟା ୩୦ ସୁଦ୍ଧା କ୍ୟାମ୍ପସରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ଅପେକ୍ଷା କରି ରହିଥିଲେ। ଅପରାହ୍ଣ ୪ଟା ୩୦ ପର୍ଯ୍ୟନ୍ତ କ୍ୟାମ୍ପସରେ ରହିଥିଲେ। ଗୋଟିଏ କ୍ଲାସରୁମ୍ରେ ୨୫ଜଣ ପିଲାଙ୍କୁ ବସିବାକୁ ସୁଯୋଗ ଦିଆଯାଇଥିଲା। ତା’ଠାରୁ ଅଧିକ ପିଲାଙ୍କୁ ଅନୁମତି ମିଳି ନ ଥିଲା। ଗୋଟିଏ ବେଞ୍ଚରେ ପୂର୍ବରୁ ୪ଜଣ ବସୁଥିବା ବେଳେ ଆଜି ମାତ୍ର ୨ ଜଣ ବସିଥିଲେ। ବେଞ୍ଚ ବେଞ୍ଚ ମଧ୍ୟରେ ପ୍ରାୟ ୪ ଫୁଟ୍ର ଦୂରତା ରଖାଯାଇଥିଲା। ଯେଉଁ ବିଦ୍ୟାଳୟରେ ଅଧିକ ଛାତ୍ରଛାତ୍ରୀ ରହିଛନ୍ତି, ସେଠାରେ ଏକାଧିକ କ୍ଲାସରୁମ୍ରେ ସେମାନଙ୍କୁ ବସାଯାଇଥିଲା। ସରକାରୀ ବିଦ୍ୟାଳୟଗୁଡ଼ିକରେ ଉପସ୍ଥାନ ୬୦% ଛୁଇଁଥିବା ସୂଚନା ମିଳିଛି।
ଆଶ୍ଚର୍ଯ୍ୟର କଥା ହେଉଛି ଯେ ଅଧିକାଂଶ ସ୍କୁଲ ଖୋଲିଥିଲେ ମଧ୍ୟ କେତେକ ଘରୋଇ ବିଦ୍ୟାଳୟରେ ଆଜି ବି ତାଲା ପଡ଼ିଥିଲା। ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସି ନ ଥିଲେ କି କ୍ଲାସ୍ ହୋଇନାହିଁ। ଅଳ୍ପ କିଛି ଘରୋଇ ବିଦ୍ୟାଳୟ ଖୋଲାଯାଇ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଛି। ଖୋଲିଥିବା ଘରୋଇ ବିଦ୍ୟାଳୟରେ ଉପସ୍ଥାନ ସାମାନ୍ୟ କମ୍ ରହିଥିବା ଜଣାପଡ଼ିଛି। ସୋମବାରଠାରୁ ସମସ୍ତ ଘରୋଇ ବିଦ୍ୟାଳୟ ଖୋଲିବ ବୋଲି ସୂଚନା ମିଳିଛି। ସେପଟେ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଆଜି ପାଠପଢ଼ା ହୋଇ ନ ଥିଲା। ଯେତେବେଳେ କି ରମାଦେବୀ ମହିଳା ଉଚ୍ଚ ବିଦ୍ୟାଳୟରେ ଆଜି ଛାତ୍ରୀଙ୍କ କ୍ଲାସରୁମ୍ ପାଠପଢ଼ା ହୋଇଛି।
ଥର୍ମାଲ ସ୍କ୍ରିନିଂ କରାଗଲା
ବିଦ୍ୟାଳୟକୁ ପ୍ରବେଶ ସମୟରେ ଥର୍ମାଲ୍ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଥିଲା। ସାମାଜିକ ଦୂରତା ରକ୍ଷା କରି ଛାତ୍ରଛାତ୍ରୀ କ୍ୟାମ୍ପସ ଭିତରକୁ ପ୍ରବେଶ କରିଥିଲେ। ଜଣଙ୍କ ପରେ ଜଣେ ଭିତରକୁ ପ୍ରବେଶ କରିଥିଲେ। ଏହାପରେ ହାତ ସାନିଟାଇଜ୍ କରିବାକୁ କୁହାଯାଇଥିଲା। ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଏବଂ ଶ୍ରେଶୀ ଗୃହଗୁଡ଼ିକରେ ସିଟ୍କୁ ସଠିକ୍ ଦୂରତ୍ୱରେ ରଖାଯାଇ ପାଠପଢ଼ା ଆରମ୍ଭ ହୋଇଥିଲା।
ଖୋଲିଲା ଆଇସୋଲେସନ୍ ରୁମ୍
ଅସୁସ୍ଥ ଛାତ୍ରଛାତ୍ରୀଙ୍କ ପାଇଁ ସହରର ସମସ୍ତ ସ୍କୁଲରେ ଆଇସୋଲେସନ୍ ରୁମ୍ର ବ୍ୟବସ୍ଥା ହୋଇଛି। ସରକାରୀ ସମେତ ଘରୋଇ ବିଦ୍ୟାଳୟଗୁଡ଼ିକ ଏହାକୁ କଡ଼ାକଡ଼ି ପାଳନ କରିଛନ୍ତି। ଏହି ରୁମ୍ରେ କୋଭିଡ୍-୧୯ ମୁକାବିଲା ନେଇ ସମସ୍ତ ପ୍ରକାର ସୁବିଧା ସୁଯୋଗ ରଖାଯାଇଛି। ଅସୁସ୍ଥ ଥିବା କିମ୍ବା ଅନୁଭବ କରୁଥିବା ଛାତ୍ରଛାତ୍ରୀ ବିଦ୍ୟାଳୟକୁ ନ ଆସିବାକୁ ଆଗୁଆ ପରାମର୍ଶ ଦିଆଯାଇଛି। ସାଇ ଇଣ୍ଟରନ୍ୟାସନାଲ ସ୍କୁଲରେ ଜଣେ ଡାକ୍ତରଙ୍କ ସମେତ ୪ ଜଣ ନର୍ସ, ୩ଟି ଆଇସୋଲେସନ୍ ରୁମ୍ କରାଯାଇଛି।
ଚକ୍ଲେଟ୍ ଦେଇ ସ୍ୱାଗତ
ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଆଜି ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଖୋଲିଛି। ପ୍ରଥମ ଦିନରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଫୁଲ, ଚନ୍ଦନ ସହ ଚକ୍ଲେଟ୍ ଦେଇ କ୍ୟାମ୍ପସକୁ ସ୍ୱାଗତ କରାଯାଇଛି। ପାଠପଢ଼ା ଆରମ୍ଭ ପୂର୍ବରୁ ଶିକ୍ଷକମାନେ କୋଭିଡ଼୍ର ଗାଇଡ୍ଲାଇନ୍ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ। ସ୍କୁଲ ପ୍ରତିଷ୍ଠାତା ବିଜୟ ସାହୁ ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ କୋଭିଡ଼୍ ନିୟମକୁ ଭଲ ଭାବେ ମାନିବା ସହ ଆଗାମୀ ଦିନରେ ନିଜର ପାଠପଢ଼ାକୁ ତ୍ୱରାନ୍ୱିତ କରି ବୋର୍ଡ଼ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।
ବିଶୋଧନ ପରେ ଗଡ଼ିଲା ବସ୍
ଦୀର୍ଘଦିନ ପରେ ପୁଣିଥରେ ଗଡ଼ିଛି ସ୍କୁଲ ବସ୍। ଘରୋଇ ବିଦ୍ୟାଳୟଗୁଡ଼ିକ ଆଜିଠାରୁ ବସ୍ ଚଳାଚଳ ଆରମ୍ଭ କରିଛନ୍ତି। ପିଲାଙ୍କୁ ଘର ନିକଟରୁ ଉଠାଇବା ସମୟରେ ହ୍ୟାଣ୍ଡ ସାଇଟାଇଜର ମାଧ୍ୟମରେ ସେମାନଙ୍କ ହାତ ଧୁଆ କରାଇଥିଲେ। ଓହ୍ଲାଇବା ସମୟରେ ବି ଧୋଇଥିଲେ। ବସ୍ କ୍ୟାମ୍ପସରୁ ଛାଡ଼ିବା ସମୟରେ ବିଶୋଧନ ହୋଇଥିଲା। ପହଞ୍ଚିବା ପରେ ବି ବିଶୋଧନ କରାଯାଇଥିଲା।
ଚଟାଣରେ ୱେଲ୍କମ୍
ସ୍କୁଲ ୧୦ଟାରେ ଖୋଲିବାକୁ ଥିବା ବେଳେ ଏହାର ଅଧଘଣ୍ଟା ପୂର୍ବରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ କ୍ୟାମ୍ପସରେ ପହଞ୍ଚି ଯାଇଥିଲେ। ଛାତ୍ରଛାତ୍ରୀ ଆସିବା କ୍ଷଣି ସେମାନଙ୍କୁ ସ୍ବାଗତ କରାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀମାନେ ଫାଟକ ନିକଟରେ ଉପସ୍ଥିତ ରହି ସାମାଜିକ ଦୂରତା ରକ୍ଷା କରିଥିଲେ। କେତେକ ବିଦ୍ୟାଳୟର ଶିକ୍ଷୟିତ୍ରୀ ୱେଲ୍କମ୍ ଲେଖି ପିଲାମାନଙ୍କୁ ସ୍ବାଗତ ଜଣାଇଥିଲେ। ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ପିଲାଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ ଜଣାଇଥିଲେ।
ମୁହଁରେ ମାସ୍କ
ପ୍ରଥମ ଥର ଲାଗି ଛାତ୍ରଛାତ୍ରୀ ମୁହଁରେ ମାସ୍କ ପିନ୍ଧି କ୍ଲାସରୁମ୍ରେ ବସିଥିଲେ। ଆଗକୁ କେବେ ବି ଏତେ ସମୟ ଧରି ସେମାନେ ମାସ୍କ ପିନ୍ଧି ନ ଥିଲେ। କରୋନା କବଳରୁ ରକ୍ଷା ପାଇବା ଲାଗି ସେମାନେ ମାସ୍କ ପିନ୍ଧିଥିବାରୁ ଖୁସି ବ୍ୟକ୍ତ କରିଥିଲେ। ପ୍ରବେଶଠାରୁ ପ୍ରସ୍ଥାନ ପର୍ଯ୍ୟନ୍ତ ସବୁ ପିଲାଙ୍କ ମୁହଁରେ ମାସ୍କ ରହିଥିଲା। ରଙ୍ଗ ବେରଙ୍ଗର ମାସ୍କ ପିନ୍ଧି ଆସିଥିବାରୁ କ୍ୟାମ୍ପସରେ ଭିନ୍ନ ପରିବେଶ ଦେଖିବାକୁ ମିଳିଥିଲା।
ବୁଲିଲେ ମନ୍ତ୍ରୀ ଓ ଅଧିକାରୀ
ସ୍କୁଲ ଖୋଲିବାର ପ୍ରଥମ ଦିନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଆଜି ବିଭିନ୍ନ ବିଦ୍ୟାଳୟ ବୁଲି ତଦାରଖ କରିଛନ୍ତି। ପିଲାଙ୍କ ସହ ଆଲୋଚନା କରିବା ସହ ଭଲ ମନ୍ଦ ପରଖିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ରମାଦେବୀ ଓ ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇଥିଲେ। ଭୁବନେଶ୍ବର ବ୍ଲକ ଶିକ୍ଷା ଅଧିକାରୀ ସାଇ ଇଣ୍ଟରନ୍ୟାସନାଲ ସ୍କୁଲକୁ ଯାଇ ସେଠାରେ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରସ୍ତୁତିକୁ ପ୍ରଶଂସା କରିଥିଲେ। ବ୍ଲକ ଓ କ୍ଲଷ୍ଟରସ୍ତରୀୟ କମିଟି ମଧ୍ୟ ବିଭିନ୍ନ ସ୍କୁଲକୁ ଗସ୍ତ କରିଥିଲେ।
ପ୍ରଥମ ଦିନରେ ୪୦ ଛାତ୍ରଛାତ୍ରୀ
ମେଣ୍ଢାଶାଳ : ମେଣ୍ଢାଶାଳ ସରକାରୀ ହାଇସ୍କୁଲ ଆଜି ଖୋଲିଥିଲେ ହେଁ ଶ୍ରେଣୀରେ ଉପସ୍ଥାନ ଉତ୍ସାହଜନକ ନଥିଲା। ମାତ୍ର ୪୦ଜଣ ଛାତ୍ରଛାତ୍ରୀ ଆଜି ସ୍କୁଲ ଆସିଥିଲେ। ସରକାରଙ୍କ କୋଭିଡ୍ ନିର୍ଦ୍ଦେଶାବଳୀ ପାଳନ ପୂର୍ବକ ଛାତ୍ରଛାତ୍ରୀମାନେ ଶ୍ରେଣୀଗୃହରେ ପ୍ରବେଶ କରିବା ସହ ପରସ୍ପର ମଧ୍ୟରେ ୬ ଫୁଟ୍ର ଦୂରତା ବଜାୟ ରଖିଥିଲେ। ଛାତ୍ରଛାତ୍ରୀମାନେ ଯେପରି ସୁରକ୍ଷିତ ଭାବେ କ୍ଲାସ କରିବେ, ସେଥିପାଇଁ ସ୍କୁଲ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଇଥିଲା। ସ୍କୁଲ ମୁଖ୍ୟ ଫାଟକ ନିକଟରେ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଜେନା, ସହକାରୀ ଗୋଷ୍ଠୀ ଶିକ୍ଷକ ରବୀନ୍ଦ୍ର ସାହୁ, ଅଜିତ ମଲ୍ଲିକ, ବହ୍ମାନନ୍ଦ ମୁର୍ମୁ ଓ ବିଶ୍ୱମିତ୍ରା ଷଡ଼ଙ୍ଗୀ ଉପସ୍ଥିତ ଥିଲେ।