ରା‌ଷ୍ଟ୍ରପତିଙ୍କ ସ୍ବାଗତ ପାଇଁ ସଜେଇ ହେଉଛି ସ୍କୁଲ

ପଢ଼ିଥିବା ସ୍କୁଲରେ ୧୦ ମିନିଟ୍‌ ରହିବେ

ଭୁବନେଶ୍ବର: ରାଷ୍ଟ୍ରପତି ଦାୟିତ୍ବ ଗ୍ରହଣ ପରେ ପ୍ରଥମଥର ପାଇଁ ନିଜ ଜନ୍ମମାଟିକୁ ଆସୁଛନ୍ତି ଦ୍ରୌପଦୀ ମୁର୍ମୁ। ଗସ୍ତର ପ୍ରଥମ ଦିନ ପୁରୀ ଯିବାର କାର୍ଯକ୍ରମ ଥିବା ବେ‌ଳେ ଦ୍ବିତୀୟ ଦିବସରେ ଭୁବନେଶ୍ବରରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବେ। ତାହାକୁ ନଜରରେ ରଖି ସବୁଠି ପ୍ରସ୍ତୁତି ଆରମ୍ଭ ହୋଇଛି। ସେ ଶିକ୍ଷା ଗ୍ରହଣ କରିଥିବା ସ୍କୁଲକୁ ଯିବାର ମଧ୍ୟ କାର୍ଯ୍ୟକ୍ରମ ଥିବାରୁ ଭିତ୍ତିଭୂମି ସୁଦୃଢ଼ ସହ ସୌନ୍ଦର୍ଯ୍ୟୀକରଣ କାମ ଆରମ୍ଭ ହୋଇଯାଇଛି। ସେହିପରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ଛାତ୍ରଛାତ୍ରୀ ପଢ଼ୁଥିବା ତପୋବନ ବିଦ୍ୟାଳୟକୁ ଗସ୍ତ କରିବା ସହ ଛାତ୍ରଛାତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଉକ୍ତ ଦୁଇ ବିଦ୍ୟାଳୟ କ୍ୟାମ୍ପସ ଏବେ ଚଳଚଞ୍ଚଳ ହୋଇଛି। ଜିଲ୍ଲାପାଳଙ୍କ ସମେତ ଗଣଶିକ୍ଷା ଓ ଏସ୍‌ସି, ଏସ୍‌ଟି ଉନ୍ନୟନ ବିଭାଗର ଅଧିକାରୀମାନେ ଘନଘନ ଗସ୍ତ କରି କାର୍ଯ୍ୟକ୍ରମର ତଦାରଖ କରିଛନ୍ତି। ରାଷ୍ଟ୍ରପତିଙ୍କ ମିନିଟ୍‌ ଟୁ ମିନିଟ୍‌ ଏପର୍ଯ୍ୟନ୍ତ ଆସି ନଥିବାରୁ ଅଧିକାରୀମାନେ ନିଜ ନିଜ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ରାଷ୍ଟ୍ରପତି ୧୧ତାରିଖରେ ୟୁନିଟ-୨ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀ ନିବାସ ପରିଦର୍ଶନ କରିବେ। ସେଠାରେ ୧୦ ମିନିଟ୍‌ ରହିବେ। ତାଙ୍କୁ ସ୍ବାଗତ ଲାଗି ଛାତ୍ରୀମାନେ ଲାଗି ପଡ଼ିଛନ୍ତି। ବିଦ୍ୟାଳୟର ଡ୍ରମ୍‌ ଟିମ୍‌ ପକ୍ଷରୁ ରିହର୍ସାଲ ଚାଲିଛି। ପ୍ରତିଦିନ ସକାଳୁ ଛାତ୍ରୀ ଅଭ୍ୟାସ କରୁଛନ୍ତି। ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସେମାନଙ୍କୁ ଦିଗ୍‌ଦର୍ଶନ ଦେଉଛନ୍ତି। ରାଷ୍ଟ୍ରପତି କ୍ୟାମ୍ପସରେ ପହଞ୍ଚିବା କ୍ଷଣି ଏହି ଡ୍ରମ୍‌ ଟିମ୍‌ ତାଙ୍କୁ ପାଛୋଟି ନେବେ। ବହୁତ କମ୍‌ ସମୟ ରହିବାକୁ ଥିବାରୁ ସ୍କୁଲର ଆଲୁମିନି ଓ ଛାତ୍ରଛାତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଛାତ୍ରୀନିବାସ ପରିଦର୍ଶନ ସମୟରେ ଏକ ବୃକ୍ଷରୋପଣ କରିବେ। ତେଣୁ ବିଦ୍ୟାଳୟ କ୍ୟାମ୍ପସ ଓ ଛାତ୍ରୀନିବାସର ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଚାଲିଛି। ରଙ୍ଗ ଦିଆଯିବା ସହ ରାଷ୍ଟ୍ରପତିଙ୍କୁ କେଉଁ‌ କେଉଁମାନେ ତାଙ୍କୁ ଭେଟିବେ, ତାହାର ତାଲିକା ପ୍ରସ୍ତୁତ ହେଉଛି। ରାଷ୍ଟ୍ରପତିଙ୍କ ସହ ଛାତ୍ରୀମାନଙ୍କ ଏକ ଫଟୋ ସେସନ୍‌ ମଧ୍ୟ କରାଯିବ। ବିଦ୍ୟାଳୟର ଆଡମିସନ ରେଜିଷ୍ଟର ମଧ୍ୟ ପ୍ରସ୍ତୁତ କରି ରଖାଯାଉଛି। ରାଷ୍ଟ୍ରପତି ରହୁଥିବା ଛାତ୍ରୀନିବାସର ରୁମ୍‌ ଓ ଶିକ୍ଷା ଗ୍ରହଣ କରୁଥିବା କ୍ଲାସରୁମ୍‌କୁ ମଧ୍ୟ ସଜା ଯାଉଛି।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଗଣଶିକ୍ଷା ବିଭାଗର ଅଧିକାରୀମାନେ ୟୁନିଟ୍‌-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ଡେରା ପକାଇଛନ୍ତି। ଗତକାଲି ବିଭାଗୀୟ ସଚିବଙ୍କ ସମେତ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ, ଅତିରିକ୍ତ ନିର୍ଦ୍ଦେଶକ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୁଖ ଗସ୍ତ କରିଥିଲେ। ଆଜି ସକାଳୁ ବିଏମ୍‌ସି ମେୟର ସୁଲୋଚନା ଦାସ ବିଦ୍ୟାଳୟକୁ ଗସ୍ତ କରିବା ସହ ପ୍ରସ୍ତୁତିର ଯାଞ୍ଚ କରିଥିଲେ। ସନ୍ଧ୍ୟାରେ ଖୋର୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ମଧ୍ୟ ବିଦ୍ୟାଳୟକୁ ଆସି ରାଷ୍ଟ୍ରପତିଙ୍କ ଗସ୍ତର ଟିକିନିଖି ବ୍ୟବସ୍ଥା ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି।

ତପୋବନରେ ୧୨ ମିନିଟ୍‌

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କ ପାଇଁ ତିଆରି ହୋଇଥିବା ତପୋବନ ଉଚ୍ଚ ବିଦ୍ୟାଳୟରେ ୧୨ମିନିଟ୍‌ ରହିବେ। ତେଣୁ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ କ୍ୟାମ୍ପସରେ ବ୍ୟାପକ ପ୍ରସ୍ତୁତି ଜାରି ରହିଛି। ନିର୍ଦ୍ଧାରିତ ପ୍ରୋଟୋକଲ୍ ଏବଂ କାର୍ଯ୍ୟକ୍ରମ ତ୍ରୁଟିଶୂନ୍ୟ ବ୍ୟବସ୍ଥା ପାଇଁ ରାଜ୍ୟ ପ୍ରଶାସନ ଓ ସୁରକ୍ଷା କର୍ମୀ ତତ୍ପରତା ପ୍ରକାଶ କରିଛନ୍ତି। ବିଦ୍ୟାଳୟକୁ ‌ସଜାଇବାକୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ବିଦ୍ୟାଳୟରେ ରହୁଥିବା ଶତାଧିକ ଛାତ୍ରଛାତ୍ରୀ ଆଗ୍ରହର ସହ ରାତିଦିନ ଏକ କରି କାମ କରି ଚାଲିଛନ୍ତି। ବିଦ୍ୟାଳୟ ପାଚେରିରୁ ଶିଉଳି ଛଡ଼ାଇ ନୂଆ ରଙ୍ଗ ମାରିବା କାମ ଚାଲିଛି। ବଢ଼ିଥିବା ଗଛ ଡାଳ ସବୁ କାଟି ସମାନ କରାଯାଉଛି। ସେହିପରି ବିଦ୍ୟଳୟର କିଛି ଶ୍ରେଣୀ ଗୃହ ସମେତ ପ୍ରଧାନ ଶିକ୍ଷକ ଓ କାର୍ଯ୍ୟାଳୟରେ କିଛି ଆବଶ୍ୟକ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ବିଦ୍ୟାଳୟ ବଗିଚା ସଫା, ଶ୍ରେଣୀଗୃହ ସଫା ସହ ଗ୍ରିଲ, କବାଟ ଆଦି ପୋଛ‌ା ଯାଉଛି। ପ୍ରଶାସନିକ ଅଧିକାରୀମାନେ ବିଦ୍ୟାଳୟକୁ ଘନଘନ ଗସ୍ତ କରି କାର୍ଯ୍ୟର ତଦାରଖ କରୁଛନ୍ତି।

ସମ୍ବନ୍ଧିତ ଖବର