ଭୁବନେଶ୍ବର: ଫୁଲରେ ସଜେଇ ହୋଇଥିଲା ସ୍କୁଲ। ଫାଟକରୁ ଆରମ୍ଭ କରି ଶ୍ରେଣୀଗୃହ ପର୍ଯ୍ୟନ୍ତ, ସବୁଠି ଶୋଭା ପାଉଥିଲା ଝୋଟି ଓ ବେଲୁନ୍। ପ୍ରବେଶ ପଥରେ ଥିଲା କଳସ ଓ ଆମ୍ବଡାଳ। ପିଲାଙ୍କୁ ଫୁଲ, ଚନ୍ଦନ ଓ ସିନ୍ଦୂର ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ସ୍ବାଗତ କରୁଥିଲେ। ଯାହାର ଦୃଶ୍ୟ ଥିଲା ଅବର୍ଣ୍ଣନୀୟ। ଏଭଳି ପରିବେଶରେ ଆଜିଠାରୁ ଭୁବନେଶ୍ବରରେ ଥିବା ସରକାରୀ ଓ ଘରୋଇ ବିଦ୍ୟାଳୟର ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଛି।
ପ୍ରଥମ ଦିନ ଭୁବନେଶ୍ବରରେ ଉପସ୍ଥାନ ୫୧% ରହିଥିବା ସୂଚନା ମିଳିଛି। ପ୍ରଥମ ଥର ପାଇଁ ନୂଆ ୟୁନିଫର୍ମ ପିନ୍ଧି ସ୍କୁଲ ଆସିଥିବା ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପିଲାଙ୍କ ଭିତରେ ଖୁସିର ସୀମା ନଥିଲା। ତୃତୀୟ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପିଲାମାନେ ନିଜ ପୁରୁଣା ସାଙ୍ଗଙ୍କୁ ଦେଖି କୁଣ୍ଢାଇ ପକାଇ ଥିଲେ। ସ୍କୁଲରେ ପାଦ ଦେବା ପରେ ପିଲାମାନେ ଆଉ ବାପା-ମା’ଙ୍କ କଥା ଶୁଣି ନ ଥିଲେ। ବରଂ ସଙ୍ଗମାନଙ୍କ ସହି ଖୁସି ଗପ ଓ ଖେଳରେ ମଜି ଯାଇଥିଲେ। କରୋନା କଟକଣା, ସାମାଜିକ ଦୂରତାକୁ ଭୁଲି ଯାଇଥିଲେ। ଏହାରି ଭିତରେ କେତେକ କ୍ୟାମ୍ପସରେ ପିଲାଙ୍କୁ ଚକ୍ଲେଟ୍ ଦେଇ ସ୍ବାଗତ କରାଯାଇଥିଲା। ଏ ସପ୍ତାହରେ ପିଲାଙ୍କ ପାଠପଢ଼ା ହେବନି। ବରଂ ଖେଳକୁଦ ମାଧ୍ୟମରେ ସେମାନଙ୍କୁ ଶିକ୍ଷା ଦିଆଯିବ।
ଘାଟିକିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରକଳା ସୁନ୍ଦରାୟଙ୍କ କହିବାନୁଯାୟୀ ଅନେକ ଦିନ ପରେ ପିଲାଙ୍କୁ ଦେଖି ଖୁସି ଲାଗୁଛି। ଆକାଶରେ ତାରା ବିନା ଯେପରି ଜହ୍ନ ଅଧୁରା, ପିଲାଙ୍କ ବିନା ସ୍କୁଲ୍ ପରିସର ସେମିତି। ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ପିଲାଙ୍କୁ ଖେଳ ମାଧ୍ୟମରେ ପାଠପଢା ଯିବ। ସେମାନେ ଯେପରି ସବୁ ଦିନ ସ୍କୁଲ ଆସିବେ ସେଥିପାଇଁ ପ୍ରୟାସ କରାଯିବ। ଓଏସ୍ଏପି ୭ମ ବାଟାଲିୟନ୍ ସ୍କୁଲ, ରେଲୱେ କଲୋନି ସ୍କୁଲ, ସୀତାନାଥ ବିଦ୍ୟାଳୟ, ୟୁନିଟ୍-୨ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ବାପୁଜୀନଗରସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଛି। ୟୁନିଟ୍-୧ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୪୦% ରହିଥିବା ବେଳେ ରହିଥିଲା।
ବିଦ୍ୟାଳୟଗୁଡ଼ିକରେ କରୋନା ସଚେତନତା ସହ ସାନିଟାଇଜର୍, ମାସ୍କ ବାଧ୍ୟତାମୂଳକ ହୋଇଥିଲା। ଅଧିକାଂଶ ବିଦ୍ୟାଳୟରେ ପିଲାଙ୍କ ଉପସ୍ଥାନ ୩୦ରୁ ୪୦% ମଧ୍ୟରେ ରହିଥିଲା। ଓଏସଏପି ୭ମ ବାଟାଲିୟନ୍ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀର ୩୭୪ ପିଲାଙ୍କ ମଧ୍ୟରୁ ୧୫୪ ଜଣଙ୍କ ଉପସ୍ଥାନ ରହିଥିବା ପ୍ରଧାନ ଶିକ୍ଷୟିତ୍ରୀ ମୀନତି ସିଂ କହିଛନ୍ତି। ରେଲୱେ କଲୋନି ବିଦ୍ୟାଳୟର ପ୍ରଥମରୁ ଦ୍ୱିତୀୟ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଓମ୍ ପ୍ରକାଶ ଖଡ଼ିରତ୍ନ କହିଥିଲେ ଆଜି ମୁଁ ସ୍କୁଲକୁ ପ୍ରଥମ କରି ଆସିଛି। ବହୁତ ଖୁସି ଲାଗୁଛି।
ସାର୍ ଆମକୁ ଗେଟ୍ ଆଗରୁ ସ୍ୱାଗତ କରିଥିଲେ। ଆଜି ସ୍କୁଲରେ ଗୀତ ଗାଇବା ଶିଖାଗଲା। ସାଇଆଙ୍ଗନ୍ର କେଜି-୨ ଛାତ୍ରୀ ସୁନିଧି ମହାପାତ୍ର କହିଛନ୍ତି ଯେ ଆସିଲା ବେଳେ ମିସ୍ ଗେଟ୍ ପାଖରେ ଚକ୍ଲେଟ୍ ଦେଲେ। ସ୍କୁଲ ଖୋଲିଥିବାରୁ ସାଙ୍ଗମାନଙ୍କ ସହ ମିଶିବୁ, ଖେଳିବୁ ଓ ମଜା କରିବୁ। ଅନ୍ଲାଇନ୍ କ୍ଲାସ ଭଲ ଲାଗୁ ନ ଥିଲା। ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ଇଷାନ୍ ନାୟକ କହିଛନ୍ତି ଘରର ଚାରିକାନ୍ଥରେ ଅନ୍ଲାଇନ୍ ମାଧ୍ୟମରେ ପଢ଼ୁଥିଲୁ। ଦୁଇ ବର୍ଷରେ ସ୍କୁଲ ଆସିବାରୁ ସାଙ୍ଗସାଥୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ମିଶିବାର ସୁଯୋଗ ମିଳିଲା। କରୋନା ଆଉ ନ ଫେରୁ। ସ୍କୁଲ ପୁଣିଥରେ ବନ୍ଦ ନ ହେଉ। ସେଥିପାଇଁ କୋଭିଡ୍ ନିୟମ ମାନିବୁ।
ସେହିପରି ଚନ୍ଦକା, ଅନ୍ଧାରୁଆ, ଦାରୁଠେଙ୍ଗ, କଣ୍ଟାବାଡ, ମେଣ୍ଢାଶାଳ ଓ ଛତାବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଛତାବର ଗ୍ରାମରେ ଏକ ବିଦ୍ୟାଳୟରେ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନ ଶିକ୍ଷକ ଦିଲ୍ଲୀପ ବେହେରା, ପରିଚାଳନା କମିଟିର ସଭାପତି ପ୍ରଭାତ କୁମାର ପୃଷ୍ଟି ଓ ବିଦ୍ୟାଳୟ ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ।