ଭୁବନେଶ୍ବର: ପୁଣି ରାଜଧାନୀ ରାସ୍ତାରେ ବଡ଼ ଦୁର୍ଘଟଣାର କାରଣ ହୋଇଛି ଜଣେ ବେପରୁଆ ନିଶାଗ୍ରସ୍ତ ଥାର୍ ଚାଳକ। ଲକ୍ଷ୍ମୀସାଗର କେନାଲ ରାସ୍ତାରେ ଆଜି ସନ୍ଧ୍ୟାରେ ଏକ କଳା ଥାର୍ ଗୋଟିଏ ସ୍କୁଟିକୁ ୨୦ମିଟର ଘୋଷାଡ଼ି ନେଇଛି। ସ୍କୁଟିଚାଳକ ଜଣକ ଅଳ୍ପକେ ଆହତ ହେବା ସହିତ ସ୍କୁଟିଟି ସମ୍ପୂର୍ଣ୍ଣ ଚୂରମାର୍ ହୋଇଯାଇଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ଲକ୍ଷ୍ମୀସାଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥାର୍ ଚାଳକକୁ ଅଟକ ରଖିଛି। ଥାର୍ ଚାଳକ ଜଣକ ନିଶାସକ୍ତ ଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।
ଆଜି ରାତି ପ୍ରାୟ ୮ଟାରେ କେନାଲ୍ ରାସ୍ତାରେ ଜଣେ ଯୁବକ ନିଜ ସ୍କୁଟିରେ ଯାଉଥିବା ସମୟରେ ଦ୍ରୁତଗତିରେ ବେପରୁଆ ଭାବେ ଏକ ଥାର୍ ଗାଡ଼ି ପଛପଟୁ ଆସି ଧକ୍କା ଦେଇଥିଲା। ସ୍କୁଟିଚାଳକ ଜଣକ ଗାଡ଼ିରୁ ରାସ୍ତାପାର୍ଶ୍ବକୁ ଛିଟିକି ପଡ଼ି ଆହତ ହୋଇଥିଲେ। ଥାର୍ଟି ସ୍କୁଟି ଉପରେ ଚଢ଼ିଯିବା ସହ ପ୍ରାୟ ୨୦ ମିଟର ଘୋଷାଡ଼ି ନେଇଥିଲା। ସ୍ଥାନୀୟ ଲୋକମାନେ ସ୍କୁଟି ଚାଳକଙ୍କୁ ଉଦ୍ଧାର କରିବା ସହ ଥାର୍ ଚାଳକକୁ ଅଟକାଇଥିଲେ। ଏନେଇ କିଛି ସମୟ ପାଇଁ କେନାଲ୍ ରାସ୍ତାରେ ଉତ୍ତେଜନା ଦେଖାଯିବା ସହିତ ଟ୍ରାଫିକ୍ ଜାମ୍ ହୋଇ ଗାଡ଼ିମୋଟର ଅଟକି ରହିଥିଲା। ପୁଲିସ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହିତ ଥାର୍ ଚାଳକକୁ ଥାନାକୁ ଆଣି ପଚରାଉଚରା ଚଳାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/20/untitled-13-2025-11-20-06-23-28.jpg)