ବିଜ୍‌ନେସ୍‌ ମେଳାର ଦ୍ବିତୀୟ ଓ ତୃତୀୟ ଅଧିବେଶନ: ନିଜ ପିଲା ଭଳି ବ୍ୟବସାୟର ଯତ୍ନ ନିଅ

ଭୁବନେଶ୍ବର: ପୁରୁଷ ପ୍ରାଧାନ୍ୟ ସମାଜରେ ମହିଳାମାନେ କେଉଁଠି ନା କେଉଁଠି ଅବହେଳି ହୁଅନ୍ତି। ଏହା ଆଜି ନୁହେଁ ହଜାର ହଜାର ବର୍ଷରୁ ଚାଲି ଆସିଛି। କିନ୍ତୁ ପୁରୁଷଠାରୁ ନାରୀ କୌଣସି ଗୁଣରେ କମ୍‌ ନୁହନ୍ତି। ଆଜିର ମହିଳା ବିଜନେସ୍‌ ମେଳା ଏକ ଐତିହାସିକ ପଦକ୍ଷେପ ଏବଂ ଏହା ହେଉଛି ଶ୍ରେଷ୍ଠ ଉଦାହରଣ। ପୁରୁଷଙ୍କ ସହ ସମକକ୍ଷ ହୋଇ ପ୍ରତିଦ୍ବନ୍ଦ୍ବିତା କରିବାକୁ ମହିଳାମାନଙ୍କୁ ଆଜି ସୁଯୋଗ ମିଳୁଛି। ହେଲେ ମହିଳା ଉଦ୍ୟୋଗୀ ହେବା ବହୁତ କଷ୍ଟକର। କାରଣ ମହିଳାଟିଏ ଉଦ୍ୟୋଗ ଆରମ୍ଭ କରିବା ସମୟରେ ଘର ଭଡ଼ା ଠାରୁ ଆରମ୍ଭ କରି ବ୍ୟାଙ୍କ ଋଣ ପର୍ଯ୍ୟନ୍ତ ଯାବତୀୟ ସମସ୍ୟା ସୃଷ୍ଟି ହୋଇଥାଏ। କିଛି ସମସ୍ୟା ହେଲେ ଆଗ ପରିବାର ଲୋକ କହିଥାନ୍ତି ଯେ ସମସ୍ୟାରେ ନଯାଇ ଘରେ ରହିବା ଭଲ। ସେଠାରେ ବାହାର ‌ଲୋକଙ୍କ ଠାରୁ କ’ଣ ବା ଆଶା କରାଯାଇ ପାରେ। ଏହି ମାନସିକତାରେ ପରିବର୍ତ୍ତନ ହେବା ଜରୁରୀ ବୋଲି ଆଜି ମହିଳା ବିଜନେସ୍‌ ମେଳାର ଦ୍ବିତୀୟ ଅଧିବେଶନରେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଉପସ୍ଥିତ ରହି ଏହା କହିଛନ୍ତି।

ମହିଳା ଉଦ୍ୟମିତାକୁ ସୁଦୃଢ଼ କରିବା ବିଷୟରେ ଆଲୋଚନା କରି ସେ ଆହୁରି କହିଛନ୍ତି ‌ଯେ ବ୍ୟବସାୟକୁ ସୌଖୀନ୍‌ ନୁହେଁ ନିଜ ପିଲାଭଳି ଦେଖିବା ଆବଶ୍ୟକ। ମହିଳା ଉଦ୍ୟୋଗୀମାନଙ୍କ ମଧ୍ୟରେ ଦୃଢ଼ ଇଚ୍ଛା ଶକ୍ତି, ନିର୍ଦ୍ଦିଷ୍ଟ ଲକ୍ଷ୍ୟ, କାର୍ଯ୍ୟରେ ଧ୍ୟାନ, ବ୍ୟବସାୟକୁ ଗୁରୁତ୍ବ ଏବଂ ସଙ୍କଳ୍ପବଦ୍ଧ ହୋଇପାରିଲେ ହାତ ପାହାନ୍ତାରେ ସଫଳତା ପାଇ ପାରିବେ। ଏଥିସହ ଉଚ୍ଚାଭିଳାଷ ମଧ୍ୟ ରହିବା ଜରୁରୀ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ। ଏହି ଅଧିବେଶନକୁ କାର୍ଯ୍ୟକ୍ରମର ଆବାହକ ତଥା ମହିଳା ଉଦ୍ୟୋଗୀ ସୁକୀର୍ତି ପଟ୍ଟନାୟକ ପରିଚାଳନା କରିଥିଲେ। ଏହାପରେ ତୃତୀୟ ଅଧିବେଶନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପଦ୍ମିନୀ ପାଣିଗ୍ରାହୀ ଓ ଗ୍ରୁପ୍ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବା ବେଳେ ଜଣାଶୁଣା ଗାୟିକା ସୁସ୍ମିତା ଦାସ ସଙ୍ଗୀତ ପରିବେଷଣ କରିଥିଲେ। ଶେଷରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧିତ ଖବର