‘ପୂର୍ବରଙ୍ଗ’ର ଦ୍ବିତୀୟ ଦିନ, ସ୍ମାର୍ଟ ସିଟିରେ ରୋମିଓ ଜୁଲିଏଟ୍‌

ଭୁବନେଶ୍ବର: କାହାଣୀର ନାୟକ ନାୟିକା ରୋମିଓ କି ଜୁଲିଏଟ୍‌ ନଥିଲେ। କିନ୍ତୁ କାହାଣୀ ସମାନ ଥିଲା। ମ୍ରଦୁଳ ଓ ବୈଭବୀଙ୍କର ଐଶ୍ବରୀୟ ଓ ନିଚ୍ଛକ ପ୍ରେମ କାହାଣୀ। ଏକ ଛୋଟ ସହରରୁ ସ୍ମାର୍ଟସିଟି ଜୟପୁରକୁ ଆସି ଉଭୟ ଚାକିରି କରନ୍ତି। ସାମାନ୍ୟ ପରିଚୟରୁ ବନ୍ଧୁତା ଓ ବନ୍ଧୁତାରୁ ଦୁହିଁଙ୍କ ମଧ୍ୟରେ ନିବିଡ଼ ପ୍ରେମ ହୁଏ। କିନ୍ତୁ ପାର୍କ, ରେସ୍ତୋରାଁ ଓ ସିନେମା ହଲ୍‌ ସବୁଠି ସାମାଜିକ ପ୍ରତିବନ୍ଧକ ଉଭୟଙ୍କ ମିଳାମିଶାରେ ବାଧକ ସାଜେ। ତେଣୁ ପ୍ରେମିକା ସହ ଏକାନ୍ତରେ କେଇଁ ମୂହୁର୍ତ୍ତ ବିତାଇବା ପାଇଁ ବୈଭବୀଙ୍କର ଭଡ଼ାଘରକୁ ଯାଏ ମ୍ରଦୁଳ। କିନ୍ତୁ ସାହିର କିଛି ଅସାମାଜିକ ଯୁବକ ତାଙ୍କ କବାଟ ଭାଙ୍ଗି ଘରେ ପଶି ଯାଆନ୍ତି। ଉଭୟଙ୍କୁ ସମସ୍ତଙ୍କ ସମ୍ମୁଖରେ ଅତରଙ୍ଗ ହେବାକୁ ବାଧ୍ୟ କରନ୍ତି ଓ ତାହାର ଫଟୋ ଉତ୍ତୋଳନ କରି ସାମାଜିକ ଗଣମାଧ୍ୟମରେ ଛାଡ଼ି ଦିଅନ୍ତି। ଲୋକଲଜ୍ଜା କାରଣରୁ ଉଭୟ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଅନ୍ତି ଓ ପୁଣି ଥରେ ରୋମିଓ ଜୁଲିଏଟ୍‌ଙ୍କ ଭଳି ମୃତ୍ୟୁ ସହ ଆଉ ଏକ ପ୍ରେମ କାହାଣୀର ଅନ୍ତ ହୁଏ। ଆଜି ଏଭଳି ଏକ ପ୍ରେମ ତଥା ସଚେତନତାଧର୍ମୀ କାହାଣୀ ‘ରୋମିଓ ଜୁଲିଏଟ୍‌ ଇନ୍‌ ସ୍ମାର୍ଟ ସିଟି ଅଫ୍ କଣ୍ଟେମ୍ପରାରି ଇଣ୍ଡିଆ’କୁ ନାଟକ ମାଧ୍ୟମରେ ପରଷି ଦେଇଥିଲେ ଭୋପାଳର ‘ବିହାନ ଡ୍ରାମା ୱାର୍କସ୍‌’ କଳାକାରବୃନ୍ଦ।

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭା‌ଗ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଓ କୋଲକାତାସ୍ଥିତ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ଓଡ଼ିଶା ନାଟ୍ୟସଂଘର ମିଳିତ ସହଯୋଗରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଜାତୀୟ ନାଟ୍ୟ ଉତ୍ସବ ‘ପୂର୍ବରଙ୍ଗ’ର ଦ୍ବିତୀୟ ଦିବସରେ ଏହି ହିନ୍ଦୀ ନାଟକ ପରିବେଷିତ ହୋଇଥିଲା। କାହାଣୀର ରଚନା ସ୍ବପ୍ନିଳ ଜୈନ କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ସୌରଭ ଅନନ୍ତ। କାର୍ଯ୍ୟକ୍ରମରେ ଆୟକର ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ନାଟ୍ୟକାର ତଥା ସାହିତ୍ୟିକା ସଂଘମିତ୍ରା ମିଶ୍ର, ବିଶିଷ୍ଟ କଥାକାର ଗୌରହରି ଦାସ, ଓଟିଡିସିର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ସୁବୋଧ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର