ଭୁବନେଶ୍ବର: ମାନବ ସଭ୍ୟତା ଯେତିକି ପୁରୁଣା, ବୋଧହୁଏ କାହାଣୀର ଇତିହାସ ସେତିକି ପୁରୁଣା। ଆଜି କାହାଣୀର ସେହି ଚିରନ୍ତନ ପରମ୍ପରାର ପ୍ରତିଫଳନ ଦେଖିବାକୁ ମିଳିଥିଲା ‘ସମ୍ବାଦ ସାହିତ୍ୟପକ୍ଷ’ର ଦ୍ବିତୀୟ ସନ୍ଧ୍ୟାରେ। ଭୁବନେଶ୍ବରସ୍ଥିତ ‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ‘କଥା ଓ କଥାକାର’ଙ୍କ ମେଳଣ ଲାଗିଥିଲା। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ଅତିଥିମାନଙ୍କୁ ସ୍ବାଗତ କରି ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ବିଶିଷ୍ଟ କଥାକାର ବିଭୂତି ପଟ୍ଟନାୟକଙ୍କ ଆଶୀର୍ବଚନରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। 

Advertisment

ଶ୍ରୀ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ ଯୋଡ଼ି ହୋଇ କହିଲେ, ବିଂଶ ଶତାବ୍ଦୀର ଓଡ଼ିଆ ଗଳ୍ପ ହେଉଛି ସମାଜ ସଂସ୍କାରର ମୂଳଦୁଆ। ଫକୀରମୋହନ ସେନାପତିଙ୍କ ପ୍ରଥମ ଗଳ୍ପ ‘ରେବତୀ’ରୁ ଓଡ଼ିଆ ଗଳ୍ପର କ୍ରମ ବିବର୍ତ୍ତନ ହୋଇଥିଲା। ୧୯୧୮ ମସିହାରୁ ୨୦୨୫ ମସିହା, କାଳଖଣ୍ଡ ମଧ୍ୟରେ ଓଡ଼ିଆ ଗଳ୍ପ ସମାଜ ସଂସ୍କାରରୁ ସମାଜ ବିପ୍ଳବ ଆଡ଼କୁ ଗତି କରିଛି। ଫକୀରମୋହନ ସେନାପତିଙ୍କୁ ଉତ୍ସର୍ଗ କରାଯାଇଥିବା ‘କଥା ଓ କଥାକାର’ ମଞ୍ଚରେ କଥାକାର ଗୌରହରି ଦାସଙ୍କ ସହ ଆଳାପ କରିଥିଲେ କଥାକାର ଦେବପ୍ରସାଦ ଦାଶ। ଦେବପ୍ରସାଦଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ଅବସରରେ ଶ୍ରୀ ଦାସ କହିଥିଲେ, ଜଣେ ଲେଖକ ଭିତରେ ସବୁ ପ୍ରକାର ଅନୁଭବ ରହିବା ଦରକାର। ଗଳ୍ପ ହେଉ କି କବିତା ଫୁଟିବା ପାଇଁ ଅଭିଜ୍ଞତା ଓ ଅନୁଭୂତି ଦରକାର। ଜଣେ ‌ଲେଖକ ଈଶ୍ବରଙ୍କ ବିଶ୍ବରୂପ ପରି। ତା’ ଭିତରେ ସବୁ ପ୍ରକାର ଚରିତ୍ର ଲୁଚି ରହିଥାଏ। ନହେଲେ ସେ ଗଳ୍ପ ଲେଖି ପାରିବ ନାହିଁ।

ଗଳ୍ପ କଢ଼ି ଫୁଟିବା ପାଇଁ ଅଭିଜ୍ଞତା ଓ ଅନୁଭୂତି ଦରକାର
ଓଡ଼ିଆ ଗଳ୍ପର ଗତି ସମାଜ ସଂସ୍କାରରୁ ସମାଜ ବିପ୍ଳବ ଆଡ଼କୁ
ଲୁହ ଭରିଲା ନାଟକ ‘ଡାକ ମୁନସି’

‘ଆଲୋଚନା’ ଅଧିବେଶନର କଥାକାର ଶୁଭ୍ରାଂଶୁ ପଣ୍ଡାଙ୍କ ସଂଚାଳ‌ନରେ ଅନୁଷ୍ଠିତ ଆଲୋଚନାର ବିଷୟବସ୍ତୁ ଥିଲା ‘ଓଡ଼ିଆ କାହାଣୀରେ ଓଡ଼ିଶା’। ଏଥିରେ ଅଂଶଗ୍ରହଣ କରି ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ର କହିଲେ, ଓଡ଼ିଆଙ୍କ ପ୍ରତ୍ୟେକ ଲେଖାରେ ଓଡ଼ିଆତ୍ବ ରହିଛି। ସେହିପରି ବିଶିଷ୍ଟ କଥାକାର ଅଜୟ ସ୍ବାଇଁ କହିଲେ, ଓଡ଼ିଆ ଗଳ୍ପ ଲେଖିବାକୁ ହେଲେ ପ୍ର‌ଥମେ ଓଡ଼ିଆ ଭାଷାରେ ସବଳ ହେବାକୁ ହେବ। ଅନ୍ୟତମ ଅତିଥି କଥାକାର ପରେଶ ପଟ୍ଟନାୟକ ଗପରେ ସ୍ଥାନୀୟତା ରହିବା ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ସେହିଭଳି ‘ଅଭିଯୁକ୍ତି’ ଅଧିବେଶନରେ ‘ଆଜିର ଗାଳ୍ପିକ ପାଇଁ ଆହ୍ବାନ’ ପ୍ରସଙ୍ଗରେ କଥାକାର ତପନ ମହାପାତ୍ର କହିଲେ, ଲେଖକ ନିଜେ ଗୋଟେ ଭୂତ। ଅନ୍ୟର କାୟାରେ ନିଜ ଆତ୍ମାକୁ ପ୍ରବେଶ କରାଇ ଅନୁରାଗ, ଅନୁଧ୍ୟାନ ଓ ଅନୁଶୀଳନ ଅଧାରରେ ଗଳ୍ପ ଲେଖିବାର ଦୁଃସାହସ କରେ ଲେଖକ। କଥାକାର ମହାଶ୍ବେତା ସାହୁ କହିଲେ ଲେଖକ ସବୁଠାରୁ ବଡ଼ ଚୋର। ଚାଲି ଯାଉଥିବା ଲୋକର ଚାଲିଚଳଣିକୁ ଚୋରି କରି ନିଜ ଗଳ୍ପର ଚରିତ୍ରମାନଙ୍କୁ ଜୀବନ୍ତ ରୂପ‌ ଦିଏ। ଜଣ ନୁହେଁ ଗଣଙ୍କ ପାଇଁ ସାହିତ୍ୟ ସୃଷ୍ଟି ହେଉ ବୋଲି ସେ କହିଥିଲେ। କଥାକାର ସୁଜିତ ପଣ୍ଡା କହିଲେ, ଏବେ ଭଲ ଗପ ଜାଣିବାର ସୁଯୋଗ ନାହିଁ। କାରଣ ଗପଟିଏ ଲେଖା ହେଲେ ଉପଯୁକ୍ତ ସ୍ଥାନରେ ପ୍ରକାଶ ପାଇବାର ସମସ୍ୟା ରହିଛି। 

ଆଜି ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ଫକୀରମୋହନ ସେନାପତିଙ୍କ ରଚିତ ନାଟକ ‘ଡାକ ମୁନସି’। ଫକୀରମୋହନଙ୍କ ଗଳ୍ପକୁ ନାଟ୍ୟ ରୂପ ଦେଇଥିଲେ ଗୁରୁ ଶତପଥୀ ଓ  ନିର୍ଦ୍ଦେଶନା ଦେଇଥିଲେ ଦେବାନନ୍ଦ ସୋନି। ପ୍ରଚ୍ଛଦରେ ସୌମିତ୍ରୀ, ଶ୍ରୀକାନ୍ତ ଓ ସତ୍ୟ ସଙ୍ଗୀତ ପରିବେଷଣ କରିଥିଲେ। ଅଭିନେତା ଉପେନ୍ଦ୍ର ପତି, ‌ଆର୍‌ଜେ କେପି ଓ ସତ୍ୟଙ୍କ ଜୀବନ୍ତ ଅଭିନୟ ଉପସ୍ଥିତ ଦର୍ଶକଙ୍କ ଆଖିରେ ଲୁହ ଆଣି ଦେଇଥିଲା। ‘ଅଣୁଗଳ୍ପ ପଠନ’ ଅଧିବେଶନରେ ଆର୍‌ଜେ ସଂଗ୍ରାମ ଦୁଇଟି ଗଳ୍ପ ‘ପ୍ରେମିକା ଘରେ ରାତିଟିଏ’ ଓ ‘ବାପା’ ପାଠ କରି ପ୍ରଶଂସା ସାଉଁଟି ଥିଲେ। ଏହି ଅବସରରେ ‘ସୃଜନିକା’ର ଡା. ନିଖିଲ ମୋହନ ପଟ୍ଟନାୟକ ଓ ପୁଷ୍ପଶ୍ରୀ ପଟ୍ଟନାୟକ ଏବଂ ‘ବିଶ୍ବମୁକ୍ତି ପୁସ୍ତିକା’ର ଶଶାଙ୍କ ଚୂଡ଼ାମଣିଙ୍କୁ ସମ୍ମାନିତ କରାଯାଇଥିଲା। ଉପସ୍ଥିତ ଅତିଥିଗଣଙ୍କୁ  ‘ସମ୍ବାଦ’ର ସଂପାଦକ ଶ୍ରୀମତୀ ପଟ୍ଟନାୟକଙ୍କ ସମେତ ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ଡେପୁଟି ଏଡିଟର୍‌ ଧୃତିକାମ ମହାନ୍ତି ଓ ଏଜିଏମ୍‌ ଆଶିଷ ଗଡ଼ନାୟକ ସମ୍ମାନିତ କରିଥିଲେ। ଆର୍‌ଜେ ଅନିଲ୍‌ ସାହିତ୍ୟକୁ ନେଇ ଆକର୍ଷଣୀୟ ପ୍ର‌ଶ୍ନ-ଉତ୍ତର କାର୍ଯ୍ୟକ୍ରମ ପରିଚାଳନା ଓ ମିଲନ୍‌ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ବାର୍ତ୍ତା ସମ୍ପାଦକ ଶ୍ରୀ ତ୍ରିପାଠୀ ଧନ୍ୟବାଦ ଦେବା ସହ ଆସନ୍ତା ୧୫ ତାରିଖ ଯାଏଁ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଯୋଡ଼ି ହୋଇ ରହିବା ପାଇଁ ନିବେଦନ କରିଥିଲେ। ଆସନ୍ତାକାଲି ତୃତୀୟ ଦିବସର ବିଷୟ ରହିଛି ‘ରହସ୍ୟ ଓ ଜନପ୍ରିୟ ସାହିତ୍ୟ’।