‘ଆରୋହଣ’ ନାଟ୍ୟୋତ୍ସବର ଦ୍ବିତୀୟ ସନ୍ଧ୍ୟା: ବସ୍ତୁବାଦକୁ ଜିତିଲେ ‘ହାଉସ୍ ୱାଇଫ୍‌’

ଭୁବନେଶ୍ୱର: ଆଜିର ବସ୍ତୁବାଦୀ ସଭ୍ୟତାରେ ସ୍ନେହ, ଶ୍ରଦ୍ଧା ଓ ମାନବିକତା ଅର୍ଥହୀନ ହୋଇପଡ଼ିଛି। ଅର୍ଥସର୍ବସ୍ୱ ମାନସିକତା ପାଇଁ ଭାଙ୍ଗି ଯାଉଛି ପରିବାର। ସଦାନନ୍ଦଙ୍କ ପରି ଆଦର୍ଶ ଚରିତ୍ରମାନେ ଅସହାୟ ହୋଇପଡୁଛନ୍ତି ସୁଲକ୍ଷଣାଙ୍କ ପରି ମୋହଗ୍ରସ୍ତ ଚରିତ୍ରମାନଙ୍କ ନିକଟରେ। କିନ୍ତୁ ନିର୍ଯାତିତା ସୁନୟନାଙ୍କ ଭଳି ଚରିତ୍ରମାନେ ସେମାନଙ୍କ ଉତ୍ସର୍ଗୀକୃତ ମନୋଭାବ ପାଇଁ ବସ୍ତୁବାଦକୁ ଜିତି ପାରୁଛନ୍ତି। ପ୍ରଭୁତ୍ୱ ପାଇଁ ତନ୍ତ୍ରମନ୍ତ୍ର ପରି ଅନୈତିକ ଉପାୟ ସ୍ୱର୍ଗ ପରି ପରିବାରକୁ ବିଷାକ୍ତ ନର୍କପୁରରେ ସାମୟିକ ଭାବେ ପରିଣତ କରିଥିଲେ ବି ଶେଷରେ ଧର୍ମକୁ ଆଶ୍ରା କରି ବାଟ ଚାଲିଥିବା ସୁନୟନାଙ୍କ ବିଜୟ ହେଉଛି।

ଏଭଳି ଏକ ଆଶା ଓ ବିଶ୍ବାସର କାହାଣୀକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ହାଉସ୍‌ ୱାଇଫ୍‌’। ଇଂ ଅଜୟ କୁମାର ମହାପାତ୍ରଙ୍କ କାହାଣୀକୁ ବିଜୟ କୁମାର ମହାନ୍ତି ନାଟ୍ୟରୂପ ଦେଇଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ପ୍ରଦୀପ ମିଶ୍ର। ‘ଆରୋହଣ’ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ୨୯ତମ ନିଖିଳ ଉତ୍କଳ ନାଟ୍ୟ ଉତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଏହି ନାଟକଟି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିଲା। ଅତିଥି ଭାବେ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ, ସମାଜସେବୀ ହିମାଂଶୁ ଶେଖର ଶ୍ରୀଚନ୍ଦନ, ଚଳଚ୍ଚିତ୍ର ସମୀକ୍ଷକ ଦିଲ୍ଲୀପ ହାଲି ପ୍ରମୁ୍‌ଖ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ସଭାପତି ଡ. ଶୈଳେଶ୍ୱର ନନ୍ଦ, ସମ୍ପାଦକ ଇଂ ପ୍ରୀତିରଞ୍ଜନ ମିଶ୍ର ଓ ସଂଯୋଜକ ପିୟୂଷ ରଞ୍ଜନ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର