ଧଉଳି କଳିଙ୍ଗ ମହୋତ୍ସବର ଦ୍ବିତୀୟ ସଂଧ୍ୟା, ଶାନ୍ତିସ୍ତୂପରେ ଗୁଞ୍ଜରିତ ହେଲା ରଣହୁଙ୍କାର

ଧଉଳି: ଦିନେ କଳିଙ୍ଗ ମହାସମର ଯୋଗୁଁ ଧଉଳି ପାହାଡ଼ ତଳେ ଦୟା ନଦୀ ରକ୍ତରଞ୍ଜିତ ହୋଇଥିଲା। ଘନଘଟା ଯୁଦ୍ଧ ଓ ରଣହୁଙ୍କାରରେ ଧଉଳି ପାହାଡ଼ର ଗିରିଗହ୍ବର ପ୍ରକମ୍ପିତ ହୋଇଉଠିଥିଲା। ଠିକ୍‌ ସେମିତି ହିଁ ଆଉଥରେ ବୀରମାନଙ୍କ ରଣହୁଙ୍କାର ପ୍ରତିଧ୍ବନିତ ହୋଇଥିଲା ଧଉଳିର ପ୍ରସ୍ତର ଗହ୍ବରରେ। ପର୍ଶୁରାମଙ୍କ ଅହଙ୍କାର ଚୂର୍ଣ୍ଣ ଓ ମହିଷାସୁର ବଧ ନାଟକ ମଞ୍ଚସ୍ଥ ବେଳେ ଏମିତି ଶିହରଣ ଅନୁଭବ କରିଥିଲେ ଦର୍ଶକ। ପ୍ରଥମରୁ ବିଭିନ୍ନ ଶାସ୍ତ୍ରୀୟ ରାଗ ଉପରେ ଆଧାରିତ ନୃତ୍ୟରେ ଦର୍ଶକମାନେ ବିମୋହିତ ହୋଇଥିବାବେଳେ ଶେଷ ପର୍ଯ୍ୟାୟରେ ନୃତ୍ୟମଞ୍ଚ ରଣଭୂମି ପାଲଟି ଯାଇଥିଲା। ଆଜି ଧଉଳି କଳିଙ୍ଗ ‌ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଏମିତି ଥିଲା ଦର୍ଶକମାନଙ୍କ ଅନୁଭୂତି। ଆର୍ଟ ଭିଜନର ଶିଳ୍ପୀମାନଙ୍କ ଦ୍ବାରା ପ୍ରଥମ ପ୍ରସ୍ତୁତିରେ ରାଗ କଳାବତୀ ଓ ତାଳ ତ୍ରିପଟାରେ ‘ପଲ୍ଲବୀ’ ପରିବେଷଣ ଦର୍ଶକମାନଙ୍କୁ ପୁଲକିତ କରିଥିଲା। ପରେ ଗୁରୁ ଇଲିୟାନା ସୀତାରିଷ୍ଟଙ୍କ ନୃତ୍ୟ ସଂଯୋଜନାରେ ମହାକବି କାଳିଦାସଙ୍କ ‘ମେଘଦୂତମ୍‌’ ସମବେତ ଦର୍ଶକମାନଙ୍କ କରତାଳି ସାଉଁଟିଥିଲା।

ଏହା ପରେ ଚେନ୍ନାଇରୁ ଆସିଥିବା ଗୁରୁ ଅନିଥା ଗୁହା ଓ ସାଥୀ ଶିଳ୍ପୀମାନେ ପୌରାଣିକ ରାମାୟଣରୁ ଉଦ୍ଧୃତ କିଛି ବିଷୟବସ୍ତୁକୁ ରାଗ ମର୍ଗାଝି ଥିଙ୍ଗଲରେ ପରିଷେଣ କରିଥିଲେ। କ୍ରୋଧ ଜର୍ଜରିତ ପର୍ଶୁରାମଙ୍କ ଅହଙ୍କାର ବିନାଶ କଥା ବେଶ୍ ମନଛୁଆଁ ହୋଇଥିଲା। ସୁର ଦାଶଙ୍କ ରଚନାରେ ମହାଦେବଙ୍କ ପାଞ୍ଚ ରୂପଚର୍ଯ୍ୟାକୁ ନେଇ ପଞ୍ଚଶିବନ୍, ତରାନା ଏବଂ ଭୀମ ମାରୁତି ନାଟକ ପରିବେଷିତ ହୋଇଥିଲା। ଏହା ରାଗ ଜୌନପୁରୀ ଓ ଦରବାରି ଉପରେ ପର୍ଯ୍ୟବସିତ ଥିଲା। ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ଅନିଥା ଗୁହା। ଶେଷ ପର୍ଯ୍ୟାୟରେ ପଶ୍ଚିମବଙ୍ଗ କାଳିପଦ ଛଉ ନୃତ୍ୟ ସମିତିର କଳାକାରମାନେ ମୁହଁରେ ମୁଖା ପରିଧାନ କରି ପରିବେଷଣ କରିଥିଲେ ମହିଷାସୁର ବଧ। ଏହି ସମରକଳା ନୃତ୍ୟ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା। ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମି ଏବଂ ଆର୍ଟ ଭିଜନର ମିଳିତ ଆନୁକୂଲ୍ୟରେ ଧଉଳି ପାହାଡ଼ ପାଦଦେଶରେ ଚାଲିଥିବା ୧୭ତମ ଧଉଳି କଳିଙ୍ଗ ମହୋତ୍ସବର ଆଜି ଦ୍ବିତୀୟ ସଂଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ୍‌ କୁମାର ଦେବ, ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏବଂ ଓଡ଼ିଶା ଡ୍ୟାନ୍ସ ଏକାଡେମିର ସଚିବ ଗୁରୁ ଅରୁଣା ମହାନ୍ତି। କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ଇଂ ଶ୍ରୀନିବାସ ଘଟୁଆରି ଏବଂ ନାଜିଆ ସାୟିଦ୍। ଏହି ଅବସରରେ ଖ୍ୟାତିସଂପନ୍ନ ଶାସ୍ତ୍ରୀୟ ଓଡ଼ିଶୀ ଓ ହିନ୍ଦୁସ୍ଥାନୀ କଣ୍ଠଶିଳ୍ପୀ ଗୁରୁ ପଣ୍ଡିତ ଗୋପାଳଚନ୍ଦ୍ର ପଣ୍ଡାଙ୍କୁ ଚଳିତ ବର୍ଷର ‘ବୁଦ୍ଧ ସମ୍ମାନ’, ପ୍ରଖ୍ୟାତ ବୀଣା ବାଦକ ଗୁରୁ କେ ରାମାରାଓ ପାତ୍ରଙ୍କୁ ‘ଗୁରୁ ଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର