ଭୁବନେଶ୍ୱର: କଳିଙ୍ଗ ପୁସ୍ତକ ମେଳାର ଦ୍ୱିତୀୟ ସନ୍ଧ୍ୟାର ଆକର୍ଷଣ ଥିଲା କୁଇଜ୍ ପ୍ରତିଯୋଗିତା। ଦର୍ଶକମାନେ ଏଥିରେ ଭାଗ ନେଇ ଆକର୍ଷଣୀୟ ପୁରସ୍କାର ଜିତିଥିଲେ। ଆସନ୍ତାକାଲି ଠାରୁ ପୁସ୍ତକ ମେଳା ମଞ୍ଚରେ ସ୍କୁଲ ଓ କଲେଜ ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବ। ସନ୍ଧ୍ୟାରେ ଆକର୍ଷଣୀୟ ସାରସ୍ୱତ ତଥା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜିତ ହେବ। ଆସନ୍ତାକାଲିର ପୁସ୍ତକ ମେଳା ମଞ୍ଚର ଅନ୍ୟତମ ଆକର୍ଷଣ ହେବ ବ୍ୟଙ୍ଗ କବି ସମ୍ମିଳନୀ।
ଚତୁର୍ଥ ସନ୍ଧ୍ୟା, ୨୦ ତାରିଖରେ ରୋଟାରି ଡିଷ୍ଟ୍ରିକ୍ଟ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ୨୩ ତାରିଖ ସନ୍ଧ୍ୟାରେ ମମତା ଅନୁଷ୍ଠାନ ପକ୍ଷରୁ ‘ସମାଜରେ ମହିଳା ଲେଖିକାମାନଙ୍କ ପ୍ରଭାବ ଓ ଭୂମିକା’ ଶୀର୍ଷକ ଆଲୋଚନଚକ୍ର ଅନୁଷ୍ଠିତ ହେବ। ନବମ ସନ୍ଧ୍ୟାରେ କଳିଙ୍ଗ ପୁସ୍ତକ ମେଳା ସାରସ୍ୱତ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହେବ। ଓଡ଼ିଆ ସାହିତ୍ୟର ୧୦ଟି ବିଭାଗରେ ଚୟନ କରା ଯାଇଥିବା ୧୨ଟି ପୁସ୍ତକକୁ ଚଳିତ ବର୍ଷର ସାରସ୍ୱତ ସମ୍ମାନ ପ୍ରଦାନ କରାଯିବ। ଏହା ସହିତ ପୁସ୍ତକ ମେଳା ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ଗୀତା ହୋତାଙ୍କ ସ୍ମୃତିରେ ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଶୈଳରାଣୀ ମିଶ୍ରଙ୍କୁ ପ୍ରଥମ ‘ଗୀତା ହୋତା ସ୍ମୃତି ସ୍ମାରକୀ ସମ୍ମାନ’ ପ୍ରଦାନ କରାଯିବ। ଏହି ମେଳାରେ ସାରା ଦେଶରୁ ୨୦୦ରୁ ଊର୍ଦ୍ଧ୍ୱ ପୁସ୍ତକ ପ୍ରକାଶକ, ବିତରକ, ବିକ୍ରେତା ଯୋଗ ଦେଇଛନ୍ତି।