ମନ କିଣିଲା କଳସୀ, ଢେମ୍‌ସା

‘ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ’ର ଦ୍ବିତୀୟ ସନ୍ଧ୍ୟା

ଭୁବନେଶ୍ବର: ଆଜି ଥିଲା ‘ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ-୨୦୨୨’ର ଦ୍ବିତୀୟ ସଂଧ୍ୟା। କେନ୍ଦ୍ର ଜନଜାତି ମନ୍ତ୍ରାଳୟ ସହାୟତାରେ ଭୁବନେଶ୍ବରସ୍ଥିତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ଦେଶର ୧୧ଟି ଜନଜାତିଙ୍କ ପାରମ୍ପରିକ ନୃତ୍ୟ ଦର୍ଶକମାନଙ୍କୁ ବିଭୋର୍‌ କରିଥିଲା। ଓଡ଼ିଶା ସାନ୍ତାଳମାନଙ୍କ କଳସୀ ନୃତ୍ୟ ଓ ଗଦବା ଜନଜାତିଙ୍କ ଢେମ୍‌ସା ନୃତ୍ୟ ଦର୍ଶକମାନଙ୍କ ମନ କିଣିନେଇଥିଲା।

ପ୍ରଥମେ ମହାରାଷ୍ଟ୍ରର ଗୋଣ୍ଡ ଜନଜାତିଙ୍କର ପାରମ୍ପରିକ ‘ଘୁସାଡ଼ି ନୃତ୍ୟ’ ପରିବେଷିତ ହୋଇଥିଲା। ଏହି ନୃତ୍ୟ‌ରେ କଳାକାରମାନେ ଶରୀରକୁ ଚୂନରେ ଚିତ୍ରିତ କରିଥିବା ବେଳେ ବିଭିନ୍ନ ମଞ୍ଜିର ହାର ଓ ଛୋଟ ଛୋଟ ଘଣ୍ଟିରେ ସଜାଇ ହୋଇ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିଲେ। ପରେ ପରେ ମିଜୋ ଜନଜାତିଙ୍କ ‘ସରଲାମକାଇ ନୃତ୍ୟ’ ବି କିଛି କମ୍ ଆକର୍ଷଣୀୟ ନଥିଲା। ତେବେ ମଞ୍ଚରେ ଓଡ଼ିଶାର ସାନ୍ତାଳ ଜନଜାତିଙ୍କର ‘କଳସୀ ନୃତ୍ୟ’ ପରିବେଷିତ ହେଲା ବେଳେ ଦର୍ଶକମାନଙ୍କ କରତାଳିରେ ମାହୋଲ୍ ସରଗରମ ହୋଇଉଠିଥିଲା।

ଏଥିରେ କଳାକାରମାନେ ପାରମ୍ପରିକ ବେଶଭୂଷାରେ ଡ୍ରମ ଓ ବଂଶୀ ବଜାଇ ନୃତ୍ୟ କରିଥିଲେ। ସେହିପରି ଝାଡ଼ଖଣ୍ଡ ଓରାଓଁ ଜନଜାତିଙ୍କର ‘କରମଥାପଡ଼ି ନୃତ୍ୟ’ ବେଶ୍ ସୁନ୍ଦର ହୋଇଥିଲା। ଏହା ପରେ ଓଡ଼ିଶାର ଗଦବା ଜନଜାତିଙ୍କର ‘ଢେମ୍‌ସା ନୃତ୍ୟ’ରେ ଢୋଲ ଓ ମାଦଳ ବାଦ୍ୟରେ ମଣ୍ଡପ ଦୁଲୁକି ଉଠିଥିଲା। ପରେ ପରେ ଗୋଆର ଭେଲିପ୍‌ ଜନଜାତିଙ୍କ ‘ଚୌରାଙ୍ଗ ନୃତ୍ୟ’, ଛତିଶଗଡ଼ ଗୋଣ୍ଡ ଜନଜାତିର ‘ଗୌରମାର ମାଣ୍ଡରି ନୃତ୍ୟ’, ଆନ୍ଧ୍ରପ୍ରଦେଶ କନ୍ଧ ଜନଜାତିଙ୍କ ‘ମୟୂରା ନୃତ୍ୟ’, ରାଜସ୍ଥାନର ଭିଲ୍‌ମିନା ଜନଜାତିଙ୍କ ‘କଚ୍ଚିଘୋଡ଼ି ନୃତ୍ୟ’, ଉତ୍ତରାଖଣ୍ଡର ଜୌନସାରି ଜନଜାତିଙ୍କ ‘ହାତୀ ନୃତ୍ୟ’, ହିମାଚଳ ପ୍ରଦେଶର ତାଳଗାଡ଼ି ଜନଜାତିଙ୍କର ‘ହରନତର ନୃତ୍ୟ’ ପରିବେଷିତ ହୋଇଥିଲା।

ଆଜି ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା ଯୋଗ ଦେଇ କଳାକାରମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସୂଚନାଯୋଗ୍ୟ, ଏହି ନୃତ୍ୟ ମହୋତ୍ସବ ମେ’ ୨୧ରେ ଉଦ୍‌ଯାପିତ ହେବ। ଏହି ନୃତ୍ୟ ମହୋତ୍ସବରେ ଓଡ଼ିଶା ସମେତ ୧୫ଟି ରାଜ୍ୟର ୨୦ଟି ଜନଜାତି ସଂପ୍ରଦାୟର ସମୁଦାୟ ୩୧ଟି ନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର