ଭୁବେନେଶ୍ବର: ଜମିଦାର ପ୍ରତାପ ସାମନ୍ତରାୟଙ୍କ ଏକମାତ୍ର ଝିଅ ମିନତିର ବାହାଘର ପାଇଁ ପ୍ରସ୍ତାବ ଆସିଛି। ଜାକଜମକରେ ବିବାହ କରିବାକୁ ଯୋଗାଡ଼ରେ ଲାଗି ପଡ଼ିଛନ୍ତି ଜମିଦାର। ହେଲେ ମନ ଭିତରେ ଗୋଟିଏ ଦୁଃଖ। ଝିଅକୁ କାନ୍ଦଣା ଆସେନାହିଁ। ଝିଅକୁ ମାତ୍ର ୫ ବର୍ଷ ବୟସ ହୋଇଥିବା ବେଳେ ପତ୍ନୀ ଆରପାରିକୁ ଚାଲି ଯାଇଛନ୍ତି। କନ୍ଦେଇବା ତ ଦୂରର କଥା ଆଜି ଯାଏ ଝିଅକୁ ଟାଣ କଥା ପଦେ କହିନାହାନ୍ତି। ଝିଅ ବି କାନ୍ଦିବାକୁ ପସନ୍ଦ କରେନି। ହେଲେ ଝିଅ ବିଦା ବେଳେ ନକାନ୍ଦିଲେ କଥାଟା ଅସୁନ୍ଦର ହେବ। ସାହି ପଡ଼ିଶା ଲୋକ ଟୁପୁରଟାପୁର ହେବେ। ଆଉ ପୁଅ ଘର ‌ଲୋକ ଜାଣିଲେ ତ କଥା ସରିଲା। ଏତିକି ବେଳେ ଜମିଦାରଙ୍କ ପାଖରେ ଜଣେ କାନ୍ଦମାଷ୍ଟ୍ରେ ଆସି ପହଞ୍ଚନ୍ତି। ନାମ ଦୁଃଖବନ୍ଧୁ। ‌ସେ ବୁଲି ବୁଲି ଝିଅମାନଙ୍କୁ କାନ୍ଦିବା କୌଶଳ ଶିଖାଇଥାନ୍ତି।

Advertisment

ଦୁଃଖବନ୍ଧୁ ମିନତିଙ୍କୁ କାନ୍ଦଣା ଶିଖାନ୍ତି। କାନ୍ଦଣାରେ କେମିତି ଜୀବନ ଯାତନାର କଥା ରହିଛି ତାକୁ ବୁଝାନ୍ତି। ସେଠି ଜମିଦାରଙ୍କ ବିଧବା ଭଉଣୀ ରାଧିକା ବସାଉଠା କରୁ କରୁ ଦୁଃଖବନ୍ଧୁ ସହ ପ୍ରେମରେ ପଡ଼ିଯାଏ। ମିନତିର ବିବାହ ପରେ ଦୁଃଖବନ୍ଧୁ ଓ ରାଧିକା ଘରୁ ଚାଲିଯାଇ ମନ୍ଦିରରେ ବିବାହ କରନ୍ତି। ବିବାହର କିଛି ଦିନପରେ ନକାନ୍ଦିବା ପାଇଁ ରାଧିକା ରାଣ ଦିଅନ୍ତି। ଏଇଠୁ ଆରମ୍ଭ ହୁଏ ଦୁଃଖବନ୍ଧୁଙ୍କ ଦୁଃଖ। କାନ୍ଦ ତାଙ୍କ ପାଇଁ ସବୁକିଛି ହେଲେ ମଧ୍ୟ ପରିବାର ପାଇଁ ସେ ଏ କଳାକୁ ବାଧ୍ୟ ହୋଇ ତ୍ୟାଗ କରିଥିଲେ। ସାଂସାରିକ ଜୀବନକୁ ପ୍ରବେଶ ପରେ କଳାକୁ ଛାଡ଼ି ବଞ୍ଚିବା ଦୁଃଖବନ୍ଧୁଙ୍କ ପାଇଁ ଅସହ୍ୟ ହୋଇ ପଢ଼ିଛି। ଏଭଳି ଏକ ପାରମ୍ପରିକ କାହାଣୀକୁ ନେଇ ଆଜି ଅଗ୍ରଣୀ ନାଟ୍ୟସଂସ୍ଥା ପଞ୍ଚମବେଦ ପକ୍ଷରୁ ଅଷ୍ଟଦଶତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଓ ପଞ୍ଚମ ବେଦ ସମ୍ମାନ ସମାରୋହର ଦ୍ବିିତୀୟ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିଲା ନାଟକ ‘କାନ୍ଦମାଷ୍ଟ୍ରେ’।

ନାଟକୁ ଭୁବନେଶ୍ବର ମିରର୍‌ ନାଟ୍ୟସଂସ୍ଥାର କଳାକାର ପରିବେଷଣ କରିଥିଲେ। ଅଭିନୟରେ ଶିବ ଶଙ୍କର ତ୍ରିପାଠୀ, ରଘୁନାଥ ବେହେରା, ପ୍ରଶାନ୍ତ ମହାପାତ୍ର, ପ୍ରଶାନ୍ତ ଷଡ଼ଙ୍ଗୀ, ମମତା ମହାନ୍ତି, ରୋଜାଲିନ ପ୍ରଧାନ, ବିଦ୍ୟା ଭାରତୀ ଦାସ ଓ ଅନନ୍ତ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତରେ ଶକ୍ତି ପ୍ରସାଦ ମିଶ୍ର, ଆଲୋକରେ ସଞ୍ଜୟ ପ୍ରଧାନ, ରୂପସଜ୍ଜା ବିଧାନ ପ୍ରଧାନ, ମଞ୍ଚସଜ୍ଜା ପ୍ରଜ୍ଞାଦତ୍ତ ସାହୁ, ପୋଷାକରେ ଜନତା ଚିତ୍ରାଳୟ ଓ ମଞ୍ଚ ପରିଚାଳନାରେ ରାଜ୍ ସହଯୋଗ କରିଥିଲେ। ଜାକିର୍ ଖାନ୍‌ଙ୍କ ରଚିତ ନାଟକକୁ ସମ୍ପାଦନା ଓ ନିର୍ଦ୍ଦେଶନା ଦେଇଛନ୍ତି ଶିବ ଶଙ୍କର ତ୍ରିପାଠୀ। ଅତିଥିଭାବେ ନାଟ୍ୟ ନିର୍ଦେଶକ ଧୀର ମଲ୍ଲିକ ଓ ଲଲାଟେନ୍ଦୁ ରଥ ଏବଂ ପଞ୍ଚମବେଦର ସଭାପତି ହରେନ୍‌ ସାହୁ ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।