ଘୋଷଣାରେ ସୀମିତ ଦ୍ୱିତୀୟ ମହାପ୍ରୟାଣ ଗାଡ଼ି, ଏବେ ବି ବାରଣ୍ଡାରେ ଗଡ଼ୁଛି ଶବ

ଭୁବନେଶ୍ୱର: ଦୁଇ ମାସ ତଳର ଘଟଣା। ଘରୋଇ ଆମ୍ବୁଲାନ୍ସ ପାଇଁ ଟଙ୍କା ନ ଥିବାରୁ ମା’ର ଶବକୁ ଷ୍ଟ୍ରେଚର୍‌ରେ ଠେଲି ଠେଲି ଖୋର୍ଦ୍ଧା ନେବାକୁ ବାହାରିଥିଲେ ଜଣେ ଯୁବକ। ସେତେବେଳେ ଏ ଘଟଣାକୁ ନେଇ ଆଲୋଡ଼ନ ସୃଷ୍ଟି ହେବାରୁ ପ୍ରଶାସନର ଚେତା ପଶିଲା। କ୍ୟାପିଟାଲ ହସ୍ପିଟାଲକୁ ଆଉ ଗୋଟିଏ ମହାପ୍ରୟାଣ ଗାଡ଼ି ଖୁବ୍‌ଶୀଘ୍ର ଦିଆଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଘୋଷଣା କଲେ। ହେଲେ ସେ ‘ଖୁବ୍‌ଶୀଘ୍ର’ ସମୟ ଦୁଇ ମାସ ପରେ ବି ଆସି ପାରିନାହିଁ କି’ କେବେ ଆସିବ, ତା’ର ଉତ୍ତର କାହା ପାଖରେ ନାହିଁ। ଫଳରେ ଏବେ ବି ହସ୍ପିଟାଲ ବାରଣ୍ଡାରେ ଶବ ଗଡ଼ୁଛି ଓ ଆତ୍ମୀୟସ୍ବଜନ ହସ୍ପିଟାଲର ଏକମାତ୍ର ମହାପ୍ରୟାଣ ଗାଡ଼ିକୁ ଚାତକ ପରି ଅନେଇ ରହୁଛନ୍ତି।

ଅପରପକ୍ଷେ, ମହାପ୍ରୟାଣ ଗାଡ଼ିରେ ଶବ ନେବା ପୂରାପୂରି ମାଗଣା ବୋଲି ଜିଲ୍ଲାପାଳ ଘୋଷଣା କରିଥିଲେ। ଏହାପରେ ମୃତକଙ୍କ ପରିବାର କିମ୍ବା ସଂପର୍କୀୟଙ୍କଠାରୁ କିଲୋମିଟର ପିଛା ଆଦାୟ କରାଯାଉଥିବା ୧୦ ଟଙ୍କାକୁ ସଂପୂର୍ଣ୍ଣ ଛାଡ଼ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ଏହି ଖର୍ଚ୍ଚ ବହନ କରିବେ ବୋଲି ଜିଲ୍ଲାପାଳ କହିଥିଲେ। ଘୋଷଣା ପରେ ପରେ ମହାପ୍ରୟାଣ ଗାଡ଼ି ପାଇଁ ଲୋକଙ୍କୁ ଆଉ ଟଙ୍କା ଦେବାକୁ ପଡ଼ୁନି। କିନ୍ତୁ ଏହି ବୋଝ ଏବେ ହସ୍ପିଟାଲ ଉପରେ ଅତିରିକ୍ତ ଭାବେ ଲଦି ହୋଇଯାଇଛି। ଜିଲ୍ଲାପାଳ ସିନା ଘୋଷଣା କରିଦେଲେ, କିନ୍ତୁ ଦୁଇ ମାସ ହେଲାଣି ଗାଡ଼ି ଖର୍ଚ୍ଚ ବାବଦକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଟଙ୍କାଟିଏ ବି ହସ୍ପିଟାଲକୁ ମିଳି ପାରିନାହିଁ। ଏ ସମସ୍ୟା ଭିତରେ ଆଉ ଗୋଟିଏ ସମସ୍ୟା ଏବେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ବେଶି ଚିନ୍ତାରେ ପକାଇଛି। ମହାପ୍ରୟାଣ ଗାଡ଼ିରେ ନିୟୋଜିତ କର୍ମଚାରୀଙ୍କ ଦରମା ଦୀର୍ଘ ଦିନ ହେଲା ବଢ଼ି ନଥିବାରୁ ସେମାନେ ଚାକିରି ଛାଡ଼ି ଦେବାକୁ ସଜବାଜ ହେଲେଣି। ତେଣୁ ଏପରି ହେଲେ, ନୂଆ ମହାପ୍ରୟାଣ ଗାଡ଼ି ଆସିବା ଦୂରରେ ଥାଉ, ଯୋଉ ଗୋଟିକ ବି ଚାଲିଛି, ତାହା ଖୁବ୍‌ଶୀଘ୍ର ବନ୍ଦ ହୋଇଯିବାର ଆଶଙ୍କା ଦେଖାଦେଇଛି।

ମହାପ୍ରୟାଣ ଗାଡ଼ି ଦାୟିତ୍ବରେ ଥିବା କର୍ମଚାରୀଙ୍କ କହିବା ମୁତାବକ, ଜିଲ୍ଲାପାଳଙ୍କ ଘୋଷଣା ପରେ ପରେ ଗାଡ଼ିକୁ ପୂରା ଦେୟମୁକ୍ତ କରି ଦିଆଗଲା। କିନ୍ତୁ ଡିଜେଲ୍‌ ଓ ଗାଡ଼ିର ମରାମତି ବାବଦ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ଆସିବା ନେଇ ଅନୁମୋଦନ ହୋଇନଥିବାରୁ ଏ ଖର୍ଚ୍ଚ ଏବେ ହସ୍ପିଟାଲ ଉପରେ ପଡ଼ୁଛି। ଏହାସହ ମହାପ୍ରୟାଣ ଗାଡ଼ିର ଡ୍ରାଇଭରଙ୍କ ଦରମା ବୃଦ୍ଧି କରାଯିବାକୁ ଘୋଷଣା କରାଯାଇଥିଲା। ଗାଡ଼ିରେ ହେଲପର୍‌ ମଧ୍ୟ ଯୋଗାଇ ଦେବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏଯାଏ କୌଣସି ପ୍ରକାର ପ୍ରତିଶ୍ରୁତି ପାଳନ କରାଯାଇନାହିଁ। ତେଣୁ ଯେଉଁ ଦୁଇଜଣ ଗାଡ଼ି ଚଳାଉଛନ୍ତି, ସେମାନେ ଏବେ ଚାକିରି ଛାଡ଼ିବାକୁ ଧମକ ଦେଲେଣି।
ଏ ବାବଦରେ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ମହାପ୍ରୟାଣ ଗାଡ଼ିର ଡିଜେଲ୍‌ ଖର୍ଚ୍ଚ ହସ୍ପିଟାଲ ପାଣ୍ଠିରୁ ଯାଉଛି। ଯେତିକି ବିଲ୍‌ ହେଉଛି, ସବୁ ଜିଲ୍ଲାପାଳଙ୍କ ଅଫିସ୍‌କୁ ଦିଆଯିବ। ଏହାସହ ଆଉ ଗୋଟିଏ ନୂଆ ମହାପ୍ରୟାଣ ଗାଡ଼ି ମଧ୍ୟ ଆସିବ। ଏହି ପ୍ରକ୍ରିୟା ପାଇଁ ସମୟ ଲାଗୁଥାଇପାରେ।

୬ ଘଣ୍ଟା ଅଚଳ ସିଟି ସ୍କାନ୍‌

ଭୁବନେଶ୍ବର: ନେଟ୍‌ୱର୍କରେ ଅସୁବିଧା ଯୋଗୁଁ ଆଜି କ୍ୟାପିଟାଲ ହସ୍ପିଟାଲରେ ପାଖାପାଖି ୬ଘଣ୍ଟା ଧରି ସିଟି ସ୍କାନ୍‌ ମେସିନ୍‌ ଅଚଳ ହୋଇଯାଇଥିଲା। ଫଳରେ ପରୀକ୍ଷା ପାଇଁ ଧାଡ଼ିରେ ଥିବା‌ ଲୋକ‌ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେବେ ସଂଧ୍ୟାରେ ଏହାକୁ କାର୍ଯ୍ୟକ୍ଷମ କରାଯାଇଥିଲା।

ସୂଚନାନୁସାରେ, ଆଜି ସକାଳୁ କ୍ୟାପିଟାଲ ହସ୍ପିଟାଲରେ ସିଟିସ୍କାନ୍‌ ମେସିନ୍‌ ପାଇଁ ଥିବା ନେଟୱର୍କ ଓ ହାର୍ଡୱ‌େୟାର ଅସୁବିଧା ଦେଖାଯାଇଥିଲା। ଫଳରେ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଅଧିକାଂଶ ରୋଗୀ ବାହାରକୁ ଯାଇ ସିଟିସ୍କାନ୍‌ କରାଇଥିଲେ। ମେସିନ୍‌ ଠିକ୍‌ ହେବା ପରେ ରୋଗୀମାନେ ସିଟି ସ୍କାନ କରିଥିଲେ।

ସମ୍ବନ୍ଧିତ ଖବର