ଭୁବନେଶ୍ବର: ପଦାମୃତ ନୃତ୍ୟାୟନ ପକ୍ଷରୁ ଦ୍ବିତୀୟ ବିମୁଗ୍ଧା ନୃତ୍ୟ ମହୋତ୍ସବ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରବୋଧ ରଥ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୁରୁ ବିଜୟ କୁମାର ଜେନା, ପୂର୍ବତନ ବିଧାୟକ ତ୍ରିନାଥ ବେହେରା, କଟକ ଏସିପିୟୁପିଡିର କୃଷ୍ଣଚନ୍ଦ୍ର ସେଠୀ, ମର୍ଦ୍ଦଳବାଦକ ଗୁରୁ ଧନେଶ୍ବର ସ୍ବାଇଁ, ପଦାମୃତର ଉପଦେଷ୍ଟା ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ।
ଏହି ଅବସରରେ ବିଶିଷ୍ଟ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସଙ୍କୁ ବିମୁଗ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ପରେ ପ୍ରତିଭାବାନ୍ ନୃତ୍ୟଶିଳ୍ପୀଙ୍କୁ ନେଇ ଏକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଅବସରରେ ପ୍ରତିଯୋଗିତାର ଦୁଇ ବିଚାରକ ଗୁରୁ ସଂଯୁକ୍ତା ଦାସ ଓ ନିମାକାନ୍ତ ରାଉତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ସଙ୍ଗୀତା ଛୋଟରାୟଙ୍କ ଏକକ ନୃତ୍ୟରୁ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ। ଶ୍ରୀକାକୁଲାମ୍ରୁ ଆସିଥିବା ରାମାକୌଣ୍ଡିନ୍ୟା କୁଚିପୁଡ଼ି ପରିବେଷଣ କରିଥିଲେ। ପରେପରେ ପୁନେରୁ ଆସିଥିବା ପ୍ରମୋଦ ବାଗ୍ କଥକ ନୃତ୍ୟ ପରିବେଷଣ କରିଥିବା ବେଳେ ବିନ୍ଦ୍ରା ଚଢ଼ା ଓ ଅଙ୍କିତା ବକ୍ସିଙ୍କ ଓଡ଼ିଶୀ ଯୁଗଳବନ୍ଦୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ପରେ ଅନୁଷ୍ଠାନର ଦୁଇ କଳାକାର ସୁହାନି ସାହୁ ଓ ନିକିତା ବେହେରା ଦ୍ବୈତ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ ରୁଦ୍ରାକ୍ଷ ଫାଉଣ୍ଡେସନ୍ ନୃତ୍ୟ ଅନୁଷ୍ଠାନ ଦ୍ବାରା ଗୁରୁ ବିଚିତ୍ରାନନ୍ଦ ସ୍ବାଇଁଙ୍କ ତତ୍ତ୍ଵାବଧାନରେ ଦଳଗତ ନୃତ୍ୟରେ କାଳୀକୃଷ୍ଣ ପରିବେଷଣ ହୋଇଥିଲା। ଅନୁଷ୍ଠାନର ସମ୍ପାଦିକା ପ୍ରୀତିପ୍ରିୟା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶ୍ରୀନିବାସ ଘଟୁଆରି ମଞ୍ଚ ସଂଯୋଜନା କରିଥିଲେ।