ମହିଳା, ଶିଶୁଙ୍କ ପାଇଁ ଘାତକ ସାଜିଛି ଦ୍ବିତୀୟ ଲହର, ପ୍ରଥମ ଲହରକୁ ଟପିଲାଣି ଦ୍ବିତୀୟର ଆକ୍ରାନ୍ତଙ୍କ ସଂଖ୍ୟା

ମୋଟ୍ ଆକ୍ରାନ୍ତଙ୍କର ୩୭.୬୫% ମହିଳା, ୬.୮୧% ପିଲା, କେବଳ ଦ୍ବିତୀୟ ଲହରରେ ୪୦.୬୧% ମହିଳା, ୭.୧୨% ପିଲା ଆକ୍ରାନ୍ତ

ବିଶ୍ବଜିତ ଦାଶ

ଭୁବନେଶ୍ବର: କରୋନାର ଦ୍ବିତୀୟ ଲହର ଅଧିକ ଘାତକ ହେବାରେ ଲାଗିଛି। ପ୍ରଥମ ଲହରରେ ବର୍ଷକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଦ୍ବିତୀୟ ଲହରରେ ଅଢ଼େଇ ମାସ ନ ପୂରୁଣୁ ଆକ୍ରାନ୍ତଙ୍କ ସଂଖ୍ୟା ତାକୁ ଟପି ଯାଇଛି। ଆଶ୍ଚର୍ଯ୍ୟର ବିଷୟ, ପ୍ରଥମ ଲହରରେ କମ୍‌ ମହିଳା ଓ ଶିଶୁ ଆକ୍ରାନ୍ତ ହୋଇଥିବା ବେଳେ ଦ୍ବିତୀୟ ଲହରରେ ଅଧିକ ମହିଳା ଓ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଏପରିକି ଗତବର୍ଷ ଅପେକ୍ଷା ଏଥର ଅଧିକ ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୫, ୨୦୨୦ରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୪ମାର୍ଚ୍ଚ ୨୦୨୧ ମଧ୍ୟରେ (ପ୍ରଥମ ପର୍ଯ୍ୟାୟରେ) ମୋଟ୍ ୩୨୦୭୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିରୁ ୨୦୯୯୧ଜଣ ଅର୍ଥାତ୍ ୬୫.୪୩% ପୁରୁଷ ଆକ୍ରାନ୍ତ ଥିଲେ। ୧୧୦୮୬ଜଣ ଅର୍ଥାତ୍ ୩୪.୫୬% ମହିଳା ଆକ୍ରାନ୍ତ ଥିଲେ। ଏଥିରୁ ୬.୪% ପିଲା ଥିଲେ। ଅର୍ଥାତ୍ ୨୦୮୦ଜଣ ୧୮ ବର୍ଷରୁ କମ୍‌ ପିଲା କରୋନା ଆକ୍ରାନ୍ତ ଥିଲେ। କିନ୍ତୁ ମାର୍ଚ୍ଚ ୧୫, ୨୦୨୧ରୁ ମେ’ ୨୩ ମଧ୍ୟରେ ୩୬,୯୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ପ୍ରାୟ ୬୦% ପୁରୁଷ ଆକ୍ରାନ୍ତ ଥିବା ବେଳେ ୪୦% ମହିଳା ଅଛନ୍ତି। ୭%ରୁ ଅଧିକ ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି। ଦୁଇ ମାସ ୮ ଦିନରେ ବର୍ଷକର କରୋନା ଆକ୍ରାନ୍ତଙ୍କ ସଂଖ୍ୟାକୁ ରାଜଧାନୀ ପଛରେ ପକାଇ ଦେଇଛି। ମେ’ ୨୩, ୨୦୨୧ ସୁଦ୍ଧା ରାଜଧାନୀରେ ୬୮,୯୯୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୩୬,୯୨୦ଜଣ ଦ୍ବିତୀୟ ଲହରରେ ଏବଂ ୩୨୦୭୭ଜଣ ପ୍ରଥମ ଲହରରେ ଚିହ୍ନଟ ହୋଇଛନ୍ତି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଦ୍ବିତୀୟ ଲହର କେବଳ ଦ୍ରୁତ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ାଉନି, ବରଂ ବହୁ ମହିଳା ଓ ଶିଶୁଙ୍କୁ ଅଧିକ ପ୍ରଭାବିତ କରୁଛି। ଦ୍ବିତୀୟ ଲହରରେ ମେ’ ୨୦ ତାରିଖ ସୁଦ୍ଧା ମୋଟ୍ ୩୩୬୧୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରେ ୧୯୯୬୩ ଜଣ ପୁରୁଷ ଥିଲେ। ଯାହା ମୋଟ୍ ଆକ୍ରାନ୍ତଙ୍କର ୫୯.୩୮%। ପ୍ରଥମ ଲହରରେ ୬୫.୪୩% ପୁରୁଷ ଆକ୍ରାନ୍ତ ହୋଇଥିଲେ। ସେହିପରି ଏହି ସମୟରେ ୧୩୬୫୪ଜଣ ମହିଳା ଆକ୍ରାନ୍ତ ହୋଇଛନ୍ତି। ଯାହା ମୋଟ୍ ଆକ୍ରାନ୍ତଙ୍କର ୪୦.୬୧%। ଯେତେବେଳେ କି ଗତ ଲହରରେ ୩୪.୫୬% ମହିଳା ଆକ୍ରାନ୍ତ ହୋଇଥିଲେ। ଏହି ସମୟରେ ୨୩୯୪ଜଣ ପିଲା ଆକ୍ରାନ୍ତ ହୋଇଛନ୍ତି। ଯାହା ମୋଟ୍ ଆକ୍ରାନ୍ତଙ୍କର ୭.୧୨%। ଯେତେବେଳେ କି ପ୍ରଥମ ଲହରରେ ୬.୪% ପିଲା ଆକ୍ରାନ୍ତ ହୋଇଥିଲେ।

ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଗତବର୍ଷ ୧୦ ବର୍ଷରୁ ଅଧିକ ଶିଶୁ କରୋନା ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଏଥର ୧୦ ବର୍ଷରୁ କମ୍‌ ପିଲା ଅଧିକ ଆକ୍ରାନ୍ତ ହୋଇଛନ୍ତି। ଜନ୍ମ ପରେ କିମ୍ବା ଜନ୍ମର କିଛି ଦିନ ପରେ ବହୁ ଶିଶୁ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି। ବହୁ ଆକ୍ରାନ୍ତଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ଆଶ୍ବାସନାର ବିଷୟ ଯେ ପିଲାମାନେ ଜଲଦି ସୁସ୍ଥ ହୋଇଯାଉଛନ୍ତି। ଯେଉଁ ପରିବାରରେ ମହିଳାମାନେ କରୋନା ଆକ୍ରାନ୍ତ ହେଉଛନ୍ତି, ସେଠାରେ ପିଲାମାନେ କରୋନା ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏହାବାଦ୍ ବହୁ ଘରେ ବୟସ୍କମାନେ କୋଭିଡ୍‌ ଟିକା ନେଇସାରିଥିବାରୁ ପିଲାମାନେ ଏବେ ଆକ୍ରାନ୍ତ ହେଉଥିବା ଅନୁମାନ କରାଯାଉଛି। ତେଣୁ ପିଲାଙ୍କର ଅଧିକ ଓ ସ୍ବତନ୍ତ୍ର ଯତ୍ନ ନେବାକୁ ଆଶାକର୍ମୀମାନେ ଘରକୁ ଘର ସର୍ଭେ କ‌ଲା ବେଳେ କହୁଥିବା ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି।

୭୦ ହଜାରମୁହାଁ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା, ୧୦୪୧ ଆକ୍ରାନ୍ତ, ୯୪୧ସୁସ୍ଥ
ଭୁବନେଶ୍ବର: ରାଜଧାନୀରେ ଆଜି ୧୦୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାରମୁହାଁ ହୋଇଛି। ରାଜଧାନୀରୁ ପ୍ରତିଦିନ ହଜାରେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ୬୮୯୯୭ରେ ପହଞ୍ଚି ଥିବା ରାଜଧାନୀର ଆକ୍ରାନ୍ତଙ୍କ ସଂଖ୍ୟା ସୋମବାର ୭୦ ହଜାର ଟପିଯିବ ବୋଲି ଅନୁମାନ କରାଯାଉଛି। ସେହିପରି ଆଜି ୯୪୧ଜଣ ସୁସ୍ଥ ହୋଇଥିବା ବେଳେ ମୋଟ୍ ସୁସ୍ଥଙ୍କ ସଂଖ୍ୟା ୫୫,୮୧୦ରେ ପହଞ୍ଚିଛି। ଆଜି ତିନିଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା କୁହାଯାଇଛି। ଏବେ ୧୨୮୫୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଆଜି ପଟିଆରୁ ସର୍ବାଧିକ ୭୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖଣ୍ଡଗିରିରୁ ୫୩ଜଣ, ନୂଆପଲ୍ଲୀରୁ ୫୫ଜଣ, ପୁରୁଣା ଭୁବନେଶ୍ବରରୁ ୫୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜୟଦେବ ବିହାରରୁ ୧୬ଜଣ, ଚିନ୍ତାମଣିଶ୍ବରରୁ ୧୫ଜଣ, ଆଇଆର୍‌ସି ଭିଲେଜରୁ ୧୪ଜଣ, ମଞ୍ଚେଶ୍ବରରୁ ୧୪ଜଣ, ଜାଗମରାରୁ ୧୫ଜଣ, ବରମୁଣ୍ଡାରୁ ୩୨ଜଣ, ନୀଳାଦ୍ରିବିହାରରୁ ୨୨ଜଣ, ବଡ଼ଗଡ଼ରୁ ୨୯ଜଣ, ଝାରପଡ଼ାରୁ ୨୨ଜଣ, ଭରତପୁରରୁ ୧୬ଜଣ, ବିଜେବି ନଗରରୁ ୨୧ଜଣ, ଚନ୍ଦ୍ରଶେଖରପୁରରୁ ୩୬ଜଣ, ୟୁନିଟ-୮ରୁ ୧୫ଜଣ, ଶୈଳଶ୍ରୀବିହାରରୁ ୩୦ଜଣ, ଟଙ୍କପାରି ରୋଡ୍‌ରୁ ୧୩ଜଣ, ରସୁଲଗଡ଼ରୁ ୨୫ଜଣ, ସତ୍ୟନଗରରୁ ୧୩ଜଣ, ଡୁମୁଡୁମାରୁ ୩୮ଜଣ, ୟୁନିଟ-୩ରୁ ୧୨ଜଣ, ୟୁନିଟ୍‌-୪ରୁ ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବାଦ୍‌ ରାଜଧାନୀର ବହୁ ଅଞ୍ଚଳରୁ ୧୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧିତ ଖବର