ନିଜ ବନ୍ଧୁକରୁ ଗୁଳି ଫୁଟାଇ ଟଳିପଡ଼ିଲେ ସୁରକ୍ଷାକର୍ମୀ, ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ମାଡ଼ ମାରି ଗିରଫ ହୋଇଥିଲେ

ଆତ୍ମହତ୍ୟା ପୂର୍ବରୁ ପତିପତ୍ନୀଙ୍କ ୩ଘଣ୍ଟା ଝଗଡ଼ା ହୋଇଥିଲା

ଭୁବନେଶ୍ବର: ଗଙ୍ଗନଗର ସନ୍ତୋଷୀ ମା’ ମନ୍ଦିର ନିକଟରେ ସୋମବାର ବିଳମ୍ବିତ ରାତିରେ ଜଣେ ସୁରକ୍ଷାକର୍ମୀ ନିଜ ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ଆତ୍ମହତ୍ୟା କରିଛନ୍ତି। ତାଙ୍କ ପେଟରେ ଗୁଳିବାଜି ଛାତି ପଟୁ ବାହାରିବା ସହିତ ପ୍ରଚୁର ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ସୁରକ୍ଷାକର୍ମୀ ହେଉଛନ୍ତି, ନୟାଗଡ଼ ଶରଣକୁଳ ଥାନା ଅନ୍ତର୍ଗତ ବାଉଁଶିଆ ଗ୍ରାମର କୃଷ୍ଣଚନ୍ଦ୍ର ଦାସ। ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଆଜି କ୍ୟାପିଟାଲ ହସ୍ପିଟାଲରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଛି।

ପତ୍ନୀ ସ୍ନେହଲତାଙ୍କ କହିବାନୁଯାୟୀ, ବାହାଘର ଦିନରୁ ହିଁ ତାଙ୍କ ସ୍ବାମୀ କୃଷ୍ଣଚନ୍ଦ୍ର ତାଙ୍କ ଉପରେ ସନ୍ଦେହ କରୁଥିଲେ। ପରକୀୟା ପ୍ରୀତି ଥିବା ଅଭିଯୋଗ କରି ଅନେକ ସମୟରେ ତାଙ୍କୁ ମାଡ଼ ମାରିବା ସହିତ ମାନସିକ ନିର୍ଯାତନା ଦେଉଥିଲେ। ଗତକାଲି ବିଳମ୍ବିତ ରାତିରେ ସେହି ସମାନ କଥାକୁ ନେଇ କୃଷ୍ଣଚନ୍ଦ୍ର ତାଙ୍କ ସହ ଝଗଡ଼ା କରିଥିଲେ। ଏହା ପରେ ନିଜ ସର୍ଭିସ ବନ୍ଧୁକରୁ ନିଜକୁ ଗୁଳି କରି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପତ୍ନୀ ଓ ପୁଅଝିଅ କୌଣସି ମତେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଁ ସେ ଘରୁ ବାହାରି ଆସି ସାଙ୍ଗେ ସାଙ୍ଗେ ପିସିଆର୍‌କୁ କଲ୍ କରିଥିଲେ। ମାତ୍ର ପିସିଆର୍ ତାଙ୍କ ନିକଟରେ ପହଞ୍ଚିଥିଲେ ହେଁ ପୁଲିସ କର୍ମଚାରୀମାନେ ଗାଡ଼ିରୁ ବାହାରକୁ ଯିବା ପୂର୍ବରୁ ମାନସିକ ଭାରସାମ୍ୟ ହରାଇ ସେ ନିଜ ବନ୍ଧୁକରେ ପେଟକୁ ଗୁଳି କରି ଆତ୍ମହତ୍ୟା କରିଥିଲେ।

ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଉଭୟ ପତିପତ୍ନୀ ପରସ୍ପରର ଚରିତ୍ରକୁ ସନ୍ଦେହ କରୁଥିଲେ। ନୟାଗଡ଼ରେ ରହୁଥିବା ସମୟରେ ହିଁ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇ ଶରଣକୁଳ ଥାନାରେ ମାମଲା ପହଞ୍ଚିଥିଲା। ତେବେ ପୁଲିସ ହସ୍ତକ୍ଷେପରେ ଆପୋସ ସମାଧାନ ହୋଇଥିଲା। ଏହା ପରେ ଭୁବନେଶ୍ବର ଆସିବା ପରେ ମଧ୍ୟ ସନ୍ଦେହ ଦୂର ହୋଇନଥିବାରୁ ଅନେକ ବାର ସ୍ବାମୀ-ସ୍ତ୍ରୀଙ୍କ କଳହ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲା। ଗତ ଜାନୁଆରି ମାସରେ କୃଷ୍ଣ ପତ୍ନୀଙ୍କର ଅନ୍ୟଜଣକ ସହ ସଂପର୍କ ଥିବା ସନ୍ଦେହ କରି ନିସ୍ତୁକ ମାଡ଼ ମାରି ତାଙ୍କ ହାତ ଭାଙ୍ଗି ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ପ୍ରାୟ ୧୫ଦିନ କାଳ ଜେଲ୍‌ରେ ରହିବା ପରେ ସେ ଅଧିକ କ୍ରୋଧାନ୍ବିତ ହୋଇଥିଲେ। ଏହା ପରେ କୃଷ୍ଣ ପତ୍ନୀଙ୍କୁ ଧରି ଗଙ୍ଗନଗରସ୍ଥିତ ସନ୍ତୋଷୀ ମନ୍ଦିର ପାଖରେ ଆସି ଘରଭଡ଼ା ନେଇଥିଲେ। ତେବେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୦ଟାରୁ ଝଗଡ଼ା ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ତୀବ୍ରରୂପ ନେଇ ପ୍ରାୟ ରାତି ୧ଟା ପର୍ଯ୍ୟନ୍ତ ଚାଲିଥିଲା। ପୂର୍ବ ଭଳି କଥା କଥାକେ ପାଖରେ ଥିବା ବନ୍ଧୁକରେ ଆତ୍ମହତ୍ୟା କରିବାକୁ ଧମକ ଦେଉଥିବା କୃଷ୍ଣ ସେହି ସମାନ ଢଙ୍ଗରେ ଆତ୍ମହତ୍ୟା କରିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଏହା ଆତ୍ମହତ୍ୟା ବୋଲି ପୁଲିସ କହିବା ସହିତ ଘଟଣାର ଅନ୍ୟଦିଗକୁ ମଧ୍ୟ ତର୍ଜମା କରୁଛି। ରାଜେନ୍ଦ୍ର ନାମକ ବ୍ୟକ୍ତି ସହ ଗତକିଛି ଦିନ ଝଗଡ଼ା ପରେ ସ୍ବାମୀ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ପତ୍ନୀ ସ୍ନେହଲତା କହିଥିଲେ ହେଁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର