ଆରମ୍ଭ ହେଲାଣି ଜବରଦଖଲ, ଥଇଥାନ କଲେନି, ପୁଣି ମାଡ଼ିଲେଣି

ପ୍ରହସନ ପାଲଟିଲା ଉଚ୍ଛେଦ, ହକି ପରେ ସବୁ ନିରବ

ଭୁବନେଶ୍ବର: ହକି ପୂର୍ବରୁ ସହରକୁ ଜବରଦଖଲ ମୁକ୍ତ କରିବାକୁ ଅଣ୍ଟା ଭିଡ଼ିଲେ। ସ୍କ୍ବାଡ୍‌କୁ ୟୁନିଫର୍ମ ପିନ୍ଧାଇ ସ୍ବତନ୍ତ୍ର ଗାଡ଼ି ପୁଲିସ ସାଇରନ ଲଗାଇ ସହର ସାରା ଘୂରି ବୁଲି ଉଚ୍ଛେଦ କଲେ। ସହର ସୁନ୍ଦର ଦିଶିଲା। ଜବରଦଖଲ ଯୋଗୁ ପଡ଼ି ରହିଥିବା କେତେକ ପ୍ରକଳ୍ପ ପାଇଁ ବାଟ ଫିଟିଲା। ସ୍କ୍ବାଡ୍‌ ପିଛା ତେଲ ଓ ଦରମା‌ ବାବଦକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା। ହେଲେ ସବୁ ବରବାଦ। ହକି ସରୁ ସରୁ ଏବେ ପୁଣି ଥରେ ଜବରଦଖଲ ଆରମ୍ଭ ହେଲାଣି। ଯିଏ ଯେଉଁଠି ବସିଥିଲେ ସେଇଠି ବସିବା ଆରମ୍ଭ କଲେଣି। ପୁଣି ବେପାର ଜମିଲାଣି।

ଏ ସବୁ କେବଳ ହକି ପାଇଁ ବୋଲି ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ ସତ ହୋଇଛି। ସବୁଠାରୁ ବଡ଼ କଥା ହେଉଛି ଜବରଦଖଲ ସମସ୍ୟା ଯୋଗୁ ରାଜଭବନରୁ ନନ୍ଦନକାନନ ପର୍ଯ୍ୟନ୍ତ ରାସ୍ତା ପାଇଁ ହୋଇଥିବା ମାଷ୍ଟରପ୍ଲାନ୍‌ ଅଟକି ରହିଛି। ଜବରଦଖଲ ଉଚ୍ଛେଦ ପରେ ଏହି ମାଷ୍ଟରପ୍ଲାନ୍‌କୁ ବାସ୍ତବ ରୂପ ଦେବା ପାଇଁ ସୁଯୋଗ ରହିଥିଲା। କିନ୍ତୁ ପ୍ରକୃତ ଉଠାଦୋକାନୀଙ୍କୁ ଚିହ୍ନଟ କରି ଥଇଥାନ ପାଇଁ ପ୍ରକ୍ରିୟା ଆରମ୍ଭ କରା ନଯିବାରୁ ଜବରଦଖଲ ସମସ୍ୟା ଜଟିଳ ରୂପ ନେବାକୁ ଯାଉଛି।

ବିଶ୍ବ କପ୍‌ ହକି ଆରମ୍ଭ ପୂର୍ବରୁ ସହରର ପ୍ରମୁଖ ରାସ୍ତା କଡ଼ରେ ଥିବା ଜବରଦଖଲ ଉଚ୍ଛେଦ ହୋଇଥିଲା। ଏଥିରେ ପାଖାପାଖି ଏକ ହଜାର ଦୋକାନ ଉଚ୍ଛେଦ ହୋଇଥିଲା। ଖଣ୍ଡଗିରି ଠାରୁ ଆରମ୍ଭ କରି ରସୁଲଗଡ଼, କଳ୍ପନା ଛକରୁ ଆରମ୍ଭ କରି ନନ୍ଦନକାନନ ପର୍ଯ୍ୟନ୍ତ ସବୁଠି ଉଠାଦୋକାନୀଙ୍କୁ ଉଠା ଯିବା ସହ ସ୍ଥାୟୀ ନିର୍ମାଣ ଭଙ୍ଗା ଯାଇଥିଲା। ଶହ ଶହ ଉଠାଦୋକାନୀ ଏଥିରେ ପ୍ରଭାବିତ ହୋଇଥିଲେ। ଅଧିକାଂଶ ଉଠାଦୋକାନୀ ଏହି ଦୋକାନରୁ ପେଟ ପୋଷୁଥିବାରୁ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ବ୍ୟବସାୟୀ ସଂଘ ସହ ଆଲୋଚନା ପରେ ଉଚ୍ଛେଦ ଅଧାରୁ ବନ୍ଦ କରାଯାଇଥିଲା।

ଜୟଦେବବିହାର-ନନ୍ଦନକାନନ ରାସ୍ତା ସମ୍ପ୍ରସାରଣ ସୁଯୋଗ ହାତରୁ ଗଲା

କିନ୍ତୁ ଯେତିକି ଉଚ୍ଛେଦ ହୋଇଥିଲା ସେତିକି ଅଧିକାଂଶ ପ୍ରକଳ୍ପ ପ୍ରସ୍ତୁତ କରିବା ପାଇଁ ଯଥେଷ୍ଟ ଥିଲା। ସେଗୁଡ଼ିକ ମଧ୍ୟରୁ ପ୍ରମୁଖ ଥିଲା ରାଜଭବନରୁ ହାଇକୋର୍ଟକୁ ସଂଯୁକ୍ତ କରୁଥିବା ରାସ୍ତା। ଏହାର ସଂପ୍ରସାରଣ ପାଇଁ ଏକ ମାଷ୍ଟରପ୍ଲାନ୍‌ ସହ ନୀଳ ନକ୍ସା ପ୍ରସ୍ତୁତ ହୋଇଥିଲେ ମଧ୍ୟ ଜବରଦଖଲ ସମସ୍ୟା ଯୋଗୁ ହୋଇ ପାରୁନଥିଲା। ଏବେ ଉଭୟପାର୍ଶ୍ବରୁ ଜବରଦଖଲ ଉଚ୍ଛେଦ ହୋଇ ଥିଲା। ଏଣୁ ଏହି ମାଷ୍ଟରପ୍ଲାନ୍‌କୁ ବାସ୍ତବ ରୂପ ଦେବା ପାଇଁ ସୁଯୋଗ ରହିଥିଲା। ହେଲେ ତାହା ହାତଛଡ଼ା ହେବାକୁ ଯାଉଛି। ଏବେ ବ୍ୟବସାୟୀମାନେ ପୁଣି ଥରେ ବସୁଥିବାରୁ ସେମାନଙ୍କୁ ଉଠାଇ ଏହି ରାସ୍ତା ସମ୍ପ୍ରସାରଣ କରିବା କାଠିକର ପାଠ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଉଚ୍ଛେଦ ପରେ ଏହି ସବୁ ଜାଗା ଯେଭଳି ଆଉ ଜବରଦଖଲ ନ ହେବ ସେଥିପାଇଁ ମଧ୍ୟ ବ୍ୟବସ୍ଥା ହୋଇଥିଲା। ସେହିସବୁ ଜାଗାକୁ ତାରବାଡ଼ ବୁଲାଇ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ହୋଇଥିଲା। ହେଲେ ତାହା ଉପରେ ମଧ୍ୟ ଗୁରୁତ୍ବ ଦିଆଗଲା ନାହିଁ। କିଛି ଜାଗାରେ ତାରବାଡ଼ ବୁଲା ଯିବା ବେଳେ ଉତ୍ତେଜନା ପ୍ରକ‌ାଶ ପାଇଥିଲା। ଉଚ୍ଛେଦର ଶିକାର ହୋଇଥିବା ଉଠାଦୋକାନୀମାନେ ବିରୋଧ କରିଥିଲେ। ଏଣୁ ଏହି କାମକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ଫଳରେ ଉଚ୍ଛେଦ ପରେ ଏହି ଜାଗାକୁ ଜବରଦଖଲମୁକ୍ତ ରଖିବା ପାଇଁ କୌଣସି ବ୍ୟବସ୍ଥା ନଥିଲା। ଫଳସ୍ବରୂପ ଏହା ପୁଣି ଥରେ ଜବରଦଖଲ ହୋଇଛି।

ଉଚ୍ଛେଦର ଶିକାର ହୋଇଥିବା ଅଧିକାଂଶ ବ୍ୟବସାୟୀଙ୍କ ମତ ହେଉଛି, ଏଠାରେ ଆମେ ପରିବାର ପୋଷୁଥିଲୁ। ଥଇଥାନ ବ୍ୟବସ୍ଥା ନ କରି ପ୍ରଶାସନ ଉଚ୍ଛେଦ କରି ଦେଇଥିଲା। ହକି ପରେ ଆମେ ପୁଣି ବ୍ୟବସାୟ କରିବାକୁ ଯୋଜନା କରିଥିଲୁ। ଅନ୍ତତଃ ଥଇଥାନ ପର୍ଯ୍ୟନ୍ତ ଆମକୁ ସୁଯୋଗ ଦିଆଯାଉ ବୋଲି ସେମାନେ କହିଛନ୍ତି।

ଅନ୍ୟପଟେ ବିଡିଏର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଜାଗାକୁ ଆଉ ଜବରଦଖଲ କରିବାକୁ ଦିଆଯିବ ନାହିଁ। ଆଇନ ଅନୂଯାୟୀ ବିଏମ୍‌ସି ଯୋଗ୍ୟ ବ୍ୟବସାୟୀଙ୍କର ଥଇଥାନ ବ୍ୟବସ୍ଥା କରିବ। ପୂର୍ବରୁ ୧୭ଟି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଗଠନ ହୋଇଥିଲା। ଏବେ ଆଉ ୮ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଗଠନ ‌ହେବ। ଏଭଳି ୨୫ଟି ସ୍କ୍ବାଡ୍‌ ପୁନଃ ଜବରଦଖଲ ଉପରେ ନଜର ରଖିବା ସହ ଜବରଦଖଲ ହେଲେ ଉଚ୍ଛେଦ କରିବ।
ସୂଚନାଯୋଗ୍ୟ, ରାଜଭବନରୁ ହାଇକୋର୍ଟ ପର୍ଯ୍ୟନ୍ତ ରାସ୍ତା ପାଇଁ ପୂର୍ତ୍ତ ବିଭାଗ ଡିପିଆର ପ୍ରସ୍ତୁତ କରିଛି। ଏହାକୁ ୬ ଲେନ୍‌ ବିଶିଷ୍ଟ କରିବା ପାଇଁ ଏହି ଡିପିଆର୍‌ରେ ବ୍ୟବସ୍ଥା ରହିଛି। ରାସ୍ତା ସମ୍ପ୍ରସାରଣ ପାଇଁ ସରକାରୀ ଜମି ବାଦ୍‌ ଘରୋଇ ଜମି ଅଧିଗ୍ରହଣର ଆବଶ୍ୟକତା ଥିବାରୁ ରାସ୍ତା କଡ଼ରେ ରହିଥିବା ଘରୋଇ ଜମିରେ ନିର୍ମାଣ ଉପରେ କଟକଣା କରାଯାଇଛି। ନୂଆ ଡିପିଆର୍‌ରେ ପାୱାର ହାଉସ୍‌ ଛକରୁ ନନ୍ଦନକାନନ ପର୍ଯ୍ୟନ୍ତ ୯ଟି ଫ୍ଲାଏ ଓଭର ନିର୍ମାଣ ହେବା ଯୋଜନା ରହିଛି।

ସମ୍ବନ୍ଧିତ ଖବର