‘ଦ ମ୍ୟାଜିକ୍ ଅଫ୍ ମଙ୍ଗଳାଯୋଡ଼ି’ ଉପରେ ଆଲୋଚନାଚକ୍ର: ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ରଖିବାରେ ସହାୟକ ହେବ

ଚନ୍ଦ୍ରଶେଖରପୁର: ଖୋର୍ଦ୍ଧା ଜିଲା ଟାଙ୍ଗୀ ଚାନ୍ଦପୁର ନିକଟରେ ମଙ୍ଗଳାଯୋଡ଼ି ଅବସ୍ଥିତ। ଚିଲିକା ହ୍ରଦର ଉତ୍ତରପୂର୍ବ ଭାଗରେ ରହିଛି ଏହି ଅତ୍ୟନ୍ତ ସୁନ୍ଦର ପକ୍ଷୀ ସ୍ବର୍ଗ। ୧୦ବର୍ଗ କିଲୋମିଟର ପରିବ୍ୟାପ୍ତ ମଙ୍ଗଳାଯୋଡ଼ିକୁ ଶୀତଋତୁରେ ୩ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ ଆସିଥାନ୍ତି। ତେବେ ଏହା ଦୁନିଆର ସର୍ବଶ୍ରେଷ୍ଠ ପକ୍ଷୀ ସଂରକ୍ଷଣ ଅଞ୍ଚଳ ହେବାର ଭିନ୍ନତା ରଖିଛି। ଅନେକ ସରକାରୀ ଓ ବେସରକାରୀ ସଂସ୍ଥା ଏହାକୁ ସଂରକ୍ଷଣ କରିବାକୁ ପ୍ରୟାସ କରୁଛନ୍ତି। ‘ସଙ୍ଗ ଅଫ୍ ଦି ୱାଇଲ୍ଡ’ ଅନୁଷ୍ଠାନ ପକ୍ଷରୁ ମେ’ ଫେୟାର ହୋଟେଲଠାରେ ଅନୁଷ୍ଠିତ କଫି ଟେବୁଲ୍ ପୁସ୍ତକ ‘ଦ ମ୍ୟାଜିକ୍ ଅଫ୍ ମଙ୍ଗଳାଯୋଡ଼ି’ ଉପରେ ଆଲୋଚନାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଏପରି ମତ ରଖିଥିଲେ।

ଆଲୋଚନାଚକ୍ରରେ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଯୋଗଦେଇ ମଙ୍ଗଳାଯୋଡ଼ି ଉପରେ ପ୍ରଦର୍ଶିତ ହୋଇଥିବା ଫଟୋଗୁଡ଼ିକୁ ପ୍ରଶଂସା କରିଥିଲେ। ‘ସଙ୍ଗ ଅଫ୍ ଦି ୱାଇଲ୍ଡ’ ପକ୍ଷରୁ କରାଯାଇଥିବା ଅଭିନବ ପ୍ରୟାସ ପାଇଁ ସାରା ବିଶ୍ୱ ଓଡ଼ିଶାର ମଙ୍ଗଳାଯୋଡ଼ି ବିଷୟରେ ଜାଣିପାରିବ। ଏଥିସହ ଏହି ପୁସ୍ତକ ଯୁବପିଢ଼ିଙ୍କ ମଧ୍ୟରେ ପ୍ରକୃତି ସଂରକ୍ଷଣ ଚେତନା ଏବଂ ନୈତିକତା ଜାଗ୍ରତ କରିବା ଉପରେ ସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ବାଗ୍‌ଚୀ କହିଥିଲେ। ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଶାଲ ଦେବ ଯୋଗଦେଇ ବନ୍ୟଜନ୍ତୁ ଓ ପ୍ରକୃତ ମଧ୍ୟରେ ଥିବା ସମ୍ବନ୍ଧ ବିଷୟରେ ଆଲୋକପାତ କରିଥିଲେ। ସେ କହିଲେ ଏହି ମଙ୍ଗଳାଯୋଡ଼ି ପୁସ୍ତକ ଓଡ଼ିଶାକୁ ବିଶ୍ୱ ମାନଚିତ୍ରରେ ରଖିବା ସହିତ ବନ୍ୟଜନ୍ତୁ ଓ ପ୍ରକୃତି ସଂରକ୍ଷଣ ଦିଗରେ ସହଯୋଗ କରିବ। ଉକ୍ତ କାର୍ଯ୍ୟକ୍ରମରେ ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍ ଆର. ଯାଦବ, ପିସିସିଏଫ ସି. ସି ରଥ, ବିଶିଷ୍ଟ ଲେଖକ ବିକ୍ରମ ଗ୍ରେୱାଲ୍ ପ୍ରମୁଖ ଉପସ୍ଥିତ ଥିଲେ। ଅବିନାଶ ଖେମ୍‌କା ଧନ୍ୟବାଦ ଦେଇଥିଲେ।

ସୂଚନାଯୋଗ୍ୟ, ୨୦୧୮ ମସିହାରେ ଲଳିତକଳା ଏକାଡେମିଠାରେ ‘ସଙ୍ଗ ଅଫ୍ ଦି ୱାଇଲ୍ଡ’ ପକ୍ଷରୁ ମଙ୍ଗଳାଯୋଡ଼ି ଉପରେ ଏକ ଫଟୋଚିତ୍ର ପ୍ରଦର୍ଶନୀ କରାଯାଇଥିଲ।। ଏହି ପ୍ରଦର୍ଶନୀରେ ପ୍ରକୃତି, ପ୍ରାକୃତିକ ବାସସ୍ଥାନ, ପକ୍ଷୀ ସ୍ଥାନାନ୍ତରଣ ଏବଂ ବନ୍ୟଜନ୍ତୁଙ୍କ ବିଷୟରେ ଦର୍ଶାଯାଇଥିଲା। ଏହି ଫଟୋ ପ୍ରଦର୍ଶନୀର ସଫଳତା ପରେ ଅନୁଷ୍ଠାନ ମୁଖ୍ୟ ଅବିନାଶ ଖେମ୍‌କା ଏବଂ ପଞ୍ଚମୀ ମନୁ ଉକିଲ ମଙ୍ଗଳାଯୋଡ଼ି ଉପରେ ଏକ କଫି ଟେବୁଲ ବୁକ୍ ‘ଦ ମ୍ୟାଜିକ୍ ଅଫ୍ ମଙ୍ଗଳାଯୋଡ଼ି’ ପ୍ରସ୍ତୁତ କରିଥିଲେ। ଯେଉଁଥିରେ ପ୍ରାକୃତିକ ବାସସ୍ଥାନ, ବନ୍ୟଜନ୍ତୁ ସଂରକ୍ଷଣ ଉପରେ ଧ୍ୟାନ ଦିଆଯାଇଛି। ଏଥିସହ ବାସସ୍ଥାନର ଚାରିପାଶ୍ୱର୍ରେ ରହୁଥିବା ସମ୍ପ୍ରଦାୟକୁ ଏହା କିପରି ସାହାଯ୍ୟ କରୁଛି ଏବଂ ଭବିଷ୍ୟତ ପିଢ଼ି ମଧ୍ୟରେ ସହଭାଗୀତା ଏବଂ ସଂରକ୍ଷଣର ମହ୍ୱତ୍ତ ବିଷୟରେ ସଚେତନତା ସୃଷ୍ଟି ଦିଗରେ ପ୍ରାଧାନ୍ୟ ଦିଆଯାଇଛି। ଏଥିସହ ପ୍ରାକୃତିକ ବାସସ୍ଥାନର ଅବକ୍ଷୟ, ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ସାରା ବିଶ୍ୱରେ କିପରି ବିପଦ ସୃଷ୍ଟି ହେବ ଏବଂ ଏହି ବିପଦରୁ କିପରି ବର୍ତ୍ତିହେବ ସେନେଇ ଏକ ସଚେତନତା ବାର୍ତ୍ତା ଏହି ପୁସ୍ତକ ମାଧ୍ୟମରେ ଦିଆଯାଇଛି। ଏହି ପୁସ୍ତକଟି ଗତ ଏପ୍ରିଲ ୨୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା।

ସମ୍ବନ୍ଧିତ ଖବର