ଭୁବନେଶ୍ୱର: ସହିଦ ନଗର ଇଣ୍ଟିଗ୍ରେଟେଡ୍ ପବ୍ଲିକ୍ ସର୍ଭିସେସ୍ ସେଣ୍ଟର୍ (ଆଇପିଏସ୍ସି)ରେ ପ୍ରସ୍ତୁତ ହୋଇଥିଲା ବରିଷ୍ଠ ନାଗରିକ ମନୋରଞ୍ଜନ କେନ୍ଦ୍ର। ଏହି ଅଞ୍ଚଳର ବରିଷ୍ଠ ନାଗରିକଙ୍କ ମନୋରଞ୍ଜନ ସହ ଅବସର ବିନୋଦନ ପାଇଁ ଏହା ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଥିଲା। ମନୋରଞ୍ଜନ କେନ୍ଦ୍ର ସହ ସ୍ୱାସ୍ଥ୍ୟ ପରୀକ୍ଷା, ଆଲୋଚନା ସଭା ଓ ଏକାଧିକ ଇନ୍ଡୋର୍ ଖେଳର ସୁଯୋଗ ରହିଥିଲା। ଉଦ୍ଘାଟନ ସମୟରେ ସହିଦନଗର ଅଞ୍ଚଳର ବରିଷ୍ଠ ନାଗରିକମାନେ ଏହାକୁ ବେଶ୍ ପସନ୍ଦ ମଧ୍ୟ କରିଥିଲେ। ଏହା ନିର୍ମାଣ ହେବା ପରେ ବିଏମ୍ସି ପରିଚାଳନା ଦାୟିତ୍ବ ନେଇଥିଲା। ହେଲେ କିଛି ଦିନ ଚାଲିବା ପରେ ଏହା ବନ୍ଦ ହୋଇଗଲା। କରୋନା ଆଳରେ ଏହାକୁ ବନ୍ଦ କରିଦିଆଗଲା। ଏବେ ସରକାର କରୋନା କଟକଣା କୋହଳ କରିଥିଲେ ମଧ୍ୟ ଏହାକୁ ଖୋଲା ଯାଉନାହିଁ। ଏଠାରେ ତାଲା ଝୁଲୁଛି।
ଦୀର୍ଘ ଦିନ ହେବ ବନ୍ଦ ପଡ଼ିଥିବାରୁ ଖେଳ ଉପକରଣରେ ଧୂଳି ଜମି ଗଲାଣି। ଉପକରଣରୁ କିଛି ଆଲମାରିରେ ତାଲା ପକାଇ ରଖାଯାଇଛି। ଯେମିତିକି ଟେବୁଲ୍ ଟେନିସ୍ର ଟେବୁଲ୍ ପଡ଼ିଛି, ହେଲେ ନେଟ୍ ଆଲମାରିରେ। ଏଣୁ ଖେଳିବା ସମ୍ଭବ ହେଉନାହିଁ। କ୍ୟାରମ୍ ବୋର୍ଡ ପଡ଼ିଛି, ବୋର୍ଡକୁ ଉଷୁମ୍ ରଖିବା ପାଇଁ ଲାଇଟ୍ର ବ୍ୟବସ୍ଥା ନାହିଁ। ପଡ଼ି ପଡ଼ି ଏହା ଉପରେ ଧୂଳିର ଆସ୍ତରଣ ବସିଗଲାଣି। ଉପକରଣ ସହ ଭିତ୍ତିଭୂମି ନଷ୍ଟ ହେବାକୁ ବସିଲାଣି। କର୍ତ୍ତୃପକ୍ଷ କରୋନାକୁ ଆଳ କରିଛନ୍ତି। ଦାୟିତ୍ବରେ ଥିବା ଅଧିକାରୀ ତଥା ମହାପ୍ରବନ୍ଧକ (ସ୍ବତନ୍ତ୍ର ପ୍ରକଳ୍ପ)ଦୀପ୍ତିରାଣୀ ସାହୁ କହିଛନ୍ତି, କରୋନା ଯୋଗୁଁ ଏହା ବନ୍ଦ ଥିଲା। ଏବେ ଏହା ଖୋଲା ଅଛି। ଅନ୍ୟପଟେ କିନ୍ତୁ ୧୦ରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଅଭିଯୋଗ ବିଏମ୍ସିକୁ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି। ସେମାନେ ଲେଖିଛନ୍ତି, ଏଠାରେ ତାଲା ପଡ଼ିଛି। ବ୍ୟବହାର କରିବାକୁ ଦିଆଯାଉ ନାହିଁ। ସେମାନେ ଏହି କେନ୍ଦ୍ରକୁ ବାରମ୍ବାର ଯାଇ ଫେରିଛନ୍ତି। ଏଭଳି ଅଭିଯୋଗ ଏବେ ସମଗ୍ର ପ୍ରସଙ୍ଗକୁ ବିବାଦୀୟ କରିଛି।
ତେବେ ଏଠାରେ କେବଳ ଇନ୍ଡୋର ଖେଳ ନୁହେଁ, ବରଂ ବରିଷ୍ଠ ନାଗରିକଙ୍କର ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ବ୍ୟବସ୍ଥା ରହିଥିଲା। ବିଶେଷକରି ରକ୍ତରେ ଶର୍କରା ସ୍ତର, ରକ୍ତଚାପ ଓ ବରିଷ୍ଠ ନାଗରିକଙ୍କ ଓଜନ ମାପ କରିବା ଭଳି ସାଧାରଣ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଥିଲା। ନିର୍ଦ୍ଧାରିତ ଦିନରେ ଡାକ୍ତର ଆସି ଏହି ସବୁ ପରୀକ୍ଷା କରିବା କଥା। ଏଥିପାଇଁ ସ୍ବତନ୍ତ୍ର ବଜେଟ୍ ମଧ୍ୟ ରହିଛି। କେନ୍ଦ୍ର ବନ୍ଦ ଥିବା ବେଳେ ମଧ୍ୟ ଏହି ବାବଦକୁ ଟଙ୍କା ଖର୍ଚ୍ଚ ହୋଇଥିବା ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ତେବେ ଯେତିକି ଖର୍ଚ୍ଚ ହୋଇଛି, ସେତିକି ଦର୍ଶାଯାଇଛି ବୋଲି ବିଏମ୍ସି ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏ ନେଇ ଜଣେ ବରିଷ୍ଠ ନାଗରିକ କହିଛନ୍ତି, ବର୍ତ୍ତମାନ ସମୟରେ ଏହି କେନ୍ଦ୍ରର ଅନେକ ଗୁରୁତ୍ବ ରହିଛି। ବୃଦ୍ଧବୃଦ୍ଧାମାନେ ଏକୁଟିଆ ରହି ବିରକ୍ତି ଭାବର ସମ୍ମୁଖୀନ ହୁଅନ୍ତି। ଏଠାରେ ଏକାଠି ବସି ଗପସପ କରିବା, ଖେଳ ଖେଳିବା ଓ ଭାବ ଆଦାନପ୍ରଦାନ ପାଇଁ ଏକ ସୁନ୍ଦର ପ୍ଲାଟ୍ଫର୍ମ ରହିଥିଲା। କିନ୍ତୁ ବନ୍ଦ କରି ରଖାଯାଇଥିବାରୁ ଏହି ସୁଯୋଗ ମିଳୁନାହିଁ।
ଉଲ୍ଲେଖଯୋଗ୍ୟ, ବିଏସସିଏଲ୍ ଓ ମିଳିତଜାତିସଂଘର ଜନସଂଖ୍ୟା ପାଣ୍ଠି ମିଳିତ ଉଦ୍ୟମର ଏହା ତିଆରି ହୋଇଥିଲା। ଗତ ୨୦୧୯ ମସିହା ସ୍ବାୟତ୍ତ ଶାସନ ଦିବସରେ ଏହାକୁ ତତ୍କାଳୀନ ସ୍ମାର୍ଟ ସିଟି ସିଇଓ ଉଦ୍ଘାଟନ କରିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଏହି ଅଞ୍ଚଳର ୪୦ରୁ ଊର୍ଦ୍ଧ୍ବ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲେ। ଏହି କୋଠାରେ ଥିବା ୱାର୍ଡ ଅଫିସ୍ ଓ ଲାଇବ୍ରେରି ଖୋଲା ରହିଛି। ଅନୁରୂପ ଢଙ୍ଗର ଏକ କୋଠା ବାପୁଜୀନଗରରେ ଖୋଲାଯିବା ନେଇ ଯୋଜନା ରହିଥିଲା।