ଭୁବନେଶ୍ବର: ଜମି ଉତ୍କଳ ବିଶ୍ବବିଦ୍ୟାଳୟ ନାଁରେ। ରହୁଛନ୍ତି ଶତାଧିକ ବସ୍ତିବାସିନ୍ଦା। ଜାଗା ମିସନରେ ସେମାନଙ୍କୁ ଜମି ପଟ୍ଟା ଯୋଗାଇ ଦେଇଛି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି)। ରାସ୍ତା ତିଆରି କରିଛି। ବିଦ୍ୟୁତ୍‌ ସଂଯୋଗ ବି ‌ଦେଇଛି। ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଇଛି। ମାସେ କି ଦୁଇମାସ ନୁହେଁ, ବରଂ ବର୍ଷ ବର୍ଷ ଧରି ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ର ୩ଟି ସ୍ଥାନକୁ ଏଭଳି ଭାବେ କବ୍‌ଜା କରି ରହୁଛନ୍ତି। ସେମାନଙ୍କୁ ହଟାଇବାକୁ ବିଶ୍ବବିଦ୍ୟାଳୟ ଅଧିକାରୀମାନେ ବାରମ୍ବାର ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଚିଠି ଲେଖୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। କ୍ୟାମ୍ପସ୍‌ରେ ପଟ୍ଟା ବାଣ୍ଟି ବିଏମ୍‌ସି ଅଧିକାରୀମାନେ ନିଘୋଡ଼ ନିଦରେ ଶୋଇଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏବେ ହଲାପଟା ହେଉଛନ୍ତି।

Advertisment

ହଷ୍ଟେଲରୁ ଅଣଛାତ୍ରଙ୍କୁ ତଡ଼ିବାରେ ସକ୍ଷମ ହୋଇଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ବର୍ଷବର୍ଷ ଧରି ଜବରଦଖଲରେ ଥିବା କ୍ବାର୍ଟର୍ସ ଖାଲି କରିଛନ୍ତି । ଏବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଫୋକସ୍‌ରେ ବସ୍ତି ଥିଲେ ମଧ୍ୟ ବସ୍ତିବାସିନ୍ଦାଙ୍କୁ ହଟାଇବା ସହଜ ହେଉ ନାହିଁ। କାରଣ ବିଏମ୍‌ସି ଯେଉଁଭଳି ଭାବେ ବସ୍ତିବାସିନ୍ଦାଙ୍କୁ କ୍ୟାମ୍ପସ୍‌ ଭିତରେ ଥଇଥାନ କରିଛି ତାହା ଚିନ୍ତାର କାରଣ ପାଲଟିଛି। ଏସମ୍ପର୍କରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଯଜ୍ଞେଶ୍ବର ଦଣ୍ଡପାଟ ରାଜ୍ୟ ସରକାରଙ୍କୁ ଅବଗତ କରିବା ସହ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠି ଲେଖିଛନ୍ତି। ଗତ ସପ୍ତାହରେ କୁଳପତି ପ୍ରଫେସର ଦଣ୍ଡପାଟଙ୍କ ଚିଠି ପରେ ବିଏମ୍‌ସି ଅଧିକାରୀଙ୍କ ନିଦ ଭାଙ୍ଗିଛି ଏବଂ ବସ୍ତିବାସିନ୍ଦାଙ୍କୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଶନିବାର ବିଏମ୍‌ସିର ଏକ ପ୍ରତିନିଧି ଦଳ କ୍ୟାମ୍ପସ୍‌କୁ ଆସି କେଉଁ ବସ୍ତିର କେତେ ପରିବାର ଜାଗା ମାଡ଼ିବସିଛନ୍ତି ତାହର ଅନୁଧ୍ୟାନ କରିଛନ୍ତି। ଗସ୍ତ ସମୟରେ ବିଏମ୍‌ସି ପ୍ରତିନିଧି ଦଳ କ୍ୟାମ୍ପସ୍‌କୁ ଲାଗି ରହିଥିବା ବସ୍ତି ବୁଲି ଦେଖିଥିଲେ। ଛାତ୍ରାବାସ ନିକଟରେ ଥିବା ବସ୍ତି ଓ ଆପୋଲୋ ହସ୍ପିଟାଲର ଅପରପାର୍ଶ୍ବରେ ଥିବା ବସ୍ତିର କେତେକ ଘର କ୍ୟାମ୍ପସ୍‌ ଭିତ‌ରେ ଥିବା ଦେଖିବାକୁ ପାଇଥିଲେ। ସେମାନଙ୍କୁ କେଉଁ ସୁବିଧା ସବୁ ମିଳିଛି ତାହା ମଧ୍ୟ ଅନୁଧ୍ୟାନ କରିଛନ୍ତି।

ସହରର ବିଭିନ୍ନ ସ୍ଥାନରେ ବସ୍ତିବାସିନ୍ଦା ମାଡ଼ି ବସିଥିବା ସରକାରୀ ଜମିରୁ ଜବରଦଖଲ ହଟାଯାଉଥିଲେ ମଧ୍ୟ ବାଣୀବିହାର କ୍ଷେତ୍ରରେ ବିଏମ୍‌ସି, ବିଡିଏ ସତେ ଯେପରି ଆଖି ବୁଜି ଦେଇଛନ୍ତି। କ୍ୟାମ୍ପସ୍‌‌ର ଏକ ଓ ଦୁଇ ନମ୍ବର ଛାତ୍ରାବାସକୁ ଲାଗି ବସ୍ତିବାସିନ୍ଦାଙ୍କ ଘର ଗଢ଼ିଉଠିଛି। ଗଢ଼ି ଉଠିଥିବା ବସ୍ତିକୁ ପେଭର୍‌ ବ୍ଲକ ରାସ୍ତା ସହ ବିଦ୍ୟୁତ୍‌ ସଂଯୋଗ ହୋଇଛି। ପାଣି ପାଇପ ବି ଘରେ ପହଞ୍ଚିଛି। ପ୍ରତିଦିନ ହଷ୍ଟେଲ ପଛ ପାର୍ଶ୍ବରେ ଅସାମାଜିକଙ୍କ ଆଡ଼ା ଜମୁଥିବାରୁ ଛାତ୍ରମାନେ ଭୟରେ ରାତି କାଟୁଛନ୍ତି। ହଷ୍ଟେଲର ଅନ୍ତେବାସୀଙ୍କ ସୁରକ୍ଷା ପାଇଁ ନୂଆ କରି ପାଚେରି ନିର୍ମାଣ କରାଯାଇଥିଲେ ମଧ୍ୟ କେତେବେଳେ ହଷ୍ଟେଲ ଉପରକୁ କାଚ ବୋତଲ ମାଡ଼ ହେଉଛି ତ ଆଉ କେତେବେଳେ ୟୁନିଭରସିଟି ଲ କଲେଜ ଉପରେ ଟେକା ପଡ଼ୁଛି। ଅସାମାଜିକମାନେ ଶିକ୍ଷାନୁଷ୍ଠାନ ଜମିକୁ ଏକପ୍ରକାର କବ୍‌ଜା କରି ରଖିଥିଲେ ମଧ୍ୟ କେହି ମୁହଁ ଖୋଲୁନାହାନ୍ତି। ଯିଏ କହୁଛି, ମାଡ଼ ଖାଉଛି। ବସ୍ତିବାସିନ୍ଦା ବିନାବାଧାରେ ପାଚେରି ଡେଇଁ ଭିତରକୁ ମାଡ଼ି ଆସୁଛନ୍ତି।

କ୍ୟାମ୍ପସ୍‌ର ଦକ୍ଷିଣ ପାର୍ଶ୍ବ ପାଚେରି ତଥା ଜାତୀୟ ରାଜପଥକୁ ଲାଗି ରହିଥିବା ପାଚେରି କାନ୍ଥ ବାହାରକୁ ଦେଖାଯାଉ ନାହିଁ। ତିନି ବର୍ଷ ତଳେ କ୍ୟାମ୍ପସ୍‌ ପାଚେରି ଉଚ୍ଚତା ବୃଦ୍ଧି ସହ ତାରଜାଲି ଲଗାଯାଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ିନାହିଁ। କ୍ୟାମ୍ପସ୍‌‌ର ପଶ୍ଚିମ ପାର୍ଶ୍ବ କଥା ତଦ୍ରୁପ। ଜାତୀୟ ରାଜପଥ-୧୬ଠାରୁ ଆରମ୍ଭ କରି ଅପୋଲୋ ହସ୍ପିଟାଲ ସମ୍ମୁଖ ପର୍ଯ୍ୟନ୍ତ ଲମ୍ବିଥିବା ଏହି ପାର୍ଶ୍ବ ପାଚେରିକୁ ଲାଗି ଗଢ଼ି ଉଠିଥିବା ବସ୍ତିରେ ଏକ ହଜାର ପରିବାର ରହୁଛନ୍ତି। ବସ୍ତିବାସିନ୍ଦାଙ୍କ ଅଳିଆ ସଫେଇ ଗାଡ଼ି ନେଉଥିଲେ ମଧ୍ୟ ଆହୁରି ଅନେକ ଲୋକ କ୍ୟାମ୍ପସ୍‌‌ ଭିତରକୁ ଅଳିଆ ପକାଉଛନ୍ତି।  କ୍ୟାମ୍ପସ୍‌‌କୁ ଲାଗି ଉଠାଦୋକାନ କରିଥିବା ବ୍ୟବସାୟୀଙ୍କ ଆବର୍ଜନା ମଧ୍ୟ ଭିତରେ ପଡ଼ୁଛି। ଦିନକୁ ଦିନ ଆବର୍ଜନା ସ୍ଥିତି ଅଣାୟତ୍ତ ହେଉଥିବାରୁ କର୍ତ୍ତୃପକ୍ଷ ହାତ ଟେକିଦେଇଛନ୍ତି।