ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଘନେଇଲା ସେବାୟତ ବିବାଦ: ବୈଠକରେ ଯୁକ୍ତିତର୍କ ପରେ ତାଳିପଡ଼ିଲା

ଭୁବନେଶ୍ବର : ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତଙ୍କ ଭିତରେ ଲାଗିରହିଥିବା ଦୀର୍ଘ ଦିନର ବିବାଦ ପୁଣି ମୁଣ୍ଡ ଟେକିଛି। ରାଷ୍ଟ୍ରପତିଙ୍କ ଗସ୍ତ ବେଳେ କିଏ କ’ଣ ସେବା କରିବ, ତାହାକୁ ନେଇ ଉପୁଜିଥିବା ବିବାଦ ଏବେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି। ଏନେଇ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ତିନି ନିଯୋଗକୁ ଡାକି ବୈଠକ କରାଯାଇଛି। ବୈଠକରେ ପୁଣି ଯୁକ୍ତିତର୍କ ବଢ଼ିଥିଲା। ତେବେ ଶେଷରେ ଏହି ବିବାଦର ସମାଧାନ ପାଇଁ ତାଳିପକା ଉଦ୍ୟମ କରାଯାଇଛି।

ଗୁରୁବାର ଦିନ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର ଏହି ବୈଠକକୁ ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀକାନ୍ତ ପଟ୍ଟନାୟକଙ୍କ ସମେତ ତିନି ନିଯୋଗର ପ୍ରତିନିଧିଙ୍କୁ ଡାକିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ବେଳେ କିଏ କ’ଣ କରିବ, ତାକୁ ନେଇ ଦ୍ବନ୍ଦ ରହିଛି ବୋଲି ବ୍ରାହ୍ମଣ ନିଯୋଗ ପକ୍ଷରୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରଙ୍କ ଜରିଆରେ ଟ୍ରଷ୍ଟବୋର୍ଡ ସଭାପତିଙ୍କୁ ଲିଖତ ଅଭିଯୋଗ କରାଯାଇଥିବାରୁ ଏହି ବୈଠକ ଡକାଯାଇଥିଲା। ସିଂହଦ୍ୱାର ନିକଟରେ କିଏ ରହିବ, ଭିଆଇପି ଦର୍ଶନ ସମୟରେ ପରିଦର୍ଶକ ଖାତାରେ କିଏ ମତ ରଖିବ, ଏହାକୁ ନେଇ ସେବାୟତଙ୍କ ବିବାଦ ପଦାକୁ ଆସିଥିଲା। ଯାହାକୁ ନେଇ ପ୍ରଶାସନ ଚିନ୍ତାର ରହିଥିଲା। ତେବେ ମନ୍ଦିର ପ୍ରଶାସନ ସୂଚନାନୁଯାୟୀ ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ଗର୍ଭ ଗୃହରେ ତିନି ନିଯୋଗ ପ୍ରତିନିଧି ରହିବେ। ବଡ଼ୁ ସେବାୟତ ପାଣି ଲାଗି କରାଇବେ ଓ ମନ୍ଦିର ପ୍ରଶାସନ ପକ୍ଷରୁ ଅତିଥିଙ୍କ ଦ୍ବାରା ମନ୍ଦିର ପ୍ରଶାସନର ପରିଦର୍ଶକ ଖାତା(ଭିଜିଟର ରେଜିଷ୍ଟର)ରେ ମତାମତ ଲେଖାଯିବ। ସେହିପରି ମନ୍ଦିର ପରିସରରେ ବିଭିନ୍ନ ମନ୍ଦିରର ପାଳିଆ ସେବାୟତ ଉପସ୍ଥିତ ରହିବେ।

ସେଦିନ ମନ୍ଦିର ଭିତରେ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ, ସମସ୍ତ ଟ୍ରଷ୍ଟି, ତିନି ପ୍ରମୁଖ ନିଯୋଗର ସଭାପତି, ସମ୍ପାଦକ ଉପସ୍ଥିତ ରହିବେ। ସେହିପରି ଲିଙ୍ଗରାଜ ମନ୍ଦିର, ସିଦ୍ଧି ବିନାୟକ ମନ୍ଦିର, ପାର୍ବତୀ ମନ୍ଦିର, ଭୁବନେଶ୍ବରୀ ମନ୍ଦିର, କାର୍ତ୍ତିକ ମନ୍ଦିର, କନକ ଦୁର୍ଗା ମନ୍ଦିର, ବିଶ୍ବକର୍ମା ମନ୍ଦିର, ଶିବକାଳି ମନ୍ଦିର, ମଙ୍ଗଳା ମନ୍ଦିର, ଦକ୍ଷିଣ କାଳୀ ମନ୍ଦିର, ଲକ୍ଷ୍ମୀ ନୃସିଂହ ମନ୍ଦିର, ଲକ୍ଷ୍ମୀ ନାରାୟଣ ମନ୍ଦିର, ନିଶାକାର୍ତ୍ତିକ ମନ୍ଦିର, ବଡ଼ ଗଣେଶ ମନ୍ଦିର, ଜଗନ୍ନାଥ ମନ୍ଦିର, ସତ୍ୟନାରାୟଣ ମନ୍ଦିର, ବ୍ରହ୍ମା ମନ୍ଦିର ଓ ବୃଷଭ ମନ୍ଦିରର ପାଳିଆ ସେବାୟତମାନେ ମନ୍ଦିରରେ ରହି‌ବେ। ସେହିପରି ଧୋକାଳ ସେବା, ପତ୍ରୀ ସେବାୟତ, ନୀତି ସୁପରଭାଇଜର, ଚର୍ଚେଇତେ, ୯ଜଣ ରୋଷ ଘର ସେବାୟତ ୭ଜଣ ମନ୍ଦିର କର୍ମଚାରୀ ଉପସ୍ଥିତ ରହିବେ। ଏନେଇ ଏକ ଡ୍ରାଫ୍ଟ ତାଲିକା ଜିଲ୍ଲାପାଳଙ୍କ ମାଧ୍ୟମରେ ଗୃହ ବିଭାଗକୁ ପଠାଯାଇଛି।

ସମ୍ବନ୍ଧିତ ଖବର