ବସନ୍ତ ଦାଶ
ବାଲିପାଟଣା: ଉପରମୁଣ୍ଡରୁ ବିଲୁପ୍ତ ହୋଇଯାଇଥିବା ପୁଣ୍ୟତୋୟା ପ୍ରାଚୀ ନଦୀର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରୁ ଦାବି ହୋଇଆସୁଛି। ଏଥିପାଇଁ ପ୍ରତିବର୍ଷ ଏକ ନିଆରା ଆନ୍ଦୋଳନ ବି ହେଉଛି। ପ୍ରାଚୀ ପରିକ୍ରମା ନାଁରେ ବର୍ଷ ବର୍ଷ ଧରି ଏହି ଆନ୍ଦୋଳନ ଚାଲିଛି ଏବଂ ନମାମି ପ୍ରାଚୀ ଅଭିଯାନ ପକ୍ଷରୁ ନୌବିହାର କରାଯାଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଉଛି। ମାତ୍ର ଏ ପର୍ଯ୍ୟନ୍ତ ଏହି ନଦୀର ପୁନରୁଦ୍ଧାର ପାଇଁ ସେଭଳି କିଛି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏହାର ପୁନରୁଦ୍ଧାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଘୋଷଣା କରିଥିଲେ। ଏମିତିକି ଏଥିପାଇଁ ୩୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ କରାଯାଉଛି ବୋଲି ଏକ ସାଧାରଣ ସଭାରେ କହିଥିଲେ। ତେଣୁ ଏହି ପୁରାଣବର୍ଣ୍ଣିତ ପୁଣ୍ୟତୋୟା ନଦୀ ପୁନର୍ଜନ୍ମ ପାଇବ ବୋଲି ଲୋକଙ୍କ ଭିତରେ ଦୃଢ଼ ଧାରଣା ରହିଛି। ମାତ୍ର ସାଂସଦଙ୍କ ଘୋଷଣା ପରଠୁ ଏନେଇ ଆଉ କିଛି ବି ଶୁଣିବାକୁ ମିଳିନାହିଁ। ତେଣୁ ସତରେ ପ୍ରାଚୀ ପୁନର୍ଜନ୍ମ ପାଇବ କି ନାହିଁ, ସେନେଇ ଲୋକଙ୍କ ମନରେ ଦ୍ବନ୍ଦ୍ବ ରହିଛି।
ଏହି ନଦୀ ମହାନଦୀରୁ ବାହାରି ବଙ୍ଗୋପସାଗରରେ ମିଶିଥିଲା। ମହାନଦୀର ମୁଣ୍ଡଳୀଠାରୁ ବାହାରି ବାରଙ୍ଗ, ନିଆଳି, କାକଟପୁର ଓ ଅସ୍ତରଙ୍ଗ ଦେଇ କେଳୁଣୀ ମୁହାଣ ଦେଇ ସମୁଦ୍ରରେ ମିଶିଥିଲା। କଟକ, ଖୋର୍ଦ୍ଧା ଓ ପୁରୀ ଏମିତି ତିନି ଜିଲ୍ଲା ଦେଇ ପ୍ରାୟ ୯୦ କିଲୋମିଟର ଦୀର୍ଘ ପଥ ଅତିକ୍ରମ କରି ସମୁଦ୍ରକୁ ଛୁଇଁଥିଲା। ଏବେ ତଳମୁଣ୍ଡରେ ପ୍ରାଚୀ ନଦୀର ଅସ୍ଥିତ୍ବ ବଞ୍ଚିଛି। ଏମିତିକି ନିଆଳି ପରଠୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ ନଦୀର ସ୍ଥିତି ରହିଛି। ଏମିତିକି ବର୍ଷା ଦିନେ ଜଳସ୍ରୋତ ଦେଖିବାକୁ ମିଳୁଛି। ମାତ୍ର ଉପରମୁଣ୍ଡରେ ନଦୀର ମୃତ୍ୟୁ ହୋଇସାରିଛି। ଲୋକକଥା ଅନୁସାରେ ପ୍ରାଚୀ ଏବେ ଛିନ୍ନମସ୍ତା। ତା’ର ମୁଣ୍ଡ ଆଉ ନାହିଁ। ବାରଙ୍ଗ ଅଞ୍ଚଳରୁ ମିଳିଥିବା ଲୋକକଥା ଅନୁସାରେ ପୁରୀ କେନାଲ ହିଁ ପ୍ରାଚୀ ନଦୀ ମୃତ୍ୟୁର କାରଣ। ଦେଶ ସ୍ବାଧୀନତା ପାଇବାର ମାତ୍ର କିଛି ବର୍ଷ ପରେ ପୁରୀ କେନାଲ ଖନନ କରାଗଲା। ମହାନଦୀର ଯେଉଁଠୁ ପ୍ରାଚୀ ନଦୀ ବାହାରିଥିଲା, ସେଇଠୁ ପୁରୀ କେନାଲର ନିର୍ମାଣ ଆରମ୍ଭ କରାଗଲା। ଅର୍ଥାତ୍ ପ୍ରାଚୀର ମୁଣ୍ଡ ପାଲଟିଗଲା ପୁରୀ କେନାଲର ମୁଣ୍ଡ। ଏମିତିକି କିଛି ଦୂର ପର୍ଯ୍ୟନ୍ତ ପ୍ରାଚୀ ନଦୀ ହିଁ ପୁରୀ କେନାଲ ଭାବେ କାମ କଲା ଏବଂ ପରେ ବାଟ ଭାଙ୍ଗି ନୂଆ ରାସ୍ତାରେ ଚାଲିଲା। ବାରଙ୍ଗଠାରୁ କିଛି ଦୂର ପରେ ପୁରୀ କେନାଲ ଓ ପ୍ରାଚୀ ନଦୀ ପରସ୍ପରଠାରୁ ପୃଥକ ହେଲେ। ମାତ୍ର ପ୍ରାଚୀକୁ ଆଉ ମହାନଦୀର ପାଣି ଆସିପାରିଲା ନାହିଁ। କାଳକ୍ରମେ ପ୍ରାଚୀ ନଦୀର ଉପରମୁଣ୍ଡ ଅର୍ଥାତ୍ ବାରଙ୍ଗରୁ ନିଆଳି ପର୍ଯ୍ୟନ୍ତ ନଦୀଗର୍ଭ ପୋତି ହେବାରେ ଲାଗିଲା। ସେହି ମଉକାରେ ସ୍ଥାନୀୟ ଲୋକେ ପୋତି ହୋଇ ପଡ଼ିଥିବା ନଦୀ ଶଯ୍ୟାକୁ ଜବରଦଖଲ କରିବାରେ ଲାଗିଲେ। ଏମିତିରେ ମାତ୍ର ବର୍ଷ କେଇଟାରେ ପ୍ରାଚୀ ନଦୀର ଉପରମୁଣ୍ଡ ହଜିଗଲା। ନଦୀ ପାଲଟିଗଲା ଛିନ୍ନମସ୍ତା।
କିଂବଦନ୍ତୀ କହେ, ଏହି ନଦୀ ଦିନେ ଚିରସ୍ରୋତା ଥିଲା। ଓଡ଼ିଆ ସାଧବପୁଅର ବିଶାଳ ବାଣିଜ୍ୟ ନୌକାମାନେ ଏହି ନଦୀର ଜଳସ୍ରୋତକୁ ଚିରି ବିଦେଶ ଯାଉଥିଲା। ଏମିତିକି ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଏହି ନଦୀର ଗର୍ଭରେ ବିଶାଳ ପଥରଖଣ୍ଡ ନୌକାରେ ବୁହା ହୋଇଥିଲା ବୋଲି କୁହାଯାଏ। ଏହି ନଦୀକୂଳରେ ରହିଛି ବହୁ ପ୍ରାଚୀନ ମନ୍ଦିର ଓ ଶକ୍ତିପୀଠ। ଦ୍ୱାଦଶ ଶମ୍ଭୁ, ଦ୍ୱାଦଶ ମାଧବ, ଦ୍ୱାଦଶ ଶକ୍ତିପୀଠ ସହ ଅନେକ ମଠ, ମନ୍ଦିର ଭଳି କୀର୍ତ୍ତିରାଜି ମୁଣ୍ଡ ଟେକି ରହିଛି। ବିଭିନ୍ନ ସ୍ଥାନରେ ପ୍ରାଚୀ ନଦୀର ପବିତ୍ର ଘାଟ ଆଜି ବି ରହିଛି। କଟକ ଜିଲ୍ଲା ନିଆଳି ବ୍ଲକ୍ ଓ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ୍ ମଧ୍ୟବର୍ତ୍ତୀ ସ୍ଥାନରେ ପୁଣ୍ୟ ପବିତ୍ର ତ୍ରିବେଣୀ ଘାଟ ବା ଅନ୍ତର୍ବେଦି ପୀଠ ଅବସ୍ଥିତ। ବର୍ଷ ସାରା ଏହି ପୀଠରେ ଅସ୍ଥି ବିସର୍ଜନ, ପିଣ୍ଡଦାନ, ଶ୍ରାବଣୀ ପାଣି ଭାର ଉତ୍ତୋଳନ, ବିବାହ, ବ୍ରତ, ମୁଣ୍ଡନ, ସଭା ସମିତି ଓ ଅନ୍ୟାନ୍ୟ ପର୍ବପର୍ବାଣୀ ଆୟୋଜନ କରାଯାଉଛି। ଅନ୍ତର୍ବେଦି ପୀଠରେ ପ୍ରଭୁ ଅନ୍ତର୍ଯ୍ୟାମୀ ନାଥ ପୂଜା ପାଉଛନ୍ତି। ଏଠାରେ ଦ୍ବାପର ଯୁଗର ଶିଆଳି ଲତା ରହିଛି ବୋଲି ବିଶ୍ବାସ କରାଯାଉଛି। ଘାଟ ନିକଟରେ ବେଲେଶ୍ୱର ଓ ତ୍ରିବେଣୀଶ୍ୱର ମହାଦେବଙ୍କ ମନ୍ଦିର ରହିଛି। ଅନ୍ତର୍ବେଦି ଘାଟରେ ଗୁପ୍ତଗଙ୍ଗାଙ୍କ ଆବିର୍ଭାବ ହୋଇଥିବା ସାଧୁସନ୍ଥମାନେ କହନ୍ତି। ବଡ଼ କଥା ହେଉଛି ଏହି ନଦୀ ଭାରତର ବଡ଼ନଦୀ ଗଙ୍ଗା ଠାରୁ ଶହେ ବର୍ଷରୁ ଅଧିକ ବଡ଼ ବୋଲି ପୁରାଣ ଗବେଷଣାରୁ ଜଣାପଡ଼ିଛି।
କବି ଜୟଦେବଙ୍କ ଜନ୍ମମାଟି କେନ୍ଦୁବିଲ୍ୱ ଆଜି ଅଛି। ମାତ୍ର ପ୍ରାଚୀ ନଦୀ ସେଠି ବିଲୁପ୍ତ ଅବସ୍ଥାରେ। ଅନ୍ଧ କପିଳେଶ୍ୱର, ତ୍ରିବେଣୀଶ୍ୱର, ପାଣ୍ଡବକୁଦ ମଠ, କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର ଆଜି ବି ପ୍ରାଚୀ ନଦୀ କୂଳରେ ରହିଛି। ନମାମି ପ୍ରାଚୀ ଅଭିଯାନର ଆବାହକ ଯୋଗାଚାର୍ଯ୍ୟ ଡ. ବିଶ୍ୱରଞ୍ଜନ ରଥ କହନ୍ତି ଯେ ପ୍ରାଚୀ ନଦୀର ଅନ୍ୟ ନାମ ପ୍ରାଚୀ ସରସ୍ୱତୀ। ପୌରାଣିକ ଯୁଗର ଏହି ନଦୀର ପୁନରୁଦ୍ଧାର ହେବା ଜରୁରି। ଏବେ କୁଶଭଦ୍ରା ନଦୀରେ ନିର୍ମାଣ କରାଯାଉଥିବା ବ୍ୟାରେଜ୍ ପ୍ରାଚୀ ନଦୀ ପାଇଁ ଉପଯୋଗୀ ହେବ। ଭିଙ୍ଗାରପୁର ରାମଚନ୍ଦ୍ରପୁର କାଜ ଦେଇ କୁଶଭଦ୍ରା ନଦୀର ପାଣି ପ୍ରାଚୀ ନଦୀକୁ ପୁଣି ଚଳଚଞ୍ଚଳ କରିପାରିବ।