ବଦଳିବ ରସୁଲଗଡ଼-ପାଣ୍ଡରା ରାସ୍ତାର ରୂପ: ଖର୍ଚ୍ଚ ହେବ ୨.୫୬ କୋଟି, ୨୦୨୩ ମାର୍ଚ୍ଚ ସୁଦ୍ଧା ସରିବ କାମ

ଚକାଚକ୍‌ ହେବ ରାସ୍ତା, ଡ୍ରେନ୍‌ ସମସ୍ୟାରୁ ମିଳିବ ମୁକ୍ତି, ଉପକୃତ ହେବେ ୧୫ହଜାରରୁ ଊର୍ଧ୍ବ ବାସିନ୍ଦା

ଭୁବନେଶ୍ବର: ବଦଳିବ ରସୁଲଗଡ଼-ପାଣ୍ଡରା ରାସ୍ତାର ରୂପରେଖ। ଖାଲଖମା ରାସ୍ତା ହେବ ଚକାଚକ୍‌। ଡ୍ରେନ୍‌ ସମସ୍ୟାରୁ ବି ସବୁଦିନ ପାଇଁ ମୁକ୍ତି ମିଳିବ। ଏଥିପାଇଁ ୨.୫୬ କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ ଟେଣ୍ଡର୍‌ ଆହ୍ବାନ କରାଯାଇଥିବା ବେଳେ ଖୁବ୍‌ଶୀଘ୍ର କାମ ଆରମ୍ଭ ହେବ। ଆସନ୍ତା ୨୦୨୩ ମାର୍ଚ୍ଚ ସୁଦ୍ଧା ସବୁ କାମ ସରିବ। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଥିବା ବେଳେ ଏହି ରାସ୍ତା କାମ ହେଲେ ସ୍ଥାନୀୟ ଅଞ୍ଚଳର ୧୫ହଜାରରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ ବୋଲି କୁହାଯାଉଛି। ଏହି ରାସ୍ତାର ଓସାର ୨୫ଫୁଟ୍‌ ହେବାକୁ ଥିବା ବେଳେ ପୁରୁଣା ଡ୍ରେନ୍‌କୁ ପୋତି ସମାନ୍ତରାଳ ଭାବେ ନୂଆ ଡ୍ରେନ୍‌ ନିର୍ମାଣ କରାଯିବ। ଫଳରେ ଡ୍ରେନ୍‌ ଜାମ୍‌ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ। ରାସ୍ତାର ଦୁଇପାର୍ଶ୍ବରେ ୩ ଫୁଟ୍‌ ଲେଖାଁଏ ପାଦଚଲା ରାସ୍ତା (ପେଭର ବ୍ଲକ୍‌) ମଧ୍ୟ ନିର୍ମାଣ କରାଯିବ। ସରକାରୀ ସ୍ଥାନରୁ ଜବରଦଖଲ ଉଚ୍ଛେଦ କରି ଏସବୁ ନିର୍ମାଣ କରାଯିବ। ଚଳିତ ମାସ ଶେଷ ସୁଦ୍ଧା କାମ ଆରମ୍ଭ ହେବ ବୋଲି ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଧନେଶ୍ବର ନାୟକ କହିଛନ୍ତି। ଅପରପକ୍ଷେ ପାଣ୍ଡରା ଛକ ପାଖରେ ଥିବା କିମ୍ଭୀରିଆ ନାଳ ଉପର ବ୍ରିଜ୍‌ର ନବୀକରଣ କରାଯିବ। ଏଥିପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଶ୍ରୀ ନାୟକ ସୂଚନା ଦେଇଛନ୍ତି। ସେହିଭଳି ଗଡ଼ ଗୋପୀନାଥ ସ୍କୁଲ୍‌ ସାମ୍ନା ଦେଇ ରସୁଲଗଡ଼ ଶ୍ମଶାନ ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ପୁନଃନିର୍ମାଣ ହେବ ବୋଲି ସେ କହିଛନ୍ତି।

ରସୁଲଗଡ଼ ଛକରୁ ଜିଜିପି କଲୋନି ଦେଇ ପାଣ୍ଡରା, ହାଇଟେକ୍‌ ପର୍ଯ୍ୟନ୍ତ ଯାଇଥିବା ଏହି ସଂକୁଚିତ ରାସ୍ତାରେ ପ୍ରାୟ ସମୟ ଟ୍ରାଫିକ୍‌ ସମସ୍ୟା ଉପୁଜିଥାଏ। ରାସ୍ତା ମଝିରେ ଇଲେକ୍ଟ୍ରିକ୍‌ ପୋଲ୍‌ କେଉଁଠି ରାସ୍ତାକୁ ସଂକୁଚିତ କରିଦେଇଛି ତ ଆଉ କେଉଁଠି ଉଠାଦୋକାନୀ ଅଧା ରାସ୍ତା ମାଡ଼ି ବସି ବେପାର କରୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଯାତାୟାତରେ ନାହିଁ ନଥିବା ଅସୁବିଧା ଭୋଗିଥା’ନ୍ତି। ଅଞ୍ଚଳବାସୀଙ୍କ ଲାଇଫ୍‌ଲାଇନ୍‌ କୁହାଯାଉଥିବା ଏହି ରାସ୍ତାର ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି। ବିଶେଷକରି, ସକାଳ ୧୦ଟାରୁ ୧୧ଟା ଭିତରେ ଏବଂ ସନ୍ଧ୍ୟା ସମୟରେ ଏହି ରାସ୍ତାରେ ଭୀଷଣ ଟ୍ରାଫିକ୍‌ ସମସ୍ୟା‌ ଦେଖାଦେଇଥାଏ। ଘଣ୍ଟା ଘଣ୍ଟା ଧରି ଲୋକମାନେ ଜାମ୍‌ରେ ଫସି ରହି ଅକଥନୀୟ ନିର୍ଯାତନା ଭୋଗିଥା’ନ୍ତି। ଏପରିକି ଆମ୍ବୁଲାନ୍ସ, ଦମକଳ ଭଳି ଜରୁରୀକାଳୀନ ଗାଡ଼ିକୁ ବି ରାସ୍ତା ମିଳିବା କଷ୍ଟକର ହୋଇପଡ଼େ। ଏହାକୁ ନେଇ ଅଞ୍ଚଳବାସୀଙ୍କ ଭିତରେ ଦୀର୍ଘ ଦିନ ହେବ ଅସନ୍ତୋଷ ରହି ଆସିଛି। ଏହି ରାସ୍ତାକୁ ସମ୍ପ୍ରସାରଣ କରିବା ସହ ଜବରଦଖଲ ଉଚ୍ଛେଦ ନେଇ ସ୍ଥାନୀୟ ଜନପ୍ରତିନିଧିଙ୍କଠୁ ଆରମ୍ଭ କରି ବିଭାଗୀୟ ପଦାଧିକାରୀଙ୍କ ପାଖରେ ଅଞ୍ଚଳବାସୀ ଦୀର୍ଘ ଦିନ ହେଲା ଦାବି କରି ଆସୁଥିଲେ। ଏବେ ତାଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର