ଭୁବନେଶ୍ବର: ବିଧାନସଭା ପାଇଁ ସଚିବାଳୟମାର୍ଗରେ ଯାତାୟାତ କଟକଣା କଲେ। ମୁଖ୍ୟ ରାସ୍ତାକୁ ଅବରୋଧ କରି ଗଳି ରାସ୍ତାରେ ଗାଡ଼ି ଛାଡ଼ିଦେଲେ। କିନ୍ତୁ ଅନେକ ଦିନ ପୂର୍ବରୁ ଏହି ସମାନ୍ତରାଳ ରାସ୍ତାରୁ ଯେଉଁ ଜବରଦଖଲ ହଟାଇଥିଲେ ତାହା ଇତିମଧ୍ୟରେ ପୁଣି ଥରେ ଦଖଲ ହୋଇଛି। ରାସ୍ତା କଡ଼ରୁ ବିଡିଏ କ୍ୟାବିନ ହଟାଉ ହଟାଉ ସେହି ରାସ୍ତାରେ ଅନ୍ୟ ଜାଗାରେ ଚାହୁଁ ଚାହୁଁ ମନ୍ଦିର ତିଆରି ହେଇଗଲା। ଏଣେ ଯେଉଁ କ୍ୟାବିନ୍ ସବୁ ହଟାଇଥିଲେ ସେଗୁଡ଼ିକ ଗଳି ରାସ୍ତାକୁ ଆସିଗଲା। ବିଏମ୍ସି କଞ୍ଜରଭାନ୍ସି ଲେନ୍ରେ ପେଭରବ୍ଲକ୍ ପକାଇ ଚିକ୍କଣ କଲା। ଏଣୁ ଏହା ଭିତରେ ମଧ୍ୟ କ୍ୟାବିନ୍ ପଡ଼ିଲା। ଫଳରେ ଏହି ସବୁ ଦୋକାନକୁ ଆସୁଥିବା ଗାଡ଼ି ରାସ୍ତା ଉପରେ ରହିଲା। ସଚିବାଳୟମାର୍ଗର ସମାନ୍ତରାଳ ରାସ୍ତା ବା ପିଏମ୍ଜି ପଛପଟୁ ବୁଦ୍ଧମନ୍ଦିର ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରାସ୍ତା ଜବରଦଖଲମୁକ୍ତ ହୋଇ ପାରିଲାନି। ଏବେ ବିଧାନସଭା ଆରମ୍ଭ ହୋଇଥିବାରୁ ଭୟଙ୍କର ପରିସ୍ଥିତି ଉପୁଜିଛି।
ଆଜି ଠାରୁ ଆରମ୍ଭ ହୋଇଥିବା ବିଧାନସଭା ପାଇଁ କେଶରୀ ଟକିଜ୍ ଓ ଜୟଦେବ ଭବନ ପାଖରୁ ବିଧାନସଭା ସାମ୍ନା ଦେଇ ଯାନବହନ ଚଳାଚଳ କଟକଣା ଲାଗିଛି। ଏଣୁ ଗାଡ଼ିଗୁଡ଼ିକ ସମାନ୍ତରାଳ ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଏହି ସମାନ୍ତରାଳ ରାସ୍ତାରେ ପିଏମ୍ଜି ପଛପଟୁ ବୁଦ୍ଧମନ୍ଦିର ପର୍ଯ୍ୟନ୍ତ ଅଭାବନୀୟ ସ୍ଥିତି ରହିଛି। ଗତ ବର୍ଷ ପୂର୍ତ୍ତ ବିଭାଗ ଏହି ରାସ୍ତାର ପୁନରୁଦ୍ଧାର କରିଥିଲା। ଉଭୟପାର୍ଶ୍ବରୁ ଜବରଦଖଲ ହଟାଇ ପେଭରବ୍ଲକ୍ ପକାଇଥିଲା। ରାସ୍ତା ମରାମତି ଓ ପେଭରବ୍ଲକ୍ ବିଛାଇବାରେ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରିଥିଲା। ବିଡିଏ ଟ୍ରେଜେରି ପଛରୁ ଏକ ଓମ୍ଫେଡ୍ ଷ୍ଟଲ୍ ହଟାଇବା ସହ ୧୦ଟି କ୍ୟାବିନ୍ ଓ ୩ଟି ଠେଲା ଗାଡ଼ି ହଟାଇଥିଲା। ଠେଲାଗାଡ଼ି ସବୁ ଗଳି ରାସ୍ତାରେ ପଶି ଯାଇଥିଲେ। ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ପେଭର ବିଛାଇଥିବା ବେଳେ ବିଏମ୍ସି କଞ୍ଜରଭାନ୍ସି ଲେନ୍ଗୁଡ଼ିକ ପେଭର ବିଛାଇଥିଲା। ଫଳରେ ଜବରଦଖଲକାରୀଙ୍କୁ ଏହା ବେଶ ସୁହାଇଥିଲା। ବଡ଼କଥା ହେଲା ଗୋଟିଏ ପଟେ ବିଡିଏ କ୍ୟାବିନ୍ ଠେଲାଗାଡ଼ି ହଟାଇଥିବା ବେଳେ ଅନ୍ୟପଟେ ସମାନ୍ତରାଳ ଭାବରେ ରାସ୍ତା କଡ଼ରେ ଏକ ମନ୍ଦିର ନିର୍ମାଣ ଚାଲିଥିଲା। ଏହାକୁ ବିଡିଏ ହାତ ମାରିନଥିଲା।
ଫଳରେ ଏହି ମନ୍ଦିର ନିର୍ମାଣ ଏବେ ସମ୍ପୂର୍ଣ୍ଣ ହୋଇଛି। ଉଭୟପାର୍ଶ୍ବରେ ଦୋକାନ ଥିବାରୁ ଗାଡ଼ି ପାର୍କିଂ ଫଳରେ ରାସ୍ତା ଆହୁରି ସଙ୍କୁଚିତ ହୋଇଯାଉଛି। କେଶରୀ ଟକିଜ୍ ପଛରେ ଥିବା ଚାରିଛକରେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକ୍ ଜାମ୍ ହୋଇଯାଉଛି। ବିଧାନସଭା ଚାଲିଥିବା ବେଳେ ପ୍ରତ୍ୟେକ ଦିନ ବିକ୍ଷୋଭ ଥିବାରୁ ମାଷ୍ଟର କ୍ୟାଣ୍ଟିନ୍ରୁ ପିଏମ୍ଜି ରାସ୍ତାକୁ ପୁଲିସ ଅବରୋଧ କରେ। ଏଣୁ ମାଷ୍ଟର କ୍ୟାଣ୍ଟିନ୍ରୁ କେଶରୀ ଟକିଜ୍ ଯିବାକୁ ଚାହୁଥିବା ଲୋକ ଏହି ବିକ୍ଷୋଭସ୍ଥଳର ଉଭୟପାର୍ଶ୍ବ ସମାନ୍ତରାଳ ରାସ୍ତାରେ ଯିବାକୁ ହୁଏ। ଏହି ରାସ୍ତାରେ ଯାଇ ସମସ୍ତ ଗାଡ଼ି ମୋଟର ଉପରୋକ୍ତ ସମାନ୍ତରାଳ ରାସ୍ତାରେ ବାହାରୁଛନ୍ତି। ଫଳରେ ୪ ଦିଗରୁ ଆସୁଥିବା ଗାଡ଼ି ଗୋଟିଏ ଜାଗାରେ ଫସି ଯିବାରୁ ଭୟଙ୍କର ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି। ଆଜି ଏହି କଟକଣା ସମୟରେ ବର୍ଷା ହେଉଥିବାରୁ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଟ୍ରାଫିକ ପୁଲିସ ନଥିବାରୁ କେତେକ ଗାଡ଼ି ଚାଳକ ଓହ୍ଲାଇ ଟ୍ରାଫିକ୍ ପରିଚାଳନା କରୁଥିବା ଦେଖାଯାଇଥିଲା।
ସବୁଠାରୁ ବଡ଼ ଅଡ଼ୁଆ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ବାସଭବନ। ବିକ୍ଷୋଭସ୍ଥଳ କଡ଼ରେ ତାଙ୍କ ବାସଭବନ ରହିଥିବାରୁ ପିଏମ୍ଜି-ମାଷ୍ଟର କ୍ୟାଣ୍ଟିନ୍ ମୁଖ୍ୟରାସ୍ତାର ଡାହାଣପଟ ସର୍ଭିସ୍ ରୋଡ୍କୁ ପୁଲିସ ବ୍ୟାରିକେଡ୍ ସହ ଅବରୋଧ କରୁଛି। ଫଳରେ ଏହି ରାସ୍ତା ଦେଇ ଯିବାଆସିବା ମଧ୍ୟ ସମ୍ଭବ ହେଉ ନାହିଁ। ଏହା ପ୍ରଥମ ଥର ପାଇଁ ହୋଇଥିବାରୁ ଚାଳକ ଜାଣଇ ନ ପାରି ଫସି ଯାଉଥିବା ଦେଖାଯାଇଛି। ସେହିପରି ପ୍ରେସ୍କ୍ଲବ୍ ପାଖରୁ ସେଣ୍ଟ ଯୋସେଫ୍ ସ୍କୁଲ୍ ଛକ ପର୍ଯ୍ୟନ୍ତ ରାସ୍ତାରେ ଯଦି କେହି ଯିବାକୁ ଚାହୁଛି ତେବେ ସେ ମଧ୍ୟ ଫସି ଯାଉଛି। ୨ ମାସ ହେଲାଣି ଏହି ରାସ୍ତା କଡ଼ରେ କେବୁଲ୍ ବିଛାଇବା ପାଇଁ ଓପିଟିସିଏଲ ଖୋଳି ପକାଇଥିବାରୁ ଭୟଙ୍କର ସ୍ଥିତି ଉପୁଜିଛି। ମାଟି କାଦୁଅ ରାସ୍ତା କଡ଼ରେ ଜମା ହୋଇଥିବା ବେଳେ ବଡ଼ ବଡ଼ ଖାଲକୁ ବ୍ୟାରିକେଡ୍ ଦେଇଦେବାରୁ ରାସ୍ତା ସଙ୍କୁଚିତ ହୋଇଯାଇଛି। ଏବେ ବର୍ଷା ହେଉଥିବାରୁ ଲୋକମାନେ ଯମଯନ୍ତ୍ରଣା ଭୋଗୁଛନ୍ତି।