ଭୁବନେଶ୍ବର: ଭାବର ସଙ୍କୋଚନ ଫଳରେ ସାହିତ୍ୟ ଯେତେ ସମୃଦ୍ଧ ହେବା କଥା ତାହା ହୋଇପାରୁନାହିଁ। ଏଣୁ ଆମ ଓଡ଼ିଆ ଭାଷାର ଗାଳ୍ପିକମାନେ ଏଥିପ୍ରତି ସଚେତନ ହେବା ଆବଶ୍ୟକ। ଆଧୁନିକ ସମାଜରେ ଅନୁଭବର ଅଭାବ ନାହିଁ। ଏହା ସହସ୍ର ପାଠକଙ୍କ ମଧ୍ୟରେ ଚେତନା ସୃଷ୍ଟି କରିବାର କ୍ଷମତା ରଖିଥାଏ। କଥାକାର ଅଚ୍ୟୁତାନନ୍ଦ ପତିଙ୍କ ବଳିଷ୍ଠ ସାରସ୍ବତ କୃତିକୁ ମୂଳଦୁଆ ରୂପେ ଗ୍ରହଣ କରି ଓଡ଼ିଆ ସାହିତ୍ୟ ସାମ୍ରାଜ୍ୟକୁ ସୁଦୃଢ଼ କରିବା‌ ଲାଗି ନୂତନ ପିଢ଼ିର ଗାଳ୍ପିକମାନେ ଆଗେଇ ଆସିବା ଦରକାର ବୋଲି ବୁଦ୍ଧ ମନ୍ଦିରଠାରେ ଆୟୋଜିତ କଥାକାର ଅଚ୍ୟୁତାନନ୍ଦ ପତିଙ୍କ ୯୮ତମ ଜନ୍ମବାର୍ଷିକୀ ପାଳନ ଓ ଗଳ୍ପ ସମ୍ମାନ ପ୍ରଦାନ ଉତ୍ସବରେ ଯୋଗଦେଇ ଅତିଥିମାନେ ଏହା ମତବ୍ୟକ୍ତ କରିଛନ୍ତି।

Advertisment

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ, ଭାଷା ଓ ଭାବକୁ ନେଇ ମଣିଷ ଯେଉଁ ଖେଳ ଖେଳିଥାଏ, ତାହା ହିଁ ସାହିତ୍ୟ। ଗଳ୍ପ ସେଥିମଧ୍ୟରୁ ଗୋଟିଏ ଖେଳ। ଯଦି ଭାଷ‌ା ଦୁର୍ବଳ ହୋଇଯିବ ଏବଂ ଭାବର ଅଭାବ ଘଟିବ ତେବେ ସାହିତ୍ୟ ସଙ୍କୁଚିତ ହୋଇଯିବ। ପଢ଼ିବାକୁ କାହା ପାଖରେ ସମୟ ନାହିଁ। ଏଣୁ କ୍ଷୁଦ୍ରଗଳ୍ପ ହିଁ ଭାଷାକୁ ସୁରକ୍ଷିତ ରଖିବାର ବଳିଷ୍ଠ ମାଧ୍ୟମ। ନୂତନ ପିଢ଼ିର ଗାଳ୍ପିକମାନେ ଭାଷାର ସୁରକ୍ଷା ନିମନ୍ତେ କଥାକାର ଅଚ୍ୟୁତାନନ୍ଦ ପତିଙ୍କ ନିକଟରୁ ପ୍ରେରଣା ନେବା ଆବଶ୍ୟକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ମୁଖ୍ୟବକ୍ତା ଭାବେ ସାହିତ୍ୟିକ ହୃଷୀକେଶ ମଲ୍ଲିକ ଯୋଗଦେଇ ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ‌ରେ ଉତ୍ତମ ଶବ୍ଦ ସଂଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଭିନ୍ନ ଗଳ୍ପର ଉଦାହରଣ ଦେଇ ଏହା କିଭଳି ପାଠକ ମନକୁ ଆନ୍ଦୋଳିତ କରିଥାଏ ସେ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମର ପୁରୋଧା କଥାକାର ଅଚ୍ୟୁତାନନ୍ଦ ପତି କହିଲେ, ତାଙ୍କ ସାହିତ୍ୟ କୃତିରେ ରହିଥିବ‌ା ଚରିତ୍ରମାନେ ସମାଜର ସବୁଠାରୁ ଅବହେଳିତ ଅଂଶ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ସେ ଲେଖନୀ ଚାଳନା କରିବେ ବୋଲି କହିଥିଲେ।

ଏହି ପରିପ୍ରେକ୍ଷୀରେ ଗାଳ୍ପିକ ପ୍ରଦୋଷ ମିଶ୍ରଙ୍କୁ ‘ଅଚ୍ୟୁତାନନ୍ଦ ପତି ଗଳ୍ପ ସମ୍ମାନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ ଶ୍ରୀ ପତିଙ୍କ ନିର୍ବାଚିତ ଗଳ୍ପ ପୁସ୍ତକ ‘ସ୍ନାୟୁ ଓ ସନ୍ନ୍ୟାସୀ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିବା ସହିତ ପ୍ରକାଶକ ପବିତ୍ର ବ୍ରହ୍ମପୁତ୍ର ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ନିହାର ରଞ୍ଜନ ଶତପଥୀ ସଭାପତିତ୍ବ କରିଥିଲା ବେଳେ ସର୍ବେଶ୍ବର ଶତପଥୀ ସ୍ବାଗତ ଭାଷଣ ଦେଇଥିଲେ। ଶେଷରେ ରାଜେନ୍ଦ୍ର ବର୍ମା ଧନ୍ୟବାଦ ଦେଇଥିଲେ। ସମାରୋହରେ ବହୁ ବୁଦ୍ଧିଜୀବୀ, ସାହିତ୍ୟିକମାନେ ଯୋଗଦେଇ ଶ୍ରୀ ପତିଙ୍କ ଗଳ୍ପସମ୍ଭାରର ଉପାଦେୟତା ବର୍ଣ୍ଣନା କରିବା ସହିତ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।