ଶ୍ରୀୟା ଛକ ଫଳ ମାର୍କେଟ୍ ଭଙ୍ଗା ହେଲା

ଭୁବନେଶ୍ବର: ଶ୍ରୀୟା ଛକସ୍ଥିତ ଭେଣ୍ଡିଂ ଜୋନ୍‌ରେ ଥିବା ଫଳ ଦୋକାନଗୁଡ଼ିକୁ ଆଜି ବିଡିଏ, ବିଏମ୍‌ସିର ମିଳିତ ଉଚ୍ଛେଦକାରୀ ଟିମ୍‌ ଭାଙ୍ଗିଛି। ଏଠାରେ ୩୨ଟି ଫଳ ଦୋକାନ ଥିବାବେଳେ ୩୧ଟି ଦୋକାନକୁ ଭଙ୍ଗାଯାଇଛି। ଜଣେ ବ୍ୟବସାୟୀ ହାଇକୋର୍ଟରୁ ସ୍ଥଗିତାଦେଶ ଆଣିଥିବାରୁ ଉକ୍ତ ଦୋକାନଟିକୁ ଭଙ୍ଗାଯାଇନି। କିଛି ଫଳ ବ୍ୟବସାୟୀ ବିରୋଧ କରିଥିଲେ ହେଁ ଉଚ୍ଛେଦ ପାଇଁ ପୂର୍ବରୁ ସମୟ ଦିଆଯାଇଥିବାରୁ ଆଜି ସମସ୍ତ ଦୋକାନ ଉଚ୍ଛେଦ କରାଯାଇଥିଲା।

ବିଡିଏର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ସ୍ମାର୍ଟ ଜନପଥ କାମ ପାଇଁ ଭେଣ୍ଡିଂ ଜୋନ୍‌ର ‌ବ୍ୟବସାୟୀମାନଙ୍କୁ ଦୁଇ ମାସ ତଳେ ସ୍ମାର୍ଟ କିଓସ୍କ ଆବଣ୍ଟନ ହୋଇଥିଲା। ଏହାସହ ମାସକ ତଳେ କିଓସ୍କ ଚାବି ଦିଆଯାଇଥିଲା। ହେଲେ ବ୍ୟବସାୟୀମାନେ ଚାବି ନେବା ପରେ ସ୍ମାର୍ଟ କିଓସ୍କକୁ ସ୍ଥାନାନ୍ତର ନହୋଇ ଏଠାରେ ବ୍ୟବସାୟ କରୁଥିଲେ। ଯେଉଁଥିପାଇଁ ସ୍ମାର୍ଟ ଜନପଥ କାମ ପ୍ରଭାବିତ ହୋଇଥିଲା। ତେଣୁ ଉ‌ଚ୍ଛେଦକାରୀ ଟିମ୍‌ ଏହି ଦୋକାନଗୁଡ଼ିକୁ ଉଚ୍ଛେଦ କରିଥିଲା। ସ୍ମାର୍ଟ ଜନପଥରେ ଥିବା ବିଭିନ୍ନ ସ୍ମାର୍ଟ କିଓସ୍କରେ ଏହି ସବୁ ଫଳ ଦୋକାନ ଖୋଲିବ। ସେହିପରି ଭୂତଳ କେବୁଲ୍‌ ବିଛାଇବା ପାଇଁ ତିନିଟି ବେଆଇନ ନିର୍ମାଣ ହୋଇଥିବାବେଳେ ଏଥିରୁ କିଛି ଉଚ୍ଛେଦ ହୋଇଛି। ବାକି ଆସନ୍ତାକାଲି ଉଚ୍ଛେଦ ହେବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର