ଅସାମାଜିକଙ୍କୁ ସୁହାଉଛି ପୁଲିସ ନିରବତା

ଭୁବନେଶ୍ବର: ଉଠାଦୋକାନୀଙ୍କ ଉପଦ୍ରବ, ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା, ରାସ୍ତାକଡ଼ ପାର୍କିଂ ଆଦି ବହୁବିଧ ସମସ୍ୟାରେ ବର୍ଷ ବର୍ଷ ଧରି ଘାଣ୍ଟି ହେଉଛନ୍ତି କଳିଙ୍ଗ ନଗର କେ-୮ ବାସିନ୍ଦା। ସ୍ଥାନୀୟ ଲୋକେ ଏ ସଂପର୍କରେ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ଆସୁଥିଲେ ହେଁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉ ନଥିବା କଳିଙ୍ଗ ନଗର(କେ-୮) ଆବାସିକ ଉନ୍ନୟନ ପରିଷଦ ପକ୍ଷରୁ ଅଭିଯୋଗ ହୋଇଛି।

ସୂଚନାନୁସାରେ, କିଛି ବର୍ଷ ବ୍ୟବଧାନରେ କଳିଙ୍ଗନଗର (କେ-୮) ଚତୁଃପାର୍ଶ୍ବରେ ଦୁଇଟି ବୃହତ୍‌ ହସ୍ପିଟାଲ୍‌ ଓ କେତେଗୁଡ଼ିଏ ଘରୋଇ ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି। ଯାହା ଏହି ଅଞ୍ଚଳରେ ଜନସମାଗମ ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି। ହେଲେ ଲୋକଙ୍କ ଯାତାୟାତ ପାଇଁ ଉଦ୍ଦିଷ୍ଟ ରାସ୍ତାରେ ପ୍ରତ୍ୟେକ ଦିନ ବେଆଇନ ଭାବେ ଉଠା ଦୋକାନ ବୃଦ୍ଧି ପାଉଥିବାରୁ ରାସ୍ତା ସଂକୁଚିତ ହେଉଛି। ଏହାସହ ରାସ୍ତା କଡ଼ରେ ମାତ୍ରାଧିକ ଗାଡ଼ି ପାର୍କିଂ ସ୍ଥାନୀୟ ବାସିନ୍ଦାଙ୍କ ଯାତାୟାତକୁ ଠପ୍‌ କରିଦେଇଛି। ଏହା ସହ ବର୍ଷା ସମୟରେ ଡ୍ରେନ୍‌ ଜାମ୍‌ ହୋଇ କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ବିଶେଷ କରି ସନ୍ଧ୍ୟା ସମୟରେ ଭ୍ରମଣ ଉଦ୍ଦେଶ୍ୟରେ ବାହାରୁଥିବା ବରିଷ୍ଠ ନାଗରିକମାନେ ଉଠା ଦୋକାନରେ ଗହଳି ଓ ଅସାମାଜିକ ତତ୍ତ୍ବଙ୍କ ଆଡ଼ା ଯୋଗୁଁ ଅଧିକାଂଶ ସମୟରେ ସମସ୍ୟାର ସମ୍ମୁଖୀନ ‌ହେଉଛନ୍ତି।

ସମସ୍ୟା ଘେରରେ କଳିଙ୍ଗନଗର କେ-୮
ଉଠାଦୋକନ ଯୋଗୁଁ ସନ୍ତୁଳି ହେଉଛନ୍ତି ଅନ୍ତେବାସୀ

ଏମିତିକି ଏଠାରେ ଅନୈତିକ କାର୍ଯ୍ୟକଳାପ ଚାଲିଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରୁନଥିବା ଅନ୍ତେବାସୀ ଅଭିଯୋଗ କରିଛନ୍ତି। ଏନେଇ ଭରତପୁର ଥାନାର ଦ୍ବାରାସ୍ଥ ହୋଇଥିଲେ ମଧ୍ୟ ପୁଲିସ ପକ୍ଷରୁ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ସେହିଭଳି ରାସ୍ତାପାର୍ଶ୍ବରେ ଥିବା ଗଛଗୁଡ଼ିକର ଠିକ ରକ୍ଷଣାବେକ୍ଷଣା କରାଯାଉନଥିବାରୁ ଗଛର ଡାଳ ରାସ୍ତାକୁ ଅକ୍ତିଆର କରି ରଖୁଛି। ଫଳରେ ଷ୍ଟ୍ରିଟ୍‌ ଲାଇଟ୍‌ର ଆଲୋକ ରାସ୍ତାରେ ଠିକ୍‌ ଭାବେ ଦୃଶ୍ୟମାନ ହେଉନାହିଁ। ଯାହା ଅସାମାଜିକ ତତ୍ତ୍ବଙ୍କୁ ସୁହାଉଛି। ଏହାସହ ବୁଲା ଗାଇଗୋରୁଙ୍କ ଉପଦ୍ରବ କଥା କହିଲେ ନସରେ। ମଣିଷଠାରୁ ବଳିଯାଉଛି ଏମାନଙ୍କର ଦୌରାତ୍ମ୍ୟ। ଦିନକୁ ହେଉ କି ରାତି ଏମା‌ନେ ରାସ୍ତାକୁ କବ୍‌ଜା କରି ରଖୁଛନ୍ତି।

ଯାହା ଯାତାୟାତ କରିବାରେ ପ୍ରମୁଖ ସମସ୍ୟା ପାଲଟିଛି। ଏ ସମସ୍ୟା ସଂପର୍କରେ ସ୍ଥାନୀୟ ଲୋକମାନେ କର୍ପୋରେଟର ଓ ବିଏମ୍‌ସିର ଜୋନାଲ କମିସନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ସମସ୍ୟାର ସମାଧାନ ଦିଗରେ କର୍ତ୍ତୃପକ୍ଷ ତତ୍ପରତା ପ୍ରକାଶ କରିବାକୁ ପରିଷଦର ସଭାପତି ସରୋଜ କୁମାର ମହାନ୍ତି ଓ ସମ୍ପାଦକ ମମତା ଲେଙ୍କା ନିବଦେନ କରିଛନ୍ତି। ଉଲ୍ଲେଖଥାଉକି, ପୂର୍ବରୁ ସ୍ଥାନୀୟ ବିଧାୟକ ଅଶୋକ ପଣ୍ଡାଙ୍କ ତତ୍ତ୍ବାବଧାନରେ ରାସ୍ତାଘାଟ ଉନ୍ନତୀକରଣ ଓ ଆଲୋକୀକରଣ ଆଦି କାର୍ଯ୍ୟଦ୍ବାରା ଅଞ୍ଚଳବାସୀ ବହୁ ମାତ୍ରାରେ ଉପକୃତ ହୋଇଥିଲେ। ହେଲେ ବର୍ତ୍ତମାନ ଏଭଳି ସମସ୍ୟାର ସମାଧାନ ଦିଗରେ ବିଧାୟକ ମଧ୍ୟ ଦୃଷ୍ଟି ଦେବାକୁ ପରିଷଦ ପକ୍ଷରୁ ନିବେଦନ କରାଯାଇଛି।

ସମ୍ବନ୍ଧିତ ଖବର