ଭଉଣୀ କହି ସୂତା ବାନ୍ଧିଲା… ୩୦ ହଜାର ନେଇ ଛୁ’

ଭୁବନେଶ୍ବର: ଯୁବକକୁ ଚିହ୍ନି ନାହାନ୍ତି। ହେଲେ ରାମମନ୍ଦିରରେ ସୂତା ବାନ୍ଧି ଭାଇ ବୋଲି ମାନିଲେ। ଆଉ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରିବ କହି ଧରମ ଭାଇ ଚମ୍ପଟ ମାରିଲା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖାରବେଳ ନଗର ଥାନା ଅଞ୍ଚଳରେ। ଠକାମିର ଶିକାର ଜଣେ ଆଦିବାସୀ ବିବାହିତା ମହିଳାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିବା ସହ ସିସିଟିଭି ଫୁଟେଜ୍‌ ଆଧାରରେ ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ମୁତାବକ, ମିସ୍ଡ କଲ୍‌ ଜରିଆରେ ତାଙ୍କର ଜଣେ ଯୁବକ ସହ ପରିଚୟ ହୋଇଥିଲା। ପରିଚୟରୁ ସମ୍ପର୍କ ବଢ଼ିଥିଲା। କଥାବାର୍ତ୍ତା ବେଳେ ମହିଳା ଜଣକ ରୋଜଗାର ମାଧ୍ୟମ ଖୋଜୁଥିବା କହିଥିଲେ। ଆଜି ଯୁବକ ଜଣକ ମହିଳାଙ୍କୁ ରାମ ମନ୍ଦିର ଡକାଇଥିଲା। ସେଠା‌ରେ ରାମଙ୍କୁ ସାକ୍ଷୀ ରଖି ସୂତା ବାନ୍ଧି ମହିଳା ଜଣକ ସମ୍ପୃକ୍ତ ଯୁବକକୁ ଭାଇ ବୋଲି ମାନିଥିଲେ। ଯୁବକ ଜଣକ ୨ ଲକ୍ଷ ଟଙ୍କା ଦେବ ବୋଲି କହିଥିଲା। ଏଥିପାଇଁ ବ୍ୟାଙ୍କ୍‌ରେ ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି କହିବାରୁ ମହିଳା ଜଣକ ଧାର ଉଧାର କରି ୩୦ ହଜାର ଟଙ୍କା ମଧ୍ୟ ଆଣିଥିଲେ। ବଡ଼ଗଡ଼ ଅଞ୍ଚଳରେ ଥିବା ବ୍ୟାଙ୍କରେ ଯୁବକର ଆକାଉଣ୍ଟ ଅଛି। ସେଠାରୁ ୨ ଲକ୍ଷ ଉଠାଇଦେବ ବୋଲି କହି ମହିଳାଙ୍କୁ ସେ ସ୍କୁଟିରେ ବସାଇଥିଲା। ଅଭିଯୁକ୍ତ ସହ ଅନ୍ୟ ଜଣେ ଯୁବକ ମଧ୍ୟ ଥିଲା। ୩ ଜଣ କଳ୍ପନାରେ ପହଞ୍ଚିବା ପରେ ପୁଲିସ ଧରିବ କହି ସେ ମହିଳାଙ୍କୁ ସ୍କୁଟିରୁ ଓହ୍ଲାଇ ଦେଇଥିଲା। ଛକ ଅତିକ୍ରମ କଲେ ଗାଡ଼ିରେ ବସିବାକୁ କହି ଯୁବକ ୩୦ ହଜାର ଟଙ୍କା ଥିବା ପର୍ସକୁ ଧରି ଚମ୍ପଟ ମାରିଥିଲା।

ସମ୍ବନ୍ଧିତ ଖବର