ଭୁବନେଶ୍ବର: ସମ୍ପ୍ରତି ସହିଦନଗରର ସବୁଆଡ଼େ ରାସ୍ତା ଅବସ୍ଥା ଶୋଚନୀୟ ସ୍ଥିତିରେ। ପ୍ରାୟ ସବୁ ରାସ୍ତାରେ ଖାଲଖମା ରହିଛି। ବହୁ ସ୍ଥାନରେ ପାଇପ୍ ଫାଟି ଯାଇଥିବାରୁ ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଖାଲଖମା ରାସ୍ତା ସାଙ୍ଗକୁ ପାଣି ଜମି ରହିଥିବାରୁ ଲୋକେ ଯାତାୟାତରେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସହିଦନଗର ଫାଣ୍ଡି ନିକଟରୁ ହାଟ ପର୍ଯ୍ୟନ୍ତ ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କଠାରୁ ମଲ୍ଟି ଲେବଲ୍ କାର୍ ପାର୍କିଂ ପର୍ଯ୍ୟନ୍ତ ଳମ୍ବିଥିବା ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ପୂର୍ବରୁ ଏହି ରାସ୍ତାଗୁଡ଼ିକରେ ବହୁତ ଖାଲଖମା ଥିଲା। ଦୀର୍ଘ ଦିନ ଧରି ମରାମତି ହୋଇନଥିବାରୁ ଅବସ୍ଥା ବଡ଼ କଦର୍ଯ୍ୟ ହୋଇଯାଇଥିଲା। ତେବେ ବାରମ୍ବାର ଅଭିଯୋଗ ପରେ ମରାମତି ଆରମ୍ଭ ହୋଇଥିଲା। ୬ମାସ ତଳେ ଡ୍ରେନ୍ ନିର୍ମାଣ ଆରମ୍ଭ ହୋଇଥିଲା। ଏବେ ଏହି ରାସ୍ତାରେ ଫେଭର ବ୍ଲକ୍ ବିଛାଇବା କାମ ଚାଲିଛି। ମାତ୍ର ଏହି କାମ ବହୁ ବିଳମ୍ବିତ ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଫଳରେ ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦାମାନେ ହନ୍ତସନ୍ତ ହେଉଥିବା କହିଛନ୍ତି।
ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ସମ୍ମୁଖ ରାସ୍ତାରେ ଅଦିନିଆ ବନ୍ୟା ସ୍ଥିତି। ଏହି ରାସ୍ତା ତଳେ ଥିବା ପାଣି ପାଇପ୍ ଫାଟି ଯାଇଥିବାରୁ ସବୁବେଳେ ରାସ୍ତା ଉପରେ ପାଣି ଜମି ରହୁଛି। ଫଳରେ ବ୍ୟାଙ୍କ କର୍ମଚାରୀ ଓ ସେଠାରେ ଥିବା କୋଚିଂ ସେଣ୍ଟରକୁ ଆସୁଥିବା ଛାତ୍ରଛାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପାଣି ଜମିଥିବା ଖାଲ ବାବଦରେ କିଛି ଜଣାପଡ଼ୁନଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ବ୍ୟବସାୟୀ କାହ୍ନୁଚରଣ ସାହୁ କହିଛନ୍ତି। ଏବେ ସହିଦନଗରର ବିଏମ୍ସି ମଲ୍, ମୁଖ୍ୟ ରାସ୍ତା, ବିଷ୍ଣୁ ମନ୍ଦିର ରାସ୍ତା, ସ୍ପର୍ଶ ହସ୍ପିଟାଲ ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ। ଏନେଇ କର୍ପୋରେଟର ରାଜକିଶୋର ଦାସ କହିଛନ୍ତି ଯେ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ସମ୍ମୁଖ ରାସ୍ତା କାମ ସ୍ମାର୍ଟସିଟି କରୁଛି। ସେବାବଦରେ ସେ କିଛି କହିପାରିବେନାହିଁ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/sf654h654fh65fhfhssfh.jpg)