ରାଜଧାନୀରେ କରୋନା ସ୍ଥିତି ସଂଗିନ: ଖଣ୍ଡଗିରି ବିପଦପୂର୍ଣ୍ଣ ସାଲିଆସାହି ସୁରକ୍ଷିତ

ଓୟୁଏଟି ଓ ରମାଦେବୀରୁ ବାହାରିଲେ ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀରେ କରୋନା ସ୍ଥିତି କ୍ରମଶଃ ସଂଗିନ ହେଉଛି। ମଙ୍ଗଳବାର ରାତି ୧୦ଟା ସୁଦ୍ଧା ୩୪,୧୭୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୭୩ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏହି ତଥ୍ୟ ଦେଉଛି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍‌ସିଏଲ୍‌)ର। ବିଏସ୍‌ସିଏଲ୍‌ ସୂଚନା ଅନୁଯାୟୀ, ଏବେ ୱାର୍ଡ-୨୩ ରାଜଧାନୀର ସବୁଠୁ ବିପଦପୂର୍ଣ୍ଣ ଅଞ୍ଚଳ ପାଲଟିଛି। ଶ୍ୟାମପୁର ଗାଁ, କଳିଙ୍ଗନଗର ଅଞ୍ଚଳ, ସମ୍‌ ହସ୍ପିଟାଲ ଅଞ୍ଚଳ, କଳିଙ୍ଗ ଷ୍ଟୁଡିଓ ଅଞ୍ଚଳ ଖଣ୍ଡଗିରିବାରି ବସ୍ତି, ଆମ୍ରି ହସ୍ପିଟାଲ, ଶରଧାପାଲି ବସ୍ତି ଆଦି ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୧୪୭୨ଜଣ ଅାକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୨୦ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୪୫ଜଣ ଗୃହ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବାବେଳେ ବାକି ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସେହିପରି ୱାର୍ଡ-୨୬ ଏବେ ରାଜଧାନୀର ସବୁଠୁ ସୁରକ୍ଷିତ ଅଞ୍ଚଳ ଭାବେ ପରିଗଣିତ ହେଉଛି। ସାଲିଆସାହି ନିକଟସ୍ଥ ନୀଳଚକ୍ରନଗର, ତାରିଣୀନଗର (ଆଂଶିକ), ଶରଣାପଲ୍ଲୀ, ଦାଶରଥୀ ଆପାର୍ଟମେଣ୍ଟ ଓ ବିଷ୍ଣୁପ୍ରିୟା ଆପାର୍ଟମେଣ୍ଟ ଆଦି ଇଲାକାରୁ ଆଜି ସୁଦ୍ଧା ମାତ୍ର ୨୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ଜଣେ ବି ସକ୍ରିୟ ଆକ୍ରାନ୍ତ ନାହାନ୍ତି। କରୋନାରେ ପ୍ରଥମ ଲହରରେ ଯେତିକି ଆକ୍ରାନ୍ତ ବାହାରିଥିଲେ ସେତିକି। ଦ୍ବିତୀୟ ଲହରରେ ଏଠାରୁ ଆଦୌ ଆକ୍ରାନ୍ତ ବାହାରିନାହାନ୍ତି। ଏବେ ‌ରାଜଧାନୀରୁ ଦୈନିକ ପ୍ରାୟ ୨୦୦ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ଏହି ୱାର୍ଡରୁ ଆକ୍ରାନ୍ତ ନ ବାହାରିବା ସମସ୍ତଙ୍କୁ ଚକିତ କରିଛି। ରାଜଧାନୀରେ ଏବେ ଖଣ୍ଡଗିରିରେ ପ୍ରତିଦିନ ୧୫ରୁ ଅଧିକ ଆକ୍ରାନ୍ତ ବାହାରିବା ନେଇ ଯେଉଁ ସୂଚନା ଆସୁଛି, ତାହା ହେଉଛି ଏହି ୱାର୍ଡ ୨୩ ଅଞ୍ଚଳ। ଏଠାରେ ଏବେ ଆକ୍ରାନ୍ତ ଛାଇ ଗଲେଣି।

ୱାର୍ଡ ୨୩ ପରେ ସବୁଠୁ ବିପଦପୂର୍ଣ୍ଣ ଅଞ୍ଚଳ ହେଉଛି ୱାର୍ଡ-୨୭। ଏହି ୱାର୍ଡ଼ ଅନ୍ତର୍ଗତ ଆଇଆର୍‌ସି ଭିଲେଜ, ଏନ୍‌-୫, ଏନ୍‌-୬, ଜୟଦେବ ବିହାର ଘରୋଇ ଜମି ଅଞ୍ଚଳ, ନୂଆପଲ୍ଲୀ ଥାନା ଅଞ୍ଚଳ, ଇନ୍ଦ୍ରଧନୁ ମାର୍କେଟ୍ ଓ ନାବାର୍ଡ ଅଫିସ୍‌ ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୧୯୯୫ ଜଣ ଆକ୍ରାନ୍ତ ବାହାରି ସାରଲେଣି। କରୋନାର ପ୍ରଥମ ଲହରରେ ଏହି ଅଞ୍ଚଳରୁ ରାଜଧାନୀର ସବୁଠୁ ଅଧିକ ଆକ୍ରାନ୍ତ ବାହାରିଥିଲେ। ଏବେ ଏଠାରେ ୭୦ଜଣ ସକ୍ରିୟ ଆକ୍ରାନ୍ତ ଥିବା‌େବଳେ ୫୧ଜଣ ଘରେ ରହି ଚିକିତ୍ସିତ ହେଉଛନ୍ତି।

ସେହିପରି ମୁଣ୍ଡା ସାହି, ଷ୍ଟାର ସିଟି ଅଞ୍ଚଳ, ଶିଖରଚଣ୍ଡୀ ବସ୍ତି, ପ୍ରଶାନ୍ତି ବିହାର ହାଉସିଂବୋର୍ଡ ଅଞ୍ଚଳ (ଆଂଶିକ), କିଟ୍ କ୍ୟାମ୍ପସ (ଆ‌ଂଶିକ), ଆର୍ଯ୍ୟପଲ୍ଲୀ, ଆଦର୍ଶ ବିହାର, ତ୍ରିଷ୍ଣା ଏନକ୍ଲେଭ୍, ମାରୁତି ଭିଲ୍ଲା, ପଟିଆ ବିଗ୍‌ ବଜାର ଅଞ୍ଚଳ, ଚିରଖାଲଟୋଲି ବସ୍ତି (ଆଂଶିକ) ଅଞ୍ଚଳକୁ ନେଇ ଗଠିତ ୱାର୍ଡ-୨ ଏବେ ରାଜଧାନୀର ତୃତୀୟ ବିପଦପୂର୍ଣ୍ଣ ଅଞ୍ଚଳ ପାଲଟିଛି। ଏଠାରୁ ଏବେ ସୁଦ୍ଧା ୧୨୭୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଦିନରେ ୫୫ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ଚତୁର୍ଥ ବିପଦପୂର୍ଣ୍ଣ ଅଞ୍ଚଳ ହେଉଛି ୱାର୍ଡ-୧୯। ଜିଜିପି କଲୋନି, ଜଗନ୍ନାଥ ନଗର, ଜିଜିପି କଲୋନିରୁ କେନାଲ ବନ୍ଧରେ ଜଗନ୍ନାଥ ନଗରକୁ ସଂଯୋଗ କରୁଥିବା ଅଞ୍ଚଳ, ଜିଜିପି କଲୋନିରୁ ପାଣ୍ଡରା ଛକ ପର୍ଯ୍ୟନ୍ତ ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୧୦୮୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ଏଠାରେ ୫୩ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ୪୨ଜଣ ଘରେ ରହି ଚିକିତ୍ସିତ ହେଉଛନ୍ତି।

ୱାର୍ଡ ୬୩ ହେଉଛି ପଞ୍ଚମ ବିପଦପୂର୍ଣ୍ଣ ଅଞ୍ଚଳ। ଧର୍ମ ବିହାର, ଜାଗମରା ଗାଁ, ଜଗମୋହନ ନଗର, ଖଣ୍ଡଗିରି ଥାନା ଅଞ୍ଚଳ, କ୍ରିଷ୍ଣା ଗ୍ରିନ୍ ଫେଜ୍‌-୧, ସିଦ୍ଧି ବିହାର ଆଦି ଅଞ୍ଚଳରୁ ବର୍ତ୍ତମାନ ସୁଦ୍ଧା ୧୦୬୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ୩୫ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୨୨ଜଣ ଘରେ ରହି ଚିକିତ୍ସିତ ହେଉଛନ୍ତି।

ଅନ୍ୟପକ୍ଷରେ ୱାର୍ଡ-୨୬ ପରେ ରାଜଧାନୀର ଏବେ ସବୁଠୁ ସୁରକ୍ଷିତ ଅଞ୍ଚଳ ହେଉଛି ୱାର୍ଡ-୪୭ ବା ୟୁନିଟ-୮ ଅଞ୍ଚଳ। ଅର୍ଥାତ ଗୋପବନ୍ଧୁ ନଗର, ରାଜଭବନ କଲୋନି, ଇ-ଟାଇପ୍ କ୍ବାର୍ଟର୍ସ, ୟୁନିଟ-୮ର ସମସ୍ତ ସରକାରୀ କ୍ବାର୍ଟର୍ସ ଅଞ୍ଚଳ। ଏଠାରୁ ବର୍ତ୍ତମାନ ସୁଦ୍ଧା ୬୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ମାତ୍ର ୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ୱାର୍ଡ-୨୧ ହେଉଛି ରାଜଧାନୀର ତୃତୀୟ ସୁରକ୍ଷିତ ଅଞ୍ଚଳ। ସାଲିଆସାହିର ଶକ୍ତି ବିହାର, ଶ୍ରୀରାମ ନଗର, ନିରାଙ୍କାରି ନଗର, ଜନତା ନଗର, ଆଦିବାସୀ ଗାଁ, ସ୍ବାଧୀନ ନଗର, ଜୟଦେବ ନଗର, ଆଦିବାସୀ ଫୁଟୁବଲ୍‌ ପଡ଼ିଆ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୦୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ଜଣେ ମାତ୍ର ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ୱାର୍ଡ-୪୩ ହେଉଛି ରାଜଧାନୀର ଚତୁର୍ଥ ସୁରକ୍ଷିତ ଅଞ୍ଚଳ। ଲକ୍ଷ୍ମୀସାଗର ଗାଁ, ଫିସେରି ଟ୍ୟାଙ୍କ ଅଞ୍ଚଳ, ତୈଳ ସାହି, ଲକ୍ଷ୍ମୀସାଗର ହାଇସ୍କୁଲ, ଭୋଇ ସାହି, ଏମ୍‌ଆଇଜି କ୍ବାର୍ଟର୍ସ, ଶନି ମନ୍ଦିର ଅଞ୍ଚଳ, ସନ୍ତୋଷୀ ରିଅଲ ଇଷ୍ଟେଟ୍ ଅଞ୍ଚଳକୁ ନେଇ ଗଠିତ ଏହି ୱାର୍ଡରେ ବର୍ତ୍ତମାନ ସୁଦ୍ଧା ୧୨୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏବେ ମାତ୍ର ୨ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ସମ‌ସ୍ତେ ଘରେ ରହି ଚିକିତ୍ସିତ ହେଉଛନ୍ତି।
ଖଣ୍ଡଗିରି ଅଞ୍ଚଳରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ନେଇ ଦକ୍ଷିଣ-ପଶ୍ଚିମ ଜେଡ୍‌ଡିସି ରବି ନାରାୟଣ ଜେଠୀ କହିଛନ୍ତି ଯେ, ଆମ ଜୋନ୍‌ରେ ସବୁଠୁ ଅଧିକ କୋଭିଡ ପରୀକ୍ଷା ହେଉଛି। ତେଣୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି।

ଦୈନିକ ପରୀକ୍ଷା ବଢ଼ୁଛି
ଭୁବନେଶ୍ବର: ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବା ପଛରେ ମୁଖ୍ୟ କାରଣ ହେଲା ଏବେ ଅଧିକ ଟେଷ୍ଟିଂ ହେଉଛି। ବିଏମ୍‌ସି ପକ୍ଷରୁ କିଛି ଦିନ ତଳେ ଦିନକୁ ୭୦୦ରୁ ୮୦୦ ପରୀକ୍ଷା ହେଉଥିବାବେଳେ ଏବେ ୧୫ଶହରୁ ଅଧିକ ପରୀକ୍ଷା ହେଉଛି।
ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ୮ରେ ୧୪୯୯ ଜଣଙ୍କର, ୯ରେ ୧୫୭୧ଜଣଙ୍କର, ୧୦ରେ ୧୫୩୨ଜଣଙ୍କର, ୧୧ରେ ୧୪୯୫ଜଣଙ୍କର, ୧୨ରେ ୧୫୦୬ଜଣଙ୍କର କୋଭିଡ ପରୀକ୍ଷା ହୋଇଛି।

ଓୟୁଏଟି ଓ ରମାଦେବୀରୁ ବାହାରିଲେ ଆକ୍ରାନ୍ତ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ପୁଣି ୩ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି। ଗତକାଲି ଜଣେ ଛାତ୍ରୀ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଆଜି କଳା ବିଭାଗର ୩ ଜଣ ଛାତ୍ରଛାତ୍ରୀ କରୋନାରେ ସଂକ୍ରମିତ ହୋଇଛନ୍ତି। ଦୁଇ ଦିନ ମଧ୍ୟରେ ୪ ଜଣ ଛାତ୍ରୀ ସଂକ୍ରମିତ ହେବା ପରେ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି। ପୂର୍ବରୁ ବିଶ୍ବବିଦ୍ୟାଳୟର ଜଣେ ଅଧ୍ୟାପିକା କରୋନା ସଂକ୍ରମିତ ହୋଇଥିଲେ। ଗତକାଲି ହଷ୍ଟେଲରେ ରହୁଥିବା ୭ ଛାତ୍ରୀଙ୍କ ପରୀକ୍ଷା ହେବାକୁ ଯାଇଥିବା ସ୍ବାବ୍‌ ନେଗେଟିଭ ଆସିଥିବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ସେହିପରି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ରେ ୨ ବିଦ୍ୟାର୍ଥୀଙ୍କ ସମେତ ୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଜଣେ କର୍ମଚାରୀ ଓ ଜଣେ ପ୍ରଫେସର ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ବିଶ୍ବବିଦ୍ୟାଳୟ କର୍ତୃପକ୍ଷ କ୍ୟାମ୍ପସର ବିଭିନ୍ନ ସ୍ଥାନକୁ ବିଶୋଧନ କରିଛନ୍ତି। ଉତ୍କଳ ବିଶ୍ବବିଦ୍ୟାଳୟରେ ୫ ଜଣ ଛାତ୍ର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ୧୧ ଜଣ ଛାତ୍ରଛାତ୍ରୀଙ୍କ କରୋନା ପରୀକ୍ଷା ପାଇଁ ବିଏମ୍‌ସି ପକ୍ଷରୁ ସ୍ବାବ୍‌ ସଂଗ୍ରହ କରାଯାଇଛି। ସେହିପରି ବିଜେବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ କରୋନା ପରୀକ୍ଷା ହୋଇଛି। ବିଏମ୍‌ସି ପକ୍ଷରୁ ହଷ୍ଟେଲରେ ରହୁଥିବା ଅନ୍ତବାସୀଙ୍କ ସ୍ବାବ୍‌ ସଂଗ୍ରହ ହୋଇଛି।

ସମ୍ବନ୍ଧିତ ଖବର