ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଅବହେଳିତ ହୋଇ ପଡ଼ି ରହିଥିବା ଛୋଟ ଐତିହ୍ୟ ମନ୍ଦିରଗୁଡ଼ିକର ପୁନରୁଦ୍ଧାର ହେବ। ‘ଏକାମ୍ର’ ଯୋଜନାରେ ବହୁ ଐତିହ୍ୟ ମନ୍ଦିର ପୁଣି ଲୋକଲୋଚନକୁ ଆସିବ। ପୁରୁଣା ଭୁବନେଶ୍ବରରେ ଅନେକ ମନ୍ଦିର ଲିଙ୍ଗରାଜ ମନ୍ଦିରର ସମସାମୟିକ ହୋଇଥିଲେ ହେଁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କିମ୍ବା ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ଏହାର ରକ୍ଷଣାବେକ୍ଷଣ କରାଯାଉନଥିଲା। ଫଳରେ ଏସବୁ ଆଢ଼ୁଆଳରେ ରହିଯାଉଥିଲା। ତେବେ ଏକାମ୍ର ଯୋଜନା ଯୋଗୁଁ ଏହି ଐତିହ୍ୟ କୀର୍ତିରାଜିର ପୁନରୁଦ୍ଧାର ପାଇଁ ବାଟ ଫିଟିଛି। ରାଜ୍ୟ ସରକାର ଏନେଇ ଅଣ୍ଟା ଭିଡ଼ିବା ସହ ଉନ୍ନୟନ କମିସନର ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ କରାଯାଇଛି।

Advertisment

ମନ୍ଦିରଗୁଡ଼ିକର ପୁନରୁଦ୍ଧାର ପୂର୍ବରୁ କାର୍ଯ୍ୟ ଖସଡ଼ା ତଥା ଆକ୍ସନ ପ୍ଲାନ୍‌ ପ୍ରସ୍ତୁତ କରିବାକୁ ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଓ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଛି। ମନ୍ଦିର ସମ୍ପର୍କରେ ବିସ୍ତୃତ ସର୍ବେକ୍ଷଣ ସହ କେତେ ମନ୍ଦିର କୀର୍ତିରାଜି ରହିଛି ଏବଂ ସେସବୁର ପାରିପାର୍ଶ୍ବିକ ବିକାଶ କିପରି ହେବ, ସେନେଇ ବୈଠକରେ ଆଲୋଚନା ହୋଇଥିଲା। ଆକ୍ସନ-ପ୍ଲାନ୍‌ ପ୍ରସ୍ତୁତ ପରେ ସରକାର ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରିବେ। ପୂର୍ତ୍ତ ସଚିବ କ୍ରିଷନ୍‌ କୁମାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ବିଜୟ ନାୟକଙ୍କ ଉପସ୍ଥିତିରେ ଆୟୋଜିତ ବୈଠକରେ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ନିର୍ଦେଶ ଦିଆଯାଇଛି।
ଏକାମ୍ର କ୍ଷେତ୍ରରେ ଲିଙ୍ଗରାଜ ମନ୍ଦିର ବ୍ୟତୀତ ଆହୁରି ୫ଶହ ମନ୍ଦିର ରହିଛି। ତେବେ ୬୫ ଏକର ଅଞ୍ଚଳ ମଧ୍ୟରେ ୩୦ ମନ୍ଦିର ଚିହ୍ନଟ କରାଯାଇ ଏକାମ୍ର ‌ପ୍ରକଳ୍ପରେ ତା’ର ବିକ‌ାଶ କରାଯାଉଛି। ଏକାଦଶ ଖ୍ରୀଷ୍ଟାବ୍ଦର ଲିଙ୍ଗରାଜ ମନ୍ଦିର ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ପାଇଁ କିଛି ବ୍ୟବସାୟିକ କ୍ଷେତ୍ର ଓ ଘର ହଟାଯାଇଛି। ଏକାମ୍ର ଯୋଜନାରେ ବିଏମ୍‌ସି ପକ୍ଷରୁ ଜମି ଦଖଲ କାର୍ଯ୍ୟ ଜାରି ରହିଛି। ପୁରୀ ଭଳି ଏକାମ୍ର ପ୍ରକଳ୍ପକୁ ମଧ୍ୟ ରାଜ୍ୟ ସରକାର ଗୁରୁତ୍ବର ସହ ନେଇଛନ୍ତି। ନିକଟରେ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ। ୧୫୦ କୋଟି ଟଙ୍କା ବ୍ୟୟରେ ନୂଆ ରୂପ ନେବାକୁ ଯାଉଥିବା ଏହି ପ୍ରକଳ୍ପ ଅଧୀନରେ ଲୋକ ଲୋଚନରୁ ଅଦୃଶ୍ୟ ହୋଇଯାଉଥିବା ଐତିହ୍ୟ ମନ୍ଦିର ସାମ୍ନାକୁ ଆସିପାରିବ ବୋଲି ପ୍ରତ୍ନତତ୍ତ୍ବବିତ୍‌ମାନେ କହିଛନ୍ତି।