ମାର୍କେଟ୍‌ରୁ ଟାୱାର ଯାଏ ଦୁର୍ନୀତିର ଗନ୍ଧ

ବିଏମ୍‌ସି ବୈଠକରେ ଅଭିଯୋଗ ଆଣିଲେ କର୍ପୋରେଟର୍‌

ଭୁବନେଶ୍ବର: ବିଏମ୍‌ସିର ମାସିକ କାଉନ୍‌ସିଲ୍‌ ବୈଠକ ଆଜି ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ପ୍ରତ୍ୟେକ ବୈଠକରେ ଯେ କୌଣସି ପ୍ରସଙ୍ଗକୁ ନେଇ ହୋ ହଲ୍ଲା ହେଉଥିବା ବେଳେ ପ୍ରଥମଥର ପାଇଁ ବୈଠକରେ ବିଶୃଙ୍ଖଳା ହୋଇନଥିବା ଜଣାପଡ଼ିଛି। ବାସ୍ତବରେ, ବୈଠକଗୁଡ଼ିକରେ ନିୟମିତ ଗଣ୍ଡଗୋଳ ହେବାରୁ ଆଜି ସମଗ୍ର ଆଲୋଚନାକୁ ଭିଡିଓ ରେକର୍ଡିଂ କରାଯାଇଛି। କିଏ କଣ କହୁଛନ୍ତି? କେଉଁ ଅଧିକାରୀ କଣ ଉତ୍ତର ଦେଉଛନ୍ତି? ମେୟର ଓ କମିସନରଙ୍କ କ’ଣ ପ୍ରତିକ୍ରିୟା? ଏ ସବୁ ଆମୂଳଚୂଳ ରେକର୍ଡ କରି ରଖାଯାଇଛି। ଏଣୁ ଭବିଷ୍ୟତରେ ଏହା ଏକ ପ୍ରମାଣ ଭାବେ ବ୍ୟବହାର କରାଯିବା ସମ୍ଭାବନା ଥିବାରୁ ଆଜି କୌଣସି କର୍ପୋରେଟର ମୁହାଁମୁହିଁ ହୋଇନାହାନ୍ତି କିମ୍ବା ଗଣ୍ଡଗୋଳ ହୋଇନଥିବା କୁହାଯାଉଛି। ତେବେ ବିଭିନ୍ନ ବିଭାଗରେ ଦୁର୍ନୀତିକୁ ନେଇ ଅଭିଯୋଗ ଉଠିଛି। ଏକାଧିକ କର୍ପୋରେଟର ପ୍ରମାଣ ସହ ବିଭାଗୀୟ ଅଧିକାରୀଙ୍କ ଉପରକୁ ଆଙ୍ଗୁଠି ଉଠାଇଛନ୍ତି। ବିଶେଷକରି ମାର୍କେଟ୍‌ ଓ ରାଜସ୍ବ ଉପବିଭାଗରେ ମାଳମାଳ ଦୁର୍ନୀତି ବିଏମ୍‌ସିକୁ ବଦନାମ କରୁଥିବା କର୍ପୋରେଟରମାନେ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ବୈଠକର ହେଲା ଭିଡିଓ ରେକର୍ଡିଂ, କେହି ପାଟିତୁଣ୍ଡ କଲେନି

ବିଏମ୍‌ସି ଅଞ୍ଚଳରେ ବିଭିନ୍ନ ଜାଗାରେ ଘରୋଇ ସଂସ୍ଥାମାନଙ୍କର ଟାୱାର ସ୍ଥାପନ ହୋଇଛି। କିନ୍ତୁ ସେଗୁଡ଼ିକ ବେଆଇନ ଭାବରେ ସ୍ଥାପନ ହୋଇଛି। ବର୍ଷ ବର୍ଷ ଧରି ଘରୋଇ ସଂସ୍ଥାମାନେ ସେମାଙ୍କର ବ୍ୟବସାୟିକ ଫାଇଦା ଉଠାଇ ଚାଲିଥିବା ବେଳେ ବିଏମ୍‌ସିର କିଛି ଅଧିକାରୀ ହାତଗୁଞ୍ଜା ନେଇ ଲାଇସେନ୍ସ ନବୀକରଣ କରି ଚାଲିଛନ୍ତି। କର୍ପୋରେଟର ନୃପେଶ ନାୟକଙ୍କ ଅଭିଯୋଗ ମୁତାବକ, ଗୌତମନଗରରେ ଜିଓ ମୋବାଇଲ ଟାୱାର ରହିଛି। କିନ୍ତୁ ଅନୁମତି ପତ୍ର ପାଇବା ପାଇଁ ସମ୍ପୃକ୍ତ ସଂସ୍ଥା ବିଏମ୍‌ସି ପାଖରେ ଆବଶ୍ୟକୀୟ କାଗଜପତ୍ର ଦାଖଲକରିନାହିଁ। ଏଯାବତ୍‌ କାହିଁକି ଏହି ଟାୱାରକୁ ଉଚ୍ଛେଦ କରାଯାଇନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ସମ୍ପୃକ୍ତ ସଂସ୍ଥାକୁ ଏନ୍‌ଓସି ଦାଖଲ କରିବାକୁ ଚିଠି ଲେଖାଯାଇଥିବା ବିଏମ୍‌ସି ଉତ୍ତର ଦେଇଛି। ଅନ୍ୟ ୱାର୍ଡରେ ମଧ୍ୟ ଏଭଳି ବେଆଇନ ଟାୱାର ଥିବା ଆଶଙ୍କା କରି କମିସନର ବିଜୟ ଅମୃତା କୁଲାଙ୍ଗେ ସମସ୍ତ ୱାର୍ଡରେ ‌ସର୍ଭେ କରି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିଭଳି ମାର୍କେଟ୍‌ ଉପବିଭାଗରେ ରହିଥିବା କେଳେଙ୍କାରୀକୁ ନେଇ ଅନେକ ପ୍ରଶ୍ନ ଉଠିଛି। ୟୁନିଟ୍‌ ୨ ଫଳ ବଜାରରେ କେବଳ ଫଳ ବେପାରୀଙ୍କୁ ଥଇଥାନ କରିବାକୁ ସାଧାରଣ ପ୍ରଶାସନ ବିଭାଗ ସହ ଚୁକ୍ତି ଥିବା ବେଳେ ବିଏମ୍‌ସି ଏଠାରେ କିନ୍ନର ଓ ଅନ୍ୟ ବ୍ୟବସାୟୀମାନଙ୍କୁ ଦୋକାନ‌ ଦେବାକୁ ସ୍ଥିର କରିଛି। ଆଗକୁ ଏହା ଆଇନଗତ ବିବାଦ ସୃଷ୍ଟି କରିବ ବୋଲି ଆଶଙ୍କା କରି କେତେକ କର୍ପୋରେଟର ଏହାକୁ ବିରୋଧ କରିଛନ୍ତି।

ସଂସ୍କାର ଏନ୍‌ଜିଓ ଜରିଆରେ ଚାଲିଥିବା ‘ସହାୟ ରଥ’ ପୁଣି ଥରେ ଚାଲିବାକୁ ଯେଉଁ ଯୋଜନା ହୋଇଥିଲା ତାହା ବନ୍ଦ ହେବାକୁ ଯାଉଛି। ତା ସହିତ ‘କାଇଣ୍ଡ୍‌ନେସ୍‌ ହବ୍‌’ ମଧ୍ୟ ବନ୍ଦ ହେବ। ଏହି ସଂସ୍ଥାକୁ ୧୯ ଲକ୍ଷ ୭୬ ହଜାର ଟଙ୍କା ଦିଆଯାଇଥିବା ନେଇ ବୈଠକରେ ଉପସ୍ଥାପନ ହେବା ପରେ ହୋ ହଲ୍ଲା ହେବାରୁ ଏହି ଯୋଜନାକୁ ସ୍ଥଗିତ ରଖିବାକୁ ତୁରନ୍ତ ନିଷ୍ପତ୍ତି ହୋଇଛି। ଏହି ଏନ୍‌ଜିଓ ପୁରୁଣା ବସ୍ତ୍ର ସଂଗ୍ରହ କରି ଗରିବମାନଙ୍କୁ ବାଣ୍ଟୁଥିଲା। କେଉଁ ପରିସ୍ଥିତିରେ ଏତେ ଟଙ୍କା ଖର୍ଚ୍ଚ ହେଲା କର୍ପୋରେଟରମାନେ ପ୍ରଶ୍ନ ଉଠାଇଥିଲେ। ଉଲ୍ଲେଖଯୋଗ୍ୟ, ଏହି ଅର୍ଥ ପ୍ରଦାନ କରିବା ପାଇଁ ଫାଇଲ୍‌ ପ୍ରସ୍ତୁତ କରାଯାଇ ପୂର୍ବତନ କମିସନର ସଞ୍ଜୟ ସିଂହଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା। ସମ୍ପୃକ୍ତ ସଂସ୍ଥାକୁ ବିଏମ୍‌ସି ୱାସିଂ ମେସିନ୍‌ ଯୋଗାଇଥିଲା। ବାଣ୍ଟିବା ପାଇଁ ବସ୍‌ ମଧ୍ୟ ଯୋଗାଇଥିଲା। ବସ୍ତ୍ର ସଂଗ୍ରହ ହବ୍‌ ପାଇଁ ଜାଗା ଯୋଗାଇ ଦିଆଯାଇଥିଲା। ଏ ସବୁ ସତ୍ବେ କାହିଁକି ଏତେ ଟଙ୍କା ଖର୍ଚ୍ଚ ହେଲା ବୋଲି ଶ୍ରୀ ସିଂହ ଉତ୍ତର ମାଗିବାରୁ ପେମେଣ୍ଟ ଅଟକି ରହିଥିଲା। କିନ୍ତୁ ଗତ ସେପ୍ଟେମ୍ବର ମାସରେ ବିଏମ୍‌ସି ଏହି ଅର୍ଥ ପ୍ରଦାନ କରିଛି। ଏହାକୁ ପ୍ରବଳ ବିରୋଧ ହେବାରୁ ଏହି କାର୍ଯ୍ୟକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ତେବେ କାହା ସ୍ବାର୍ଥରେ ଏତେ ଗୁଡ଼ାଏ ଟଙ୍କା ପ୍ରଦାନ କରାଯାଇଛି ସେ ନେଇ ପ୍ରଶ୍ନ ଉଠିଛି। ବିନା ଖର୍ଚ୍ଚ କିମ୍ବା କମ୍‌ ଖର୍ଚ୍ଚରେ ଯଦି କୌଣସି ଏନ୍‌ଜିଓ ରାଜି ହୁଅନ୍ତି ତେବେ ଆରମ୍ଭ କରାଯାଇପାରେ ବୋଲି ପ୍ରସ୍ତାବ ରହିଛି।

ଅନ୍ୟପଟେ ବିଏମ୍‌ସି ଅଧୀନରେ ଥିବା ୭୮ଟି ପାର୍କକୁ ପିପିପି ମୋଡ୍‌ରେ ଉନ୍ନତୀକରଣ କରାଯିବ। ଏଥିପାଇଁ ଖୁବ୍‌ଶୀଘ୍ର ଏକ ଏସ୍‌ଓପି ଜାରି ହେବ। ଜାଗା ମିସନ୍‌ ଅଧୀନରେ ଉଷା ସର୍ଭେ ଆରମ୍ଭ ହେବ। ସୂତ୍ର ସହ ହୋଇଥିବା ଚୁକ୍ତି ମୁତାବକ ଡ୍ରୋନ୍‌ ଜରିଆରେ ସର୍ଭେ ଆରମ୍ଭ କରିବାକୁ ସଂସ୍ଥା ଯାଉଥିବା ବୈଠକରେ ସୂଚନା ଦିଆଯାଇଛି।

ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, କମିସନର ଓ ସମସ୍ତ ଅତିରିକ୍ତ କମିସନର, ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମନ୍ତ୍ରୀ ଅଶୋକ ପଣ୍ଡାଙ୍କର ପ୍ରତିନିଧି ବୈଠକରେ ଯୋଗ ଦେଇଥିଲା‌ ବେଳେ ଅନ୍ୟ ଦୁଇ ବିଧାୟକ କିମ୍ବା ତାଙ୍କ ପ୍ରତିନିଧି ଆସି ନଥିଲେ।

ନୂଆ କର୍ପୋରେଟରଙ୍କ ଉପରେ ପୁରୁଣାଙ୍କ ହାକିମାତି ଅଭିଯୋଗ

ଭୁବନେଶ୍ବର: ପ୍ରଥମ ଥର ପାଇଁ ବୈଠକରେ ଯୋଗ ଦେଇଥିବା କର୍ପୋରେଟରଙ୍କ ଉପରେ ପୁରୁଣା କର୍ପୋରେଟରମାନେ ହାକିମାତି ଦେଖାଉଥିବା ଅଭିଯୋଗ ହୋଇଛି। ବୈଠକରେ କୌଣସି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିବା ବେଳେ କେତେକ ପୁରୁଣା କର୍ପୋରେଟର ସେମାନଙ୍କୁ କଥା କହିବାକୁ ଦେଉ ନାହାନ୍ତି। ଏପରିକି ଯେଉଁଠି ମେୟର ଉତ୍ତର ରଖିବା କଥା ସେମାନେ ଉତ୍ତର ଦେଉଛନ୍ତି। ଏଭଳି ଅଭିଯୋଗ ଆଣିଛନ୍ତି ୬୫ ନମ୍ବର ୱାର୍ଡ କର୍ପୋରେଟର ରଶ୍ମୀରଞ୍ଜନ ପାଟ୍ଟଶାଣୀ। ଏ ନେଇ ମେୟରଙ୍କ ପର୍ଯ୍ୟନ୍ତ ଅଭିଯୋଗ ଯାଇଛି। ମେୟରଙ୍କ ହସ୍ତକ୍ଷେପ ପରେ ସମାଧାନ ହୋଇଛି। ଗତ ବୈଠକରେ ଶ୍ରୀ ପାଟ୍ଟଶାଣୀ ପ୍ରଶ୍ନ ପଚାରୁଥିବା ବେଳେ ଜଣେ ମହିଳା କର୍ପୋରେଟର ବାଧା ସୃଷ୍ଟି କରିଥିଲେ। ଯାହାକୁ ନେଇ ସେଠାରେ କିଛି ସମୟ କଥା କଟାକଟି ହୋଇଥିଲା। ଶ୍ରୀ ପାଟ୍ଟଶାଣୀ ମହିଳାଙ୍କ ଉଦ୍ଦେଶ୍ୟରେ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପ୍ରକାଶ ପାଇଥିବା ଖବରକୁ ନେଇ ସେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏଭଳି ଅଭିଯୋଗ ଅମୂଳକ ବୋଲି ସେ କହିବା ସହ ବୈଠକ‌ରେ ମହିଳା କର୍ପୋରେଟରଙ୍କୁ ସମ୍ମାନ ଦେଉଥିବା କହିଛନ୍ତି।

ସମ୍ବନ୍ଧିତ ଖବର