ଜଟଣୀ: ରାଜଧାନୀ ଉପକଣ୍ଠରେ ବାଣ ବେପାରର ହବ୍ ଭାବେ ପରିଚିତି ଲାଭ କରିଥିବା ଜଟଣୀ ସହର ପାର୍ବଣ ପାଇଁ ପ୍ରସ୍ତୁତ ହେବା ଆରମ୍ଭ କରିଛି। ଦଶହରା ଓ ଦୀପାବଳି ଲାଗି ବାଣ ବେପାରୀମାନେ ସଜବାଜ ହେଲେଣି। ପାଇକାରୀ ବେପାରୀମାନେ ତାମିଲନାଡ଼ୁର ଶିବକାଶୀ ଭଳି ରାଜ୍ୟ ବାହାରର ବାଣ କାରଖାନା ସହ ଯୋଗଯୋଗ ଆରମ୍ଭ କରିସାରିଲେଣି। ସେହିଭଳି ଦେଶୀ ବାଣ ପାଇଁ ସ୍ଥାନୀୟ କାରିଗରମାନେ ପ୍ରସ୍ତୁତ ହୋଇଗଲେଣି। କେତେକ ସ୍ଥାନରେ ବାଣୁଆ ଓ ବେପାରୀମାନେ ବାରୁଦ ଆଣି ଲୁଚାଚୋରାରେ ବାଣ ଭିଡ଼ିବା କାମ ଆରମ୍ଭ କଲେଣି। ତେଣୁ ପାର୍ବଣ ପୂର୍ବରୁ ଜଟଣୀ ଅଞ୍ଚଳରେ ଖେଳିଗଲାଣି ବାରୁଦ ବାସ୍ନା। କିଛି ଅଘଟଣ ଘଟିବା ପୂର୍ବରୁ ପୁଲିସ ପ୍ରଶାସନ ବେଆଇନ ଭାବେ ଚାଲିଥିବା ବାଣ ଭିଡ଼ା ବନ୍ଦ କରିବା ଜରୁରି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଦାବି କରିଛନ୍ତି।
ଗଣେଶ ପୂଜାଠାରୁ ଜଟଣୀ ପୌରାଞ୍ଚଳର କିଛି ବସ୍ତି ଅଞ୍ଚଳ ଓ ବ୍ଲକ୍ର କିଛି ଗାଁରେ ବାଣ ତିଆରି କାମ ଆରମ୍ଭ ହେଲାଣି ବୋଲି କୁହାଯାଉଛି। ପାତ୍ରପଡ଼ା, ଷଣ୍ଢପୁର, ବଡ଼ତୋଟା, କୁସୁମାଟି, ପଦନପୁର, ତିରିମଲ, କନ୍ତିଆ, ଉପରବସ୍ତ ଆଦି ଅଞ୍ଚଳରେ ଦେଶୀ ବାଣ ତିଆରି ହେଲାଣି। ପାଖାପାଖି ୧୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ବେଆଇନ ଭାବେ ବାଣ ଭିଡ଼ା କାମ ଚାଲିଛି। ସେସବୁ ଅଞ୍ଚଳରେ ବାରୁଦ ଗନ୍ଧ ବାରି ହୋଇପଡ଼ୁଛି।
ଲାଇସେନ୍ସ ନଥାଇ ଚୋରାରେ ବାଣୁଆ ପରିବାର ବିଭିନ୍ନ ପ୍ରକାର ଦେଶୀ ବାଣ ତିଆରି କରୁଛନ୍ତି। ସେମାନେ କୌଣସି ସୁରକ୍ଷା ନିୟମ ପାଳନ କରୁନାହାନ୍ତି। ବିଶେଷକରି ସେମାନେ ସୁତୁଲି ବୋମା, ଘଡ଼ି, ହୁଇ ଗୋଟି, ଧପଧପି, ତାଳ ଫୋଟକା, ଝର୍ଝରି ଭଳି ଅନେକପ୍ରକାରର ଦେଶୀ ବାଣ ତିଆରି କରୁଛନ୍ତି। ଜନବସତି ଭିତରେ ବାରୁଦ ବସ୍ତା ସାଇତା ହେଉଥିବାରୁ ବିପଜ୍ଜନକ ସ୍ଥିତି ଉପୁଜିବା ଆଶଙ୍କା ରହିଛି। କୌଣସି କାରଣବଶତଃ ନିଆଁ ଲାଗିଲେ, ନିୟନ୍ତ୍ରଣ କରିବା ଅସମ୍ଭବ ହୋଇଯିବ। ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିବ। ଅନେକ ଗ୍ରାମରେ ଅସାଧୁ ବ୍ୟବସାୟୀମାନେ ଚୋରାରେ ବାଣ ତିଆରି କରୁଥିବାରୁ ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। କିଛି ଅଘଟଣ ଘଟିବା ପୂର୍ବରୁ ପୁଲିସ ଏହି ଚୋରା କାରବାରକୁ ରୋକିବା ଦିଗରେ ତତ୍ପରତା ଦେଖାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଏନେଇ ଥାନା ଅଧିକାରୀ ଷ୍ଟାଲିନ୍ ବିଶ୍ବାଳ କହିଛନ୍ତି ଯେ ପୁଲିସ ଟିମ୍ ସବୁଆଡ଼େ ଯାଞ୍ଚ କରୁଛି। ବାଣ ତିଆରି ହେଉଥିବା ଖବର ମିଳିବା ମାତ୍ରେ ପୁଲିସ ଚଢ଼ଉ କରିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/14/untitled-14-2025-09-14-07-27-52.jpg)