ସାପ କାମୁଡ଼ିଲା, ମୂଷା ଖୋଜିଲେ; ଅକାଳରେ ଚାଲିଗଲା କୁନି ଝିଅର ଜୀବନ

ଭୁବନେଶ୍ବର: ନାଗ ସାପ କାମୁଡ଼ି ଦେବା ପରେ ଯନ୍ତ୍ରଣାରେ ଛଟପଟ କୁନି ଝିଅ ବିକଳ ହୋଇ କହିଥିଲା, ମା’ ମତେ ସାପ କାମୁଡ଼ି ଦେଲା। ହେଲେ ତା’ କଥାକୁ ଗୁରୁତ୍ବର ସହ ନିଆଗଲା ନାହିଁ। ରାତି ୨ଟା ୪୫ର ଘଟଣା ହୋଇଥିବାରୁ ଅନ୍ଧାରରେ ଆପାତତଃ ସେ କିଛି ଦେଖିନଥିବ ବୋଲି ଅନୁମାନ କରାଗଲା। ସମ୍ଭବତଃ ମୂଷା କାମୁଡ଼ି ଦେଇଛି ଭାବି ଘର ଲୋକ ମୂଷାକୁ ଖୋଜିଲେ। ଘର ସାମ୍ନାରେ ଘରୋଇ ହସ୍ପିଟାଲ୍‌ ଥିଲେ ହେଁ ମୂଷା କାମୁଡ଼ି ଦେଇଥିବ ବୋଲି କହି ହସ୍ପିଟାଲ୍‌କୁ ନିଆଗଲା ନାହିଁ। ଅଧ ଘଣ୍ଟା ପରେ ଯେବେ ଝିଅଟି ନିସ୍ତେଜ ହେବାକୁ ଲାଗିଲା, ସେଇଠୁ ଝିଅ କହୁଥିବା କଥା ସତ ବୋଲି ବିଶ୍ବାସ ହେଲା। ଶେଷରେ ଝିଅର ଜୀବନ ରକ୍ଷା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ ପହଞ୍ଚିବା ପୂର୍ବରୁ ଝିଅଟି ପ୍ରାଣ ହରାଇଲା। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଆପୋଲୋ ହସ୍ପିଟାଲ୍‌ ସମ୍ମୁଖ ବିଶ୍ବେଶ୍ବର ବସ୍ତି ଅଞ୍ଚଳରେ।

ପ୍ରାଣ ହରାଇଥିବା ଝିଅର ନାଁ ଗାୟତ୍ରୀ ନାୟକ (୧୪)। ପୁନିଆ ନାୟକ ଓ ସୁମିତ୍ରା ନାୟକଙ୍କ ଝିଅ ଗାୟତ୍ରୀ ତିନି ଭଉଣୀ ଭିତରେ ଥିଲା ସବା ସାନ। ସାନ ହୋଇଥିବାରୁ ବାପା ମା’ଙ୍କର ଭାରି ଅଲିଅଳ। ଭଲ ପଢ଼ୁଥିଲା ମଧ୍ୟ। ଆର୍‌ଆର୍‌ଏଲ୍‌ କ୍ୟାମ୍ପସ ସ୍କୁଲ୍‌ରେ ୯ମ ଶ୍ରେଣୀରେ ପଢ଼ୁଥିଲା। ବସ୍ତିରେ ଝାଟିମାଟି ଘରେ ରହୁଥିବା ଗାୟତ୍ରୀଙ୍କ ହାତକୁ ରାତି ପ୍ରାୟ ୨ଟା ୪୫ରେ କିଛି ଗୋଟେ କ’ଣ କାମୁଡ଼ି ଦେବା ଭଳି ଲାଗିଲା। ଅନ୍ଧାର ଘର ହୋଇଥିବାରୁ ସେ କିଛି ଦେଖିପାରିନଥିଲେ ହେଁ ବିକଳରେ ସାପକୁ କାମୁଡ଼ିବା ସ୍ଥାନରୁ ଛଡ଼ାଇବାକୁ ଚେଷ୍ଟା କରିଥିଲା। ଛଡ଼ାଇବା ମଧ୍ୟରେ ସାପଟି ପୁଣି ଥରେ ତାଙ୍କ ହାତକୁ କାମୁଡ଼ି ଦେଲା। ସେ ହାତରେ ସାପ ବୋଲି ବାରି ଥିବାରୁ ତାଙ୍କ ମା’ଙ୍କୁ ଏ ବାବଦରେ ଜଣାଇଥିଲେ। ମାତ୍ର ଘରେ ସବୁଦିନ ମୂଷାଙ୍କ ଚଳପ୍ରଚଳ ହେତୁ ସମ୍ଭବତଃ ମୂଷାଟିଏ ଗାୟତ୍ରୀଙ୍କ ହାତକୁ କାମୁଡ଼ି ଦେଇଥିବ ଭାବି ଏହାକୁ ପ୍ରଥମେ ଏତେଟା ଗୁରୁତ୍ବ ଦିଆଗଲା ନାହିଁ। ଘର ସାମ୍ନାରେ ଏତେ ବଡ଼ ହସ୍ପିଟାଲ୍‌ ଥିବାରୁ, ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ ଜୀବନ ବଞ୍ଚିବାର ସମ୍ଭାବନା ଥିଲା। ମାତ୍ର ସମୟ ଗଡ଼ିଯିବାରୁ ବିଷ ଦେହକୁ ବ୍ୟାପିଗଲା। ଫଳରେ କୋମଳମତି ଗାୟତ୍ରୀଙ୍କ ଜୀବନ ଦୀପ ଅକାଳରେ ଲିଭିଗଲା।

ଗାୟତ୍ରୀଙ୍କ ମୃତ୍ୟୁ ପରେ ତାଙ୍କୁ ଘରକୁ ଅଣାଯାଇଥିଲା। ତେବେ ସାପଟି ଘରେ ଥିବା ସନ୍ଦେହ କରି ଆଜି ସକାଳେ ସ୍ନେକ୍‌ ହେଲ୍‌ପଲାଇନ୍‌କୁ ଯୋଗାଯୋଗ କରାଗଲା। ଖବର ପାଇ ହେଲ୍‌ପଲାଇନ୍ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ଦାସ ପୁନିଆଙ୍କ ଘରେ ପହଞ୍ଚି ଘର ମଧ୍ୟରେ ୪ଟା ଗାତ ଥିବା ଦେଖିବାକୁ ପାଇଲେ। ସାପଟି ଗାତରେ ଥିବା ସନ୍ଦେହ କରି ପ୍ରଥମ ଗାତକୁ ଅଢ଼େଇ ଫୁଟ ଖୋଳିବା ପରେ ସାପଟି ଦେଖାଯାଇଥିଲା। ସାପକୁ ପୂର୍ଣ୍ଣଚନ୍ଦ୍ର କାଢ଼ିବା ମାତ୍ରେ ତାକୁ ସେଇ ପାଖରେ ଛିଡ଼ା ହୋଇଥିବା ଜଣେ ବ୍ୟକ୍ତି ରାଗରେ ଏକ ଶାବଳରେ ପିଟି ଦେଇଥିଲେ। ଫଳରେ ସାପଟି ମଧ୍ୟ ମରିଯାଇଥିଲା। ଏନେଇ ସ୍ନେକ୍‌ ହେଲ୍‌ପ ଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଗାୟତ୍ରୀଙ୍କ ଜୀବନ ବଞ୍ଚିଯିବାର ଯଥେଷ୍ଟ ସମ୍ଭାବନା ଥିଲା। ରାଜଧାନୀରେ ସବୁ ସୁବିଧା ହାତ ପାହାନ୍ତାରେ ଥାଇ ମଧ୍ୟ ସୁବିଧାକୁ ନ ଆପଣାଇବାରୁ ଅକାଳରେ ଏକ ଜୀବନ ଚାଲିଗଲା। ସାପ କାମୁଡ଼ିବା ପରେ ଝିଅଟି ଅଧଘଣ୍ଟା ପର୍ଯ୍ୟନ୍ତ ଘରେ ହିଁ ଥିଲା। ତାକୁ ହସ୍ପିଟାଲ୍‌ ନେବା ପରିବର୍ତେ ମୂଷା ଖୋଜିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଅନ୍ତତଃ ଝିଅଟିର କଥାକୁ ଗୁରୁତ୍ବର ସହ ନେଇ ଯଦି ତୁରନ୍ତ ସାମ୍ନା ହସ୍ପିଟାଲ୍‌କୁ ନିଆଯାଇ ପାରିଥା’ନ୍ତା ତେବେ ବି ତାଙ୍କ ଜୀବନ ରକ୍ଷା ହୋଇପାରିଥାଆନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର