ନାଗକୁ ଗିଳି‌ଦେଲା ନାଗ

ଭୁବନେଶ୍ବର: ଭୁବନେଶ୍ୱର ଉପକଣ୍ଠ ବାଳକାଟି ନିକଟସ୍ଥ ଯଶୁଆପୁର ଗ୍ରାମରେ ଏକ ନିର୍ମାଣାଧୀନ କୋଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଛୁଆ ନାଗସାପକୁ ବଡ଼ ନାଗସାପ ଗିଳିବା ଓ ପରେ ବାନ୍ତି କରି ଛୁଆ ନାଗସାପକୁ ମୃତାବସ୍ଥାରେ ବାହାର କରିଛି। ସମାନ ପ୍ରଜାତିର ଗୋଟେ ସାପ ଆଉ ଏକ ସାପକୁ ଗିଳିବା ଘଟଣା ଦେଖିବାକୁ ଖୁବ୍ କମ୍ ମିଳେ। ଏହାକୁ କ୍ୟାନିବ୍ୟାଲିଜିମ୍ କୁହାଯାଏ ବୋଲି ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ଅନେକ ସାପଙ୍କ କ୍ଷେତ୍ରରେ ଏହି କ୍ୟାନିବ୍ୟାଲିଜିମ୍ ଦେଖାଯାଇଥାଏ ଏବଂ ନାଗ ସାପମାନଙ୍କ କ୍ଷେତ୍ରରେ ଘଟିବା ଏହା ଏକ ସାଧାରଣ ଘଟଣା।

ସୂଚନା ମୁତାବକ, ଶୁକ୍ରବାର ନିର୍ମାଣାଧୀନ କୋଠାରେ କାମ କରୁଥିବା ବେଳେ କିଛି ଶ୍ରମିକ ସାପକୁ ଦେଖିଥିଲେ। ଏହା ପରେ ସ୍ନେକ୍ ହେଲ୍ପ-ଲାଇନ୍‌କୁ ଫୋନ୍ କରାଯାଇଥିଲା। ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ବିରଞ୍ଚି ନାରାୟଣ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ଗୋଟିଏ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ନାଗଟିର ପେଟ ଫୁଲିଥିଲା ଏବଂ ବିରଞ୍ଚି ତାକୁ ଉଠେଇକି ଆଣିବା ବେକେ ବାନ୍ତି କରିବା ଲକ୍ଷଣ ଦେଖାଦେଇଥିଲା। ବିରଞ୍ଚି ତା’ର ଲାଞ୍ଜକୁ ଧରି ଥିବା ଅବସ୍ଥାରେ ନାଗଟି ଅନ୍ୟ ଏକ ନାଗସାପକୁ ବାନ୍ତି କରିଥିଲା। ପ୍ରାୟ ୩ ଫୁଟ୍ ଲମ୍ବର ନାଗ ସାପର ମୃତ ଅବସ୍ଥାରେ ବାହରିଥିଲା। ଏହା ପରେ ସାପଟିକୁ ବିରଞ୍ଚି ଏକ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦେଇଥିଲେ।

ସମ୍ବନ୍ଧିତ ଖବର