ଆକ୍ରାନ୍ତଙ୍କ ସେବା କରୁକରୁ ନିଜେ ପୀଡ଼ିତ ହେଲେ ସମାଜସେବୀ, ଫୁସ୍‌ଫୁସ୍ ପ୍ରତିରୋପଣ ପାଇଁ ଅର୍ଥ ବାଧକ

ଏୟାରଲିଫ୍ଟ ହେଲେ ଦେବକାନ୍ତ, ସହାୟତା ପାଇଁ ସ୍ତ୍ରୀଙ୍କ ଆକୁଳ ନିବେଦନ

ଭୁବନେଶ୍ବର: ଜଣେ ସମାଜସେବୀ ହିସାବରେ ଦୁଇ ବର୍ଷ ହେଲା କରୋନା ସଂକ୍ରମିତଙ୍କୁ ସେବା ଯୋଗାଇ ଆସୁଥିଲେ। ସଚେତନତା ସୃଷ୍ଟି କରିବା ସହ ଘରକୁ ଘର ବୁଲି ଲୋକଙ୍କୁ ମା‌ସ୍କ, ସାନିଟାଇଜର୍‌ ଓ ଔଷଧପତ୍ର ବଣ୍ଟନ କରୁଥିଲେ। କିନ୍ତୁ ନିୟତିର ନିଷ୍ପତ୍ତି ଥିଲା ଭିନ୍ନ। ଶେଷରେ ନିଜେ କରୋନାରେ ପୀଡ଼ିତ ହେଲେ। ପ୍ରାୟ ୪୦ଦିନ ହେଲା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଫୁସ୍‌ଫୁସ୍‌ ପ୍ରତିରୋପଣ ଆବଶ୍ୟକ ହୋଇପାରେ ବୋଲି ଡାକ୍ତର କହିଛନ୍ତି। ତେଣୁ ଆଜି ତାଙ୍କୁ ଏୟାର୍‌ ଲିଫ୍‌ଟ କରି ଚେନ୍ନାଇ ଏମ୍‌ଜିଏମ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ମାତ୍ର ତାଙ୍କ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ। ଭୁବନେଶ୍ବର ସମ୍‌ ହସ୍ପିଟାଲରେ ପାଖାପାଖି ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିବା ପରେ ପରିବାର ଲୋକେ ସର୍ବସ୍ବାନ୍ତ ହୋଇସାରିଛନ୍ତି। ଏହା ହେଉଛି ଢ଼େଙ୍କାନାଳର ଜଣାଶୁଣା ସମାଜସେବୀ ଦେବକାନ୍ତ ପ୍ରଧାନଙ୍କ ଦୁର୍ଦ୍ଦଶାର କାହାଣୀ। ଏବେ ରାଜ୍ୟବାସୀଙ୍କ ସହଯୋଗ ହିଁ ତାଙ୍କ ସ୍ବାମୀଙ୍କୁ ସୁସ୍ଥ କରିପାରିବ ବୋଲି ଆକୁଳ ନିବେଦନ କରିଛନ୍ତି ତାଙ୍କ ସ୍ତ୍ରୀ ସୌମ୍ୟା ସୌମିତ୍ରୀ।

ଦେବକାନ୍ତଙ୍କ ଘର ଢେଙ୍କାନାଳ ଜିଲ୍ଲା ରଞ୍ଜାଗୋଳ ଅଞ୍ଚଳରେ। ଗତବର୍ଷଠାରୁ କରୋନା ସଂକ୍ରମିତଙ୍କ ଘରକୁ ଘର ବୁଲି ସେ ସାହାଯ୍ୟ କରୁଥିଲେ। ଔଷଧପତ୍ରଠାରୁ ଆରମ୍ଭ କରି ଖାଦ୍ୟ ସାମଗ୍ରୀ ପର୍ଯ୍ୟନ୍ତ ସଂକ୍ରମିତଙ୍କ ଘରେ ପହଞ୍ଚାଉଥିଲେ। ପରେ ଅସୁସ୍ଥ ହେବାରୁ କରୋନା ପରୀକ୍ଷା କରିଥିଲେ। ପ୍ରଥମେ ତାଙ୍କୁ ଅନୁଗୁଳ ହସ୍ପିଟାଲରେ ଚିକିତ୍ସା କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ସମ୍ ହସ୍ପିଟାଲକୁ ନିଆଯାଇଥିଲା। ବହୁ ଦିନ ଭେଣ୍ଟିଲେଟର୍‌ରେ ରଖାଯାଇଥିଲେ ବି କିଛି ସୁଫଳ ମିଳିଲା ନାହିଁ। ଫୁସଫୁସ୍ ବହୁ ପରିମାଣରେ ପ୍ରଭାବିତ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଲା। ପ୍ରାୟ ୪୦ ଦିନ ତାଙ୍କୁ ଏକ୍‌ମୋରେ ରଖାଯାଇଥିଲା। ଏବେ ତାଙ୍କ ଫୁସଫୁସ୍ ପ୍ରତିରୋପଣ ଜରୁରୀ ବୋଲି ଡାକ୍ତର କହିଛନ୍ତି। ଏହା ଜାଣିବା ପରେ ପରିବାରଲୋକେ ଚେନ୍ନାଇ ଏମ୍‌ଜିଏମ୍ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ। ତେବେ ଏଭଳି ଚିକିତ୍ସା ଲାଗି କୋଟିଏ ଟଙ୍କା ଆବଶ୍ୟକ ପଡ଼ିବ ବୋଲି ଜାଣିବା ପରେ ସେମାନଙ୍କ ହୋସ୍‌ ଉଡ଼ି ଯାଇଥିଲା। ତଥାପି ବି ସେମାନେ ଆଶା ଛାଡ଼ି ନଥିଲେ। ଦେବକାନ୍ତଙ୍କ ତିନି ଭଉଣୀ ଓ ଭଣଜା ମିଲାପ୍‌ ଫଣ୍ଡରେଜର୍‌ର ସାହାଯ୍ୟ ନେଇ ଲୋକଙ୍କୁ ନିବେଦନ କରିଛନ୍ତି। ଆଜି ସକାଳେ ଏୟାର୍ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚେନ୍ନାଇ ନିଆଯାଇଛି ଓ ସେଠାରେ ଚିକିତ୍ସା ଆରମ୍ଭ କରାଯାଇଥିବା ଜଣାପଡ଼ିଛି।

ସ୍ତ୍ରୀ ସୌମ୍ୟାଙ୍କ କହିବା କଥା ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ସଞ୍ଚିତ ଅର୍ଥ ସରିଯାଇଛି ଓ ଗହଣାଗାଣ୍ଠି ସବୁ ବିକ୍ରି ହୋଇସାରିଛି। ବନ୍ଧୁବାନ୍ଧବ ଓ ସମ୍ପର୍କୀୟମାନେ ସେମାନଙ୍କ ସାଧ୍ୟମତେ ସହଯୋଗ କରିଛନ୍ତି। ଜମିବାଡ଼ି ବିକିବାକୁ ଏବେ ସମୟ ନାହିଁ। ଡାକ୍ତର କୋଟିଏ ଟଙ୍କା ଖର୍ଚ୍ଚ ହେବ ବୋଲି କହୁଛନ୍ତି। ଏତେ ଟଙ୍କା କେଉଁଠୁ ପାଇବି ଭାବିଲା ବେଳକୁ ମୁଣ୍ଡରେ ଚଡ଼କ ପଡ଼ିଲା ଭଳି ଲାଗୁଛି। ତେଣୁ ଏମିତି ସମୟରେ ସରକାରଙ୍କ ପକ୍ଷରୁ କିମ୍ବା କୌଣସି ସ୍ବେଚ୍ଛାସେବୀ ଅନୁଷ୍ଠାନ ଅଥବା ସହୃଦୟ ବ୍ୟକ୍ତିମାନଙ୍କ ସହାୟତା ବିନା ମୋ ସ୍ବାମୀଙ୍କୁ ଭଲ କରିବା ମୋ ପକ୍ଷେ ସମ୍ଭବ ନୁହେଁ। ଓଡ଼ିଶାବାସୀଙ୍କ ସହଯୋଗ ସାହା ଭରସା। ସାହାଯ୍ୟ କରିବାକୁ ଇଚ୍ଛୁକ ବ୍ୟକ୍ତି ବା ଅନୁଷ୍ଠାନ ୮୩୩୮୦୧୮୦୬୬ ମୋବାଇଲ ନଂରେ ଯୋଗାଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର