ବାଲିଅନ୍ତା: ମାତ୍ର ଗୋଟିଏ ବର୍ଷରେ ଅଚଳ ହୋଇଗଲା ୧୬ଟି ସୌର ଲାଇଟ୍। ୫ ଲକ୍ଷ ଟଙ୍କାର ଅନୁଦାନ ପାଣିରେ ପଡ଼ିଗଲା। ଫଳରେ ମାତ୍ର ବର୍ଷକ ପାଇଁ ରାତିରେ ଝଲମଲ କରିଥିବା ଭାର୍ଗବୀ ନଦୀର ବାଳକାଟି ବ୍ରିଜ୍ ଏବେ ଅନ୍ଧାରରେ ପଡ଼ିଛି। ପ୍ରତାପଶାସନ ଗ୍ରାମ ପଞ୍ଚାୟତ ଓ ବାଲିଅନ୍ତା ପଞ୍ଚାୟତ ସମିତି ଏହାର ମରାମତି ଓ ରକ୍ଷଣାବେକ୍ଷଣ ନେଇ କୌଣସି ପଦକ୍ଷେପ ନେଇନଥିବାରୁ ବ୍ରିଜ୍ରେ ପୂର୍ବ ଭଳି ଅନ୍ଧାର ରାଜ୍ ଚାଲିଛି।
ସୂଚନାନୁସାରେ ୨୦୧୮/୧୯ ମସିହାରେ ବିଧାୟକ ହାତ ପାଣ୍ଠି ଅନୁଦାନ ଅର୍ଥରେ ବାଳକାଟି ବ୍ରିଜ୍ ଉପରେ ୧୬ଟି ସୌର ଲାଇଟ୍ ଲାଗିଥିଲା। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ୫ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ଉଭୟ ପ୍ରତାପଶାସନ ପଞ୍ଚାୟତ ଓ ବାଲିଅନ୍ତା ବ୍ଲକ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା। ସୌର ଲାଇଟ୍ ଲାଗିବା ପରେ ରାତିରେ ବାଳିକାଟି ସେତୁ ବେଶ୍ ସୁନ୍ଦର ଭାବେ ଝଲସି ଥିଲା। ଲୋକମାନେ ସୁବିଧାରେ ଓ ନିରାପଦରେ ଏହି ବ୍ରିଜ୍ ଉପରେ ଯାତାୟାତ କରିଥିଲେ। କିନ୍ତୁ ମାତ୍ର ବର୍ଷକ ପରେ ଯଥା ପୂର୍ବଂ ତଥା ପରଂ ଅବସ୍ଥା। ନିମ୍ନମାନର ଲାଇଟ୍ ସବୁ ବର୍ଷକ ଭିତରେ ନଷ୍ଟ ହୋଇଗଲା। ଗୋଟିଏ ସୌରଖୁଣ୍ଟ ଭାଙ୍ଗି ଭାର୍ଗବୀ ନଦୀ ଭିତରକୁ ଲଟକି ରହିଛି। କିଛି ବତୀଖୁଣ୍ଟରେ ଲାଗିଥିବା ଲାଇଟ୍, ପ୍ୟାନେଲ୍ ବୋର୍ଡ, ବଲ୍ବ, ଏବଂ ଅନ୍ୟାନ୍ୟ ସାମଗ୍ରୀ ସବୁ ନଷ୍ଟ ହୋଇଗଲାଣି। ଅନ୍ଧାର କାରଣରୁ ଏବେ ବ୍ରିଜ୍ ଉପରେ ଲୋକମାନେ ଯାତାୟାତ କରିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ଧାର ଯୋଗୁ ଅନେକ ସମୟରେ ବ୍ରିଜ୍ ଉପରେ ପଥଚାରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ଅନ୍ଧାର ପରିବେଶର ସୁଯୋଗ ନେଇ ବ୍ରିଜ୍ ସଂଲଗ୍ନ ଅଞ୍ଚଳ ନିଶା ବ୍ୟବସାୟୀଙ୍କୁ ସୁହାଉଛି। ବ୍ରିଜ୍ ଉପରେ ନିଶାଡ଼ିଙ୍କ ଆଡା ଜମୁଥିବାରୁ ପଥଚାରୀମାନେ ପୂର୍ବ ଭଳି ଲୁଟ୍ର ଶିକାର ହେବା ଭୟ ଘାରିଛି।