ଭୁବନେଶ୍ବର: କରୋନା ଆକ୍ରାନ୍ତ ହେବାର ୬ଦିନ ପରେ (ଅଗଷ୍ଟ ୩୦ରେ) ରେଣୁ ଚୌଧୁରୀ (୭୦)ଙ୍କର ମୃତ୍ୟୁ ହୋଇଗଲା। ‌ହାଇଟେକ୍‌ କୋଭିଡ୍‌ କେୟାର ସେଣ୍ଟରରେ ‌ଚିକିତ୍ସାଧୀନ ଥିବାରୁ ସେଠାରୁ ଗୋଟିଏ ଚିରକୁଟ ପରିବାର ‌ଲୋକଙ୍କୁ ଧରାଇଦେଲେ। ବିଏମ୍‌ସିରୁ ବି ଠିକ୍‌ ସମୟ‌ରେ ମୃତ୍ୟୁ ପ୍ରମାଣପତ୍ର ମିଳିଗଲା। କିନ୍ତୁ ପରିବାରଲୋକଙ୍କୁ ଆଜି ଯାଏ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ବା ମେଡିକାଲ ସାର୍ଟିଫିକେସନ୍ ଅଫ୍ କଜେସ୍‌ ଅଫ୍ ଡେଥ୍‌ (ଏମ୍‌ସିସିଡି) ମିଳୁନି। ହାଇଟେକ୍‌ ହସ୍ପିଟାଲ କର୍ତ୍ତୃପକ୍ଷ, ବିଏମ୍‌ସି କମିସନରଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସବୁଠି ମୃତ ମହିଳାଙ୍କ ପୁଅ ରାଜେନ୍ଦ୍ର ଚୌଧୁରୀ ଆବେଦନ କଲେଣି। କିନ୍ତୁ କିଛି ସୁଫଳ ମିଳୁନି। ପୁଅ ଜାଣିପାରୁନି ମା’ କେମିତି ମଲା। କରୋନା ଆକ୍ରାନ୍ତଙ୍କୁ କିପରି ଚିକିତ୍ସା କରାଯାଉଛି, କ’ଣ କ’ଣ ଔଷଧ ଦିଆଯାଉଛି, କେଉଁ ମୁହୂର୍ତ୍ତରେ କ’ଣ ଚିକିତ୍ସା କରାଗଲା, କିପରି ମୃତ୍ୟୁ ହେଲା ତା’ର କିଛି ବି ସୂଚନା ହସ୍ପିଟାଲ କର୍ତ୍ତୃପକ୍ଷ ପରିବାରଲୋକଙ୍କୁ ଦେଉନାହାନ୍ତି। ପଚାରିଲେ କହୁଛନ୍ତି, ବିଏମ୍‌ସି ମନା‌ କରିଛି। ‌ଜଣେ ମୃତକର ପରିବାରକୁ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ଦେବାରେ ଅସୁବିଧା କେଉଁଠି? କାହିଁକି ସରକାର ଏହାକୁ ଲୁଚାଉଛନ୍ତି, ସେନେଇ ଏବେ ପ୍ରଶ୍ନ ଉଠିଲାଣି। ରାଜଧାନୀରେ ବିଭିନ୍ନ ହସ୍ପିଟାଲରେ ପ୍ରତିଦିନ ୩୦ରୁ ଅଧିକ ଲୋକଙ୍କର କରୋନାରେ ମୃତ୍ୟୁ ହେଉଛି। କିନ୍ତୁ ସ୍ବାସ୍ଥ୍ୟ ବିଭାଗ କେଉଁଦିନ ୧୫ ତ କେଉଁଦିନ ୧୬ଜଣ ମରୁଛନ୍ତି ଦେଖାଉଛି। ବାକି ଲୋକ କରୋନାରେ ମରୁଥିବା କହି ପୋଡ଼ୁଥିବା ବେଳେ କାହିଁକି ତାଙ୍କୁ କରୋନାରେ ମୃତ୍ୟୁ ହୋଇଛି ବୋଲି ସରକାରୀ ଭାବେ କୁହାଯାଉନି ସେନେଇ କାହା ପାଖରେ ଉତ୍ତର ନାହିଁ। ଏପଟେ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର (ଏମ୍‌ସିସିଡି) ଦେଇଦେଲେ ପରେ କାଳେ କିଏ ସରକାରୀ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠାଇବ, ସେଥିପାଇଁ ଆଗୁଆ ସତର୍କତା ଦେଖାଇ କାହାକୁ ସାର୍ଟିଫିକେଟ୍‌ ଦେଉନାହାନ୍ତି।

Advertisment

publive-image

ରାଜେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ୨୫ ତାରିଖ ଅପରାହ୍‌ଣ‌ରେ ତାଙ୍କ ମା’ଙ୍କର କରୋନା ପଜିଟିଭ୍ ରିପୋର୍ଟ ଆସିବା ପରେ ଶରୀରରେ ଅମ୍ଳଜାନ ମାତ୍ରା କମି ଯାଇଥିଲା। ମା’ଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ସମ୍‌ ହସ୍ପିଟାଲକୁ ଫୋନ୍‌ କରିଥିଲେ କିନ୍ତୁ କେହି ଫୋନ୍‌ ଉଠାଇ ନଥିଲେ। ଏହାପରେ କଳିଙ୍ଗ ହସ୍ପିଟାଲକୁ ଫୋନ୍‌ କରିଥିଲେ। କିନ୍ତୁ ଶଯ୍ୟା ନାହିଁ କହି ଫୋନ୍‌ ରଖି ଦେଇଥିଲେ। ଏହାପରେ ୧୦୪କୁ ଫୋନ୍‌ କରିଥିଲେ। ଡାକ୍ତର ପରାମର୍ଶ ଦେବେ କହି ଫୋନ୍‌କୁ ବହୁ ସମୟ ହୋଲ୍‌ଡରେ ରଖିଲେ କିନ୍ତୁ କେହି କିଛି କହିଲେନି। ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅମ୍ଳଜାନ ଦେବା ପରେ ମା’ ସୁସ୍ଥ ହୋଇଥି‌ଲେ। ଏହାପରେ ୨୬ତାରିଖରେ ବିଏମ୍‌ସି ପକ୍ଷରୁ ହାଇଟେକ୍‌ କୋଭିଡ୍‌ କେୟାର ସେଣ୍ଟର୍‌ରେ ଭର୍ତ୍ତି କରାଯାଇଥିଲା। ୨୭ତାରିଖରେ ମା’ ସେଠାରେ ନର୍ସଙ୍କୁ ପିଇବାକୁ ପାଣି ମାଗିଥିଲେ ହେଁ ସେ ଦେଇନଥିଲେ। ପ୍ରାୟ ଅଧଘଣ୍ଟା ପର୍ଯ୍ୟନ୍ତ ପାଣି ନ ମିଳିବାରୁ ମା’ ମୋତେ ଫୋନ୍‌ କରିଥିଲେ। ତେଣୁ ମୁଁ ହାଇଟେକ୍‌ କୋଭିଡ୍‌ କେୟାର ସେଣ୍ଟର ନିକଟକୁ ଯାଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ହାତରେ ମା’ଙ୍କୁ ପାଣି, ସାବୁନ୍‌ ଏବଂ କିଛି ଟଙ୍କା ଦେଇକି ଆସିଥିଲି। ୨୮ତାରିଖ ଦିନ ମା’ ସୁସ୍ଥ ଥିଲେ। କିନ୍ତୁ ୨୯ତାରିଖ ଦିନ ସକାଳୁ ମା’ ଫୋନ୍‌ କରି କହିଲେ ଯେ ‌ମୁଁ ସୁସ୍ଥ ଅଛି କିନ୍ତୁ ମୋତେ ଭେଣ୍ଟିଲେଟରରେ ନେଇ ରଖୁଛନ୍ତି। ମୋତେ ଉଜୁନ୍ତୁରି ଲାଗୁଛି। ଏମାନେ ମୋତେ ମାରିଦେବେ। ମା’ ଡରିକି ଏହିଭଳି କହୁଥିବା ଭାବିଥିଲି। ହେଲେ ମା’ର ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ଯେତେ ଯୁଆଡ଼େ ଫୋନ୍‌ ଲଗାଇଲି ବି ଜାଣିପାରିଲିନି। ଏପରିକି ଆଇସିୟୁ ମ୍ୟାନେଜରଙ୍କୁ ‌ଫୋନ୍‌ କରିଥିଲେ ବି କେହି ଫୋନ୍‌ ଉଠାଇ ନଥିଲେ।

ଏହା ପୂର୍ବରୁ ମୋ ବାପା ଓ ଭାଇ ବି କରୋନା ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେଣୁ କ’ଣ କରିବି କିଛି ଜାଣିପାରୁ ନଥିଲି। ୩୦ ତାରିଖରେ ମୋ ବାପାଙ୍କ ମୋବାଇଲ୍‌କୁ ଗୋଟିଏ ଫୋନ୍‌ ଆସିଥିଲା ଯେ ମା’ଙ୍କର ହାର୍ଟ କାମ କରୁନି। ତେଣୁ ତାଙ୍କୁ ଭେଣ୍ଟିଲେଟର୍‌ରେ ଭର୍ତ୍ତି କରାଯାଉଛି। ଏହାର କିଛି ସମୟ ପରେ ସେ ସୁସ୍ଥ ହୋଇଯାଇଥିଲେ ବୋଲି କହିଲେ। ଆଉ ଅପରାହ୍ନ ୨ଟା ୩୦ରେ ତାଙ୍କର ମୃତ୍ୟୁ ହୋଇଯାଇଛି ବୋଲି ଆମକୁ ଜଣାଇଲେ। ଡାକ୍ତରଙ୍କୁ କ’ଣ କିପରି ଚିକିତ୍ସା ହେଲା ବୋଲି ପଚାରିବାରୁ କହିଲେ ଯେ ପ୍ରୋଟୋକଲ୍‌ ଅନୁଯାୟୀ ସବୁ ହୋଇଛି।

ରାଜେନ୍ଦ୍ର ପ୍ରଶ୍ନ ଉଠାଇଛନ୍ତି ଯେ, ୨୯ତାରିଖରେ ମା’ଙ୍କୁ ଭେଣ୍ଟିଲେଟର୍‌କୁ ନିଆଯାଇଛି ବୋଲି ମା’ କହିଥିଲେ। କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଆମକୁ କହିଲେ ଯେ ୩୦ ତାରିଖରେ ଭେଣ୍ଟିଲେଟର‌କୁ ନିଆଯାଇଛି। ଯଦି ମା’ଙ୍କ କହିବାନୁଯାୟୀ ସେ ଠିକ୍‌ ଥିଲେ ତେବେ ତାଙ୍କୁ କାହିଁକି ଭେଣ୍ଟିଲେଟରରେ ଭର୍ତ୍ତି କରାଗଲା। ମା’ଙ୍କର ହୃଦ୍‌ଘାତରେ ଯଦି ମୃତ୍ୟୁ ହୋଇଛି ତେବେ କରୋନା ମୃତ୍ୟୁ କେମିତି ଦର୍ଶାଇଲେ? ମା’ଙ୍କୁ କେଉଁଦିନ କ’ଣ ଚିକିତ୍ସା କରାଯାଇଛି, ତାଙ୍କର ଆଉ କିଛି ରୋଗ ଥିଲା କି ଯାହା ଆମେ ଜାଣିନଥିଲୁ, ତାଙ୍କୁ କେଉଁ ପରିସ୍ଥିତିରେ ଭେଣ୍ଟିଲେଟରରେ ଭର୍ତ୍ତି କରାଗଲା, କିପରି ତାଙ୍କର ମୃତ୍ୟୁ ହେଲା ତାହାର ସବିଶେଷ ରିପୋର୍ଟ ଆମକୁ ମିଳିବା ଦରକାର ବୋଲି ରାଜେନ୍ଦ୍ର କହିଛନ୍ତି। ରାଜେନ୍ଦ୍ର ଏଠାରେ ଯେଉଁ ସବୁ ପ୍ରଶ୍ନ ଉଠାଇଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଏବେ ବି କୌଣସି ଆକ୍ରାନ୍ତଙ୍କର ମୃତ୍ୟୁ ପରେ ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର ଦିଆଯାଉନି। ଯାହା ପରିବାର ଲୋକଙ୍କୁ ସଂଶୟରେ ରଖୁଛି।

ଅଳଙ୍କାର ଚୋରି କରୁଛନ୍ତି ହସ୍ପିଟାଲ କର୍ମଚାରୀ
ହସ୍ପିଟାଲରେ କର୍ମଚାରୀମାନେ ଆକ୍ରାନ୍ତଙ୍କର ଅଳଙ୍କାର ଚୋରି କରି ନେଉଛନ୍ତି। ଏହିଭଳି ଅଭିଯୋଗର ତାଲିକା ଏବେ ଲମ୍ବିଲାଣି। କିଛି ଦିନ ତଳେ ଏମ୍‌ସ‌ରେ ଜଣେ ମହିଳାଙ୍କର କାନଫୁଲ ଚୋରି କରି ନେଇଥିବା ବେଳେ ଏବେ ଜଣେ ମହିଳାଙ୍କର ସୁନାଚେନ୍‌ ଓ କାନଫୁଲ ହସ୍ପିଟାଲ କର୍ମଚାରୀ ଚୋରି କରିନେଇଥିବା ଅଭିଯୋଗ ହୋଇଛି। ରାଜେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ମା’ ହାଇଟେକ୍‌ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି ହୋଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ସୁନା ଚୁଡ଼ି ଓ ୩ ହଜାର ଟଙ୍କା ଦେଇଥିଲେ। କିନ୍ତୁ ତାଙ୍କ ସୁନା ଚେନ୍ ଓ କାନଫୁଲ ଦେଲେନି। ଏନେଇ ପଚାରିବାରୁ କହିଲେ ଆମେ ଜାଣିନୁ। ଯାହା ଥିଲା ଦେଇଛୁ। ମା’ଙ୍କ ମୃତ୍ୟୁରେ ‌ଭାଙ୍ଗି ପଡ଼ିଥିବା ପୁଅ ଏନେଇ ଥାନାରେ ଅଭିଯୋଗ କରିବେ କି ନାହିଁ, ଜାଣି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ଓ ବିଏମ୍‌ସି କମିସନରଙ୍କୁ ଏନେଇ ଜଣାଇବା ପରେ କିଛି ପଦକ୍ଷେପ ନିଆଯାଇ ନଥିବାରୁ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି।