ଚୋରା ଗଞ୍ଜେଇ ବ୍ୟବସାୟୀଙ୍କୁ କରୋନା, ପୁଅ ବି ସଂକ୍ରମିତ

ବାଲିଅନ୍ତା: ବାଲିଅନ୍ତା ଥାନା ପୁଲିସ ଆଜି ଜଣେ ଚୋରା ଗ‌ଞ୍ଜେଇ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ଉକ୍ତ ଗଞ୍ଜେଇ ବ୍ୟବସାୟୀଙ୍କ ସ୍ବାବ୍‌ ପରୀକ୍ଷା କରାଯିବାରୁ ସେ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତେଣୁ କୋର୍ଟରେ ତାଙ୍କୁ ତତ୍କାଳ ଜାମିନ୍‌ ମିଳିଯାଇଛି। ଅପରପକ୍ଷେ ଖବର ପାଇ ମେଡିକାଲ ଟିମ୍, ବ୍ଲକ୍‌ ପ୍ରଶାସନ ଓ ସ୍ଥାନୀୟ ସରପଞ୍ଚ ଅଭିଯୁକ୍ତଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କ ସ୍ବାବ୍‌ ପରୀକ୍ଷା କରାଇଥିଲେ। ସେଥିରୁ ତାଙ୍କ ୩୦ ବର୍ଷୀୟ ପୁଅଙ୍କୁ ମଧ୍ୟ କରୋନା ହୋଇଥିବା ଜଣାଯାଇଛି। ଆକ୍ରାନ୍ତ ବାପ-ପୁଅଙ୍କୁ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଛି।

ସୂଚନାଯୋଗ୍ୟ, ଗତକାଲି ସଂଧ୍ୟାରେ ବାଲିଅନ୍ତା ଥାନା ଅଧିକାରୀ ପ୍ରଦୀପ କୁମାର ରାଉତ ଟଙ୍କପାଣି ବ୍ରିଜ୍‌ ନିକଟରେ ଦୀର୍ଘ ବର୍ଷ ଧରି ଚାଲିଥିବା ଏକ ପାନ ଦୋକାନରେ ଅତର୍କିତ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ପୁଲିସ୍‌ ଦୋକାନରୁ ୮ କେଜିରୁ ଊର୍ଧ୍ବ ଗଞ୍ଜେଇ ଜବତ କରିଥିଲା। ଏହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହେବ। ଶେଷ ଖବର ମୁତାବକ ଆଜି ବାଲିଅନ୍ତା ଥାନା ଅଞ୍ଚଳରେ ଆଉ ୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ହୀରାପୁର ଅଞ୍ଚଳରେ ଗୋଟିଏ ପରିବାରର ବାପ ଓ ତାଙ୍କ ଝିଅ କରୋନା ପଜିଟିଭ ଚିହ୍ନଟ ଜଣାପଡ଼ିଥିବା ବେଳେ ବାଳକାଟି ବଜାରରେ ପାନମସଲା ଦୋକାନ କରିଥିବା ବାପ ପୁଅ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର